ରାଉରକେଲା, ୨୫ ଫେବୃଆରୀ(ହି.ସ.) – ଆଜି ବିଶ୍ରା ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟୱାନ ମହାଜନ ଓ ରାଉରକେଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ନିତେଶ ୱାଧୱାନୀ ଉପସ୍ଥିତ ରହି ଜନସାଧାରଣଙ୍କର ଅଭିଯୋଗ ଗୁଡ଼ିକର ଶୁଣାଣୀ କରିଥିଲେ।
ଆଜି ମୋଟ ୮୩ ଗୋଟି ଅଭିଯୋଗର ଶୁଣାଣୀ ହୋଇଥିଲା। ସେଥିମଧ୍ୟରୁ ୩୮ ଗୋଟି ବ୍ୟକ୍ତିଗତ ଅଭିଯୋଗ ରହିଥିବାବେଳେ ୪୫ ଗୋଟି ସାମୁହିକ ଅଭିଯୋଗ ରହିଥିଲା। ଏଥିମଧ୍ୟରୁ ୧୩ ଗୋଟି ଅଭିଯୋଗର ତତ୍କ୍ଷଣାତ ସମାଧାନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୭ଜଣଙ୍କୁ ୪୭ହଜାର ଟଙ୍କା ଆର୍ôଥକ ସହାୟତା ପ୍ରଦାନ କରାଯାଇଥିଲା। ଆଜି ଆସିଥିବା ଅଭିଯୋଗଗୁଡ଼ିକ ମଧ୍ୟରୁ ମୁଖ୍ୟତଃ ରାସ୍ତା ଘାଟ ସମସ୍ୟା, ପେନସନ, ବିଦ୍ୟୁତ୍ ସମସ୍ୟା, ବ୍ରିଜ ନିର୍ମାଣ, ଆବାସ ସମସ୍ୟା, ରାସନ୍ କାର୍ଡ଼ ସମସ୍ୟା, ପାନୀୟ ଜଳ ସମସ୍ୟା ଆଦି ପ୍ରମୁଖ ରହିଥିଲା।
ଆଜିର ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣିରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ସୁରଂଜନ ସାହୁ, ଡିଏଫ୍ଓ ଯଶୋବନ୍ତ ସେଠୀ, ବିଶ୍ରା ଗୋଷ୍ଠି ଉନ୍ନୟନ ଅଧିକାରୀ ଜଗନ୍ନାଥ ହନୁମାନ ସମେତ ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଜନଶୁଣାଣୀ ପରେ ପରେ ଜିଲ୍ଲାପାଳ ବ୍ଳକର ବିଭିନ୍ନ ପଂଚାୟତର ଉନ୍ନୟନ ମୂଳକ କାର୍ଯ୍ୟ ପରିଦର୍ଶନ କରି ଅଗ୍ରଗତି ସମୀକ୍ଷା କରିଥିଲେ।
ହିନ୍ଦୁସ୍ଥାନ ସମାଚାର/କାଳୀପ୍ରସାଦ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ