ବଲାଙ୍ଗୀର, ୨୫ ଫେବୃଆରୀ(ହି.ସ.) – ରେଳ ବିଭାଗ ଏବେ ଚାରିଆଡ଼େ ଉନ୍ନୟନ ମୂଳକ କାର୍ଯ୍ୟ କରୁଛି। ଏହି ପରିପ୍ରେକ୍ଷୀରେ ଟିଟିଲାଗଡ଼ ନିକଟସ୍ଥ ସିକେର ଷ୍ଟେସନର ମଧ୍ୟ ଉନ୍ନତିକରଣ କାର୍ଯ୍ୟ ଜାରି ରହିଛି। ପରିତାପର ବିଷୟ ଏହି କି ଯେ ସିକିର ଷ୍ଟେସନ ନିକଟରେ ହେଉଥିବା ରେଳ ଲାଇନର ଦୋହରୀ କରଣ ତଥା ଅନ୍ୟାନ୍ୟ ଉନ୍ନୟନ କାର୍ଯ୍ୟ ପାଇଁ ରେଳ ଧାରଣାରେ ବିଛାଉଥିବା ସିମେଂଟ ପ୍ଲେଟ ଗଦା ହୋଇଛି। ଗଦା ହୋଇଥିବା ସ୍ଥାନର ତଳପଟେ ଡ. ସୁଶୀଲ ପତିଙ୍କ ଚାଷ ଜମି ରହିଛି। ସେହି ଚାଷ ଜମିରେ ବର୍ଷା ଯୋଗୁଁ ରେଳ ବିଭାଗ ଉଚ୍ଚ କରିଥିବା ମାଟି ଧସି ଆସି ଶ୍ରୀ ପତିଙ୍କ ଚାଷ ଜମିରେ ପଶିଯିବା ଯୋଗୁଁ ଚାଷ ଜମି ନଷ୍ଟ ହୋଇଯାଇଛି। ଆଗରୁ ୮୦ରୁ ୯୦ କୁଇଂଟାଲ ଧାନ ବାହାରୁଥିବାବେଳେ ରେଳ ବିଭାଗର ଦାୟିତ୍ୱହୀନତା ଯୋଗୁଁ ଏବେ ୨୯ କୁଇଂଟାଲ ଧାନ ମିଳିଛି। ଏନେଇ ଡ. ପତି ଦୁଇ ଥର ରେଳ ବିଭାଗର ଡିଆର୍ଏମ୍ଙ୍କୁ ଲେଖି ଜଣାଇବା ପରେ କିଛି ସୁଫଳ ମିଳି ନପାରିବାରୁ ଓକିଲଙ୍କ ଦ୍ୱାରା ରେଳ ବିଭାଗକୁ ପ୍ଲିଡର ନୋଟିସ ଦେବା ପରେ ବିଭାଗ ପକ୍ଷରୁ କିଛି ସ୍ଥାନରୁ ମାଟି ନଖସିବା ପାଇଁ ଗାର୍ଡ ୱାଲ ଦିଆଯାଇଛି ଯାହାକି ଯଥେଷ୍ଟ ନୁହେଁ। ଚାଷ ଜମିର ଚାରି ପଟେ ଗାର୍ଡ ୱାଲ୍ ଦେବାକୁ ଦାବି କରିବା ସହ ଯେହେତୁ ଚାଷ ଜମିର ଉର୍ବରତା ଆଉ ନରହିବା ଯୋଗୁଁ ଯେତେ ପରିମାଣର କ୍ଷୟକ୍ଷତି ହୋଇଛି ତାହାର କ୍ଷତି ପୂରଣ ଦାବି କରିଛନ୍ତି। ଏ ଦିଗରେ ବିଭାଗୀୟ ଅଧିକାରୀ ତୁରନ୍ତ ଦୃଷ୍ଟି ଦେବା ସହ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଡ. ପତି ଦାବି କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ