ବଲାଙ୍ଗୀର, ୨୫ ଫେବୃଆରୀ(ହି.ସ.) – ବଲାଙ୍ଗୀର ସଦର ବ୍ଲକ ଅନ୍ତର୍ଗତ ଭୁତିଆରାହାଲ ଗ୍ରା.ପ.କୁ ନୂତନ ବ୍ଲକ ଘୋଷଣା ଦାବି ନେଇ ଭୁତିଆରବାହାଲ ତଥା ଆଖପାଖ ପଡ଼ୋଶୀ ଗ୍ରାମ ପଂଚାୟତ ଜନସାଧାରଣଙ୍କୁ ନେଇ ବିରାଟ ଶୋଭାଯାତ୍ରାରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଉକ୍ତ ଶୋଭାଯାତ୍ରାରେ ପ୍ରାୟ ୬୦ ଗୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠି ତଥା ଶହ ଶହ ଜନସାଧାରଣଙ୍କ ଉପସ୍ଥିତିରେ କଳାମଣ୍ଡଳ ପଡ଼ିଆରୁ ବାହାରି ଦାବି ଜଣାଇଥିଲେ। ଯେହେତୁ ଭୁତିଆରବାହାଲ ଗ୍ରାମ ପଂଚାୟତଟି ବଲାଙ୍ଗୀର ବ୍ଲକର ଶେଷ ସୀମାରେ ଅବସ୍ଥିତ। ଏହି ଗ୍ରାମ ପଂଚାୟତ ଉପରେ ଦେଓଗାଁ ବ୍ଲକର ସାରସମାଲ, ଲଣ୍ଡାପଥର, ଧଣ୍ଡାମାଲ, ବଡବନ୍ଧ, ସିକୁଆଁ, ବ୍ରାହ୍ମଣିଯୋର, କୁଡାସିଂହା, ଚିକଲବାହାଲ, ଶିକାଛିଡା, ଶିବତଲା, ବନ୍ଧପଡ଼ା, ସିଂଙ୍ଘାମୁଣ୍ଡା, ଦେଷଣ୍ଢ ଗ୍ରାମ ପଂଚାୟତ ଗୁଡିକ ନିର୍ଭରଶୀଳ ଅଟନ୍ତି ଏବଂ ଭୌଗଳିକ ଦୃଷ୍ଟିକୋଣରୁ କେନ୍ଦ୍ର ସ୍ଥଳରେ ଅଛି। ଏହାକୁ ଦୃଷ୍ଟିରେ ରଖି ଭୁତିଆରବାହାଲ ଗ୍ରା.ପ. ବ୍ଲକ ହେବା ପାଇଁ ଉପଯୁକ୍ତ ସ୍ଥାନ ବୋଲି ଜନସାଧାରଣ ଦାବି କରିଛନ୍ତି। ଜିଲ୍ଲାପାଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଦାବିପତ୍ର ଗ୍ରହଣ କରିଥିଲେ। ଜିଲ୍ଲାପାଳଙ୍କୁ ଦାବିପତ୍ର ଦେବା ସମୟରେ ଜନସାଧାରଣଙ୍କ ତରଫରୁ ବ୍ଲକ କ୍ରିୟାନୁଷ୍ଠାନ କମିଟିର ସଭ୍ୟ ଚିନ୍ତାମଣି ଚୌଧୁରୀ, ପ୍ରଦୀପ ଦାଶ, ଶିବ ପ୍ରସାଦ ସାହୁ, ତ୍ରିଲୋଚନ ମଲ୍ଲିକ, ତ୍ରିଭୁବନ ବାରିକ, କୁନା ନାଏକ, ନୀଳ ସେଠ, ଅଜିତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ