ଜାମୁମାଲ ଗ୍ରାମରେ ଉତ୍କଟ ପାଣି ସଙ୍କଟ, ଗ୍ରାମବାସୀ କିଣୁଛନ୍ତି ଘର ପିଛା ଶହେ ଟଙ୍କାରେ ପାଣି
- ୭ ନଳକୂପରୁ ୪ ଅଚଳ, ୩ ନଳକୂପରୁ ବାହାରୁଛି ଗୋଳିଆ ପାଣି ସମ୍ବଲପୁର , ୨୪ ଫେବୃୟାରୀ (ହି.ସ.) - ମଣିଷକୁ ବଂଚିବାକୁ ହେଲେ ପାଣି ଓ ପବନ ନିହାତି ଆବଶ୍ୟକ। ପ୍ରକୃତିର ଏହି ଦୁଇ ମୂଲ୍ୟବାନ ପ୍ରାକୃତିକ ସମ୍ପଦକୁ ଜନସାଧାରଣଙ୍କୁ ସଠିକ୍ ଭାବେ ଯୋଗାଇ ଦେବାକୁ ସରକାର ବହୁ ଯୋଜନା କରିଛନ୍ତି । ହେଲେ ବର୍ତମାନ
ଜାମୁମାଲ ଗ୍ରାମରେ ଉତ୍କଟ ପାଣି ସଙ୍କଟ, ଗ୍ରାମବାସୀ କିଣୁଛନ୍ତି ଘର ପିଛା ଶହେ ଟଙ୍କାରେ ପାଣି


- ୭ ନଳକୂପରୁ ୪ ଅଚଳ, ୩ ନଳକୂପରୁ ବାହାରୁଛି ଗୋଳିଆ ପାଣି

ସମ୍ବଲପୁର , ୨୪ ଫେବୃୟାରୀ (ହି.ସ.) - ମଣିଷକୁ ବଂଚିବାକୁ ହେଲେ ପାଣି ଓ ପବନ ନିହାତି ଆବଶ୍ୟକ। ପ୍ରକୃତିର ଏହି ଦୁଇ ମୂଲ୍ୟବାନ ପ୍ରାକୃତିକ ସମ୍ପଦକୁ ଜନସାଧାରଣଙ୍କୁ ସଠିକ୍ ଭାବେ ଯୋଗାଇ ଦେବାକୁ ସରକାର ବହୁ ଯୋଜନା କରିଛନ୍ତି । ହେଲେ ବର୍ତମାନର ପରିବେଶକୁ ଅନୁଧ୍ୟାନ କଲେ ଋତୁଚକ୍ର ମଧ୍ୟରୁ ସର୍ବାଧିକ ଯନ୍ତ୍ରଣା ଦାୟକ ପାଲଟିଛି ଗୀଷ୍ମ ଋତୁ। ମୁଣ୍ଡ ଉପରେ ଖରାର ତାତି ବଢୁଥିବା ବେଳେ ଶୋଷ ମେଂଟାଇବା ପାଇଁ ପିଇବା ପାଣିର ଅଭାବ ଯାହାକି ଜନସାଧାରଣଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ଯୋଗାଇ ଦେବାରେ ପ୍ରଶାସନ ସମ୍ପୂର୍ଣ୍ଣ ବିଫଳ ହୋଇଛି । ଯାହା ଫଳରେ ଘରକୁ ପିଇବା ପାଣି ଟୋପାଏ ନେବାପାଇଁ ଏବେ ସାଧାରଣ ଲୋକଙ୍କୁ ଦେବାକୁ ପଡୁଛି ମାସକୁ ୧୦୦ ଟଙ୍କା। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ବଡ଼ମାଲ ପଂଚାୟତ ଜାମୁମାଲ ଗ୍ରାମରେ। ଜାମୁମାଲ ଗ୍ରାମର ଚମାର ପଡା, ଗୌଡ଼ ପଡା, ଗଣ୍ଡ ପଡା, ଅଘରିଆ ପଡାରେ ପ୍ରାୟ ୮୫ ଘର ଥିବା ବେଳେ ଏହାର ଜନସଂଖ୍ୟା ପ୍ରାୟ ୩ ଶହରୁ ଉର୍ଦ୍ଧ୍ୱ । ଆବଶ୍ୟକତା ଅନୁଯାୟୀ ଏହି ଗ୍ରାମରେ ମୋଟ୍ ୭ ଟି ନଳକୂପ ବସାଯାଇଛି । ମାତ୍ର ଦୁର୍ଭାଗ୍ୟ ସେଥି ମଧ୍ୟରୁ ୪ଟି ନଳକୂପ ଅଚଳ ଥିବା ବେଳେ ଅନ୍ୟ ତିନୋଟି ନଳକୂପରୁ ବାହାରୁଛି ସମ୍ପୂର୍ଣ୍ଣ ଗୋଳିଆ ପାଣି, ଯାହା ବ୍ୟବହାର ଯୋଗ୍ୟ ହେଉନାହିଁ ବୋଲି କହିଛନ୍ତି ପଡ଼ାବାସୀ। ଏଭଳି ପରିସ୍ଥିତିରେ ଗ୍ରାମରେ ଗଭୀର ନଳକୂପ ଖନନ କରିଥିବା ୪ ଜଣ ବ୍ୟକ୍ତିଙ୍କ ଠାରୁ ପାଣି ନେବା ବାବଦରେ ଘର ପିଛା ମାସକୁ ୧୦୦ ଟଙ୍କା ଲେଖାଏଁ ଦେଇ ପାଣି ଆଣିବାକୁ ବାଧ୍ୟ ହେଉଛନ୍ତି ବୋଲି କହିଛନ୍ତି ଗ୍ରାମର ଶୋଉକିନି ପଟେଲ, ବଲ୍ଲଭି ନାଏକ, ନଳିନୀ ବାଗାର, ମମତା କାଲୋ , ପଙ୍କଜିନୀ ଖଣ୍ଡା, ଚିତ୍ରଙ୍ଗଡ଼ା ମାଝୀ, ପ୍ରତିମା ପଟେଲ, ସୁଷମା ନାଏକ, ଯମୁନା ସେଠ, ଫୁଲଣା ଲୁହୁରା, ବାସନ୍ତୀ କାଲୋ, ଲିଳିମା ପଟ୍ଟା, ସଂଜିତା ମହାନନ୍ଦ ଓ ଉର୍ବଶୀ ପଟେଲ ପ୍ରମୁଖ। ନଳକୂପ ଅଚଳ ଓ ପାଣି ଅଭାବ ସମ୍ପର୍କରେ ଦୀର୍ଘ ଦିନ ଧରି ଗ୍ରାମବାସୀ ପ୍ରଶାସନର ଦ୍ୱାରସ୍ଥ ହେବା ସହ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଠାରେ ଅଭିଯୋଗ କରିଆସୁଥିଲେ ମଧ୍ୟ ଅଦ୍ୟାବଧି କୈାଣସି ସୁଫଳ ମିଳିନାହିଁ । ଗ୍ରୀଷ୍ମର ପ୍ରାରମ୍ଭିକ ପ୍ରଭାବ ଅସହ୍ୟ ରାତିରୁ ଆରମ୍ଭ ହୋଇଥିବା ବେଳେ ବର୍ତମାନର ଜଳ ସଙ୍କଟ ଆଗାମୀ ଦିନରେ କି ଯେ' ରୂପରେଖ ନେବ ସେନେଇ ଏବେ ଠାରୁ ସମଗ୍ର ଅଂଚଳବାସୀ ଆତଙ୍କିତ ହୋଇ ପଡିଛନ୍ତି । ଏପରିକି ପ୍ରତି ପଞ୍ଚାୟତରେ ପାଣି ଟାଙ୍କି ଥିବା ସତ୍ୱେ ଏଭଳି ଅସମୟରେ କାହିଁକି ଏହାକୁ କାର୍ଯ୍ୟକ୍ଷମ କରାଯାଉ ନାହିଁ ତାହା ବୁଝିବା ବେଳକୁ ସେଥିରେ ବହୁ ରାଜନୈତିକ ଅଭିସନ୍ଧି ଥିବା ଶୁଣିବାକୁ ମିଳୁଛି । ଗ୍ରାମରେ ନଳକୂପ ଖନନ କରିଥିବା ୪ ଜଣ ବ୍ୟକ୍ତିଙ୍କ ସଫେଇ ଅନୁଯାୟୀ ନଳକୂପରୁ ପାଣି ପାଇଁ ଟଙ୍କା ନିଆ ଯାଉନାହିଁ, ମାତ୍ର ମୋଟର ବ୍ୟବହାର ଯୋଗୁଁ ବିଦ୍ୟୁତ୍ ବିଲ ଦେୟ ବାବଦକୁ ୧୦୦ ଟଙ୍କା ଲେଖାଏଁ ଗ୍ରାମବାସୀ ପ୍ରଦାନ କରିଥାନ୍ତି। ଗୋଟିଏ ପଟେ ସରକାର ସାଧାରଣ ଜନତାଙ୍କୁ ମୌଳିକ ସୁବିଧା ଯୋଗାଇ ଦେବାକୁ ପ୍ରତିଶ୍ରୃତି ବଦ୍ଧ ଥିବା ବେଳେ ସାଧାରଣ ଜନତା ନିଜ ମୌଳିକ ସୁବିଧା ପାଇଁ ଟଙ୍କା ଦେଇ ଆଣିବା କେତେ ଦୂର ଯଥାର୍ଥତା ବୋଲି ସାଧାରଣ ରେ ପ୍ରଶ୍ନ ହେଉଛି। ଆଗାମୀ ୭ ଦିନରେ ଗ୍ରାମର ଜଳସଙ୍କଟ ଦୂରୀକରଣ ପାଇଁ ସମାଧାନ କରା ନଗଲେ ବ୍ଲକ କାର?୍ୟ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ । ଏଦିଗରେ ରାଜ୍ୟ ଜନସ୍ୱାସ୍ଥ୍ୟ ବିଭାଗ ମନ୍ତ୍ରୀ ଅନୁସନ୍ଧାନ କରି ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ନେବାପାଇଁ ସାଧାରଣରେ ଦାବି ହୋଇଛି ।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande