ସମ୍ବଲପୁର, ଫେବୃୟାରୀ ୨୪ - ସମ୍ବଲପୁର ଜିଲ୍ଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ
ନିର୍ଦ୍ଧାରିତ ଲକ୍ଷ୍ୟରୁ ଅଧିକ ଧାନ କିଣାଯାଇଛି,
ଯାହା
ଡବଲ ଇଞ୍ଜିନ ସରକାରର ଚାଷୀଙ୍କ ପ୍ରତି ଥିବା ପ୍ରତିବଦ୍ଧତାର ପ୍ରତିଫଳନ ବୋଲି ସୋମବାର ସମ୍ବଲପୁର
ଠାରେ ପିଏମ୍ କିଷାନ ସମ୍ମାନ ନିଧିର ୬ ବର୍ଷ ପୂର୍ତ୍ତି ଅବସରରେ ‘କିଷାନ ସମ୍ମାନ ସମାରୋହ’ରେ ଯୋଗଦେଇଛନ୍ତି କେନ୍ଦ୍ର ଶିକ୍ଷା
ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି,
ଡବଲ
ଇଞ୍ଜିନ ସରକାରରେ ସମ୍ବଲପୁର ଜିଲ୍ଲାର ୧ ଲକ୍ଷ ୨୦ ହଜାର ଚାଷୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ
ନିଧି ଓ ମୁଖ୍ୟମନ୍ତ୍ରୀ କିଷାନ ଯୋଜନାରେ ୧୨୦ କୋଟି ଟଙ୍କା ଲାଭ ପାଇଛନ୍ତି । କ୍ୱିଣ୍ଟାଲ ପିଛା
୩୧୦୦ ଟଙ୍କା ଏମଏସପିରେ ଧାନ ସଂଗ୍ରହ ବାବଦକୁ ସମ୍ବଲପୁର ଜିଲ୍ଲାରେ ପ୍ରାୟ ୩୨ ଲକ୍ଷ କ୍ୱିଣ୍ଟାଲ
ଧାନ ପ୍ରାୟ ୯୭୬ କୋଟି ଟଙ୍କାରେ କିଣାଯାଇଛି । ସେଥିମଧ୍ୟରୁ କେନ୍ଦ୍ର ସରକାର ୭୨୪ କୋଟି ଏବଂ
ରାଜ୍ୟ ସରକାର ୨୫୨ କୋଟି ଟଙ୍କା ମୂଲ୍ୟର ଧାନ କିଣିଛନ୍ତି । ନିର୍ଦ୍ଧାରିତ ଲକ୍ଷ୍ୟ ଠାରୁ ଅଧିକ
ଧାନ କିଣିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ
ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ,
ପ୍ରଧାନମନ୍ତ୍ରୀ
ନରେନ୍ଦ୍ର ମୋଦୀ ଆଜି ଭିଡ଼ିଓ କନଫରେନ୍ସିଂ ଜରିଆରେ ବିହାରର ଭାଗଲପୁରରୁ ପିଏମ କିଷାନ ସମ୍ମାନ
ନିଧିର ୧୯ତମ କିସ୍ତିର ହସ୍ତାନ୍ତର କାର୍ଯ୍ୟକ୍ରମ ଅନ୍ତର୍ଗତ ଓଡ଼ିଶା ସମେତ ଦେଶର ୯ କୋଟି ୮୦
ଲକ୍ଷ ଚାଷୀ ହିତାଧିକାରୀଙ୍କୁ ପ୍ରାୟ ୨୨ ହଜାର କୋଟି ଟଙ୍କା ପ୍ରଦାନ କରିଛନ୍ତି । ଆଜି ପିଏମ
କିଷାନ ସମ୍ମାନ ନିଧି ଯୋଜନାରେ ସମ୍ବଲପୁର ଜିଲ୍ଲାର ପାଖାପାଖି ୬୧ ହଜାର ୨୩୭ ଜଣ ଚାଷୀଙ୍କୁ
ପ୍ରାୟ ୧୨ କୋଟି ଟଙ୍କା ମିଳିଛି । ଏହି ଅବସରରେ ରାଜ୍ୟ ସରକାରଙ୍କ ‘ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା’ରେ ବିଭିନ୍ନ ଚାଷୀମାନଙ୍କୁ ସହାୟତା
ରାଶି ମଧ୍ୟ ହସ୍ତାନ୍ତରଣ କରାଯାଇଛି । ପିଏମ
କିଷାନ ସମ୍ମାନ ନିଧି ଯୋଜନାରେ ଡିବିଟି ମାଧ୍ୟମରେ ଟଙ୍କା ଗ୍ରହଣ କରିଥିବା ଏବଂ ମୁଖ୍ୟମନ୍ତ୍ରୀ
କୃଷି ଉଦ୍ୟୋଗ ଯୋଜନାରେ ଉପକୃତ ହୋଇଥିବା ଅନ୍ନଦାତାମାନଙ୍କୁ ଶୁଭେଚ୍ଛା ଜଣାଇବା ସହ
ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ।
ସେହିପରି ଜିଲ୍ଲାରେ ୨ ଲକ୍ଷ ୬୦ ହଜାର ମା'
ଭଉଣୀଙ୍କୁ
ସୁଭଦ୍ରା ଯୋଜନାରେ ପ୍ରାୟ ୨୬୦ କୋଟି ଟଙ୍କା ଦିଆଯାଇଛି । ମହିଳାମାନଙ୍କୁ ବିନା ସୁଧରେ ୪୨୫
କୋଟିରୁ ଅଧିକ ଟଙ୍କାର ଋଣ ମିଳିଛି । ଚାଷୀମାନଙ୍କୁ କମ ସୁଧରେ ପ୍ରାୟ ୫ ହଜାର କୋଟି ଟଙ୍କା ଋଣ
ଆକାରରେ ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ୧୧୨ଟି ବର୍ଗରେ ଫସଲ, ଗୋପାଳନ, ମତ୍ସ୍ୟ ଚାଷ ସମେତ ସବୁ ବର୍ଗର
ଚାଷୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଆର୍ଥିକ ରାଶି ପ୍ରଦାନ କରାଯାଉଛି । ସବସିଡି ବି ପ୍ରଦାନ
କରାଯାଉଛି । କେନ୍ଦ୍ର ବଜେଟରେ ଡାଲି ଉତ୍ପାଦନରେ ଆତ୍ମନିର୍ଭର ହେବା ତୈଲ ଜାତୀୟ ଫସଲକୁ
ପ୍ରୋତ୍ସାହନ ଦେବା ଉପରେ ଗୁରୁତ୍ୱ ଦିଆଯାଉଛି ।
ଆଗାମୀ ଦିନରେ ଭାରତ ସରକାରଙ୍କ ସହଯୋଗରେ ଏହି ଅଞ୍ଚଳରେ ପ୍ରାୟ ୧୦୦ କୋଟି ଟଙ୍କା ବ୍ୟୟରେ
ଅତ୍ୟାଧୁନିକ ମତ୍ସ୍ୟ ପ୍ରକ୍ରିୟାକରଣ ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା ହେବ । ଏକ ଇଏସଆଇ
ହସ୍ପିଟାଲ କରିବା ପାଇଁ ମଧ୍ୟ ଯୋଜନା ହେଉଛି । ନୀଳଡୁଙ୍ଗୁରି ମାର୍କେଟି ଟର୍ମିନାଲର
ପ୍ରସ୍ତାବକୁ ପୁନର୍ବାର କରିବା ପାଇଁ କାମ ଆରମ୍ଭ ହୋଇଛି । ଚିପିଲିମାର କୃଷି ବିଶ୍ୱବିଦ୍ୟାଳୟକୁ
ସମ୍ପୂର୍ଣ୍ଣ ଭାବେ ସ୍ୱତନ୍ତ୍ର କୃଷି ବିଦ୍ୟାଳୟରେ ପରିଣତ କରିବା ନେଇ କଳ୍ପନା ରହିଛି ।
ଜଙ୍ଗଲଜାତ ଉତ୍ପାଦ ପାଇଁ ଏଗ୍ରୋଫରେଷ୍ଟ୍ରି କୋର୍ସ କରାଯିବାର ଯୋଜନା ରହିଛି । ସମ୍ବଲପୁର
ଜିଲ୍ଲାରେ ପାଖାପାଖି ୧୫ ଲକ୍ଷ ଲୋକମାନେ ବାସ କରୁଛନ୍ତି । ସେମାନଙ୍କ ଏ ଜୀବନରେ ସମ୍ପନ୍ନତା
ଆଣିବା ଆମର ଲକ୍ଷ୍ୟ ରହିଛି । “ସବକା ସାଥ୍ – ସବକା ବିକାଶ”କୁ ଶାସନର ମୂଳ ମନ୍ତ୍ର କରିଥିବା
ମୋଦୀ ସରକାର ସମ୍ବଲପୁର ଜିଲ୍ଲାକୁ କୃଷି ଓ ଗ୍ରାମ୍ୟ ଆଧାରିତ ଅର୍ଥନୀତିର ପେଣ୍ଠସ୍ଥଳୀ କରିବା
ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି ।
ଉଲ୍ଲେଖନୀୟ ଯେ, ଶ୍ରୀ ପ୍ରଧାନ
ସମ୍ବଲପୁରରେ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଆୟୋଜିତ ମେଳା ବୁଲିବା ସହ ଚାଷୀମାନଙ୍କ କଥା
ହୋଇଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଅନିଲ