ଖୋର୍ଦ୍ଧା, 31 ମେ (ହି.ସ.) - ଓଡ଼ିଶା ବିଧାନ ସଭା ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ,ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ସ୍ଥାୟୀ ସ୍ତାଣ୍ଡିଂ କମିଟି ୯ମ ,ମାନ୍ୟବର ବିଧାୟକ, ବଡ଼ସାହି ସନାତନ ବିଜୁଳିଙ୍କ ଅଧ୍ୟକ୍ଷତାରେ ବିଧାୟକ ବାଙ୍କୀ , ଦେବୀ ରଞ୍ଜନ ତ୍ରିପାଠୀ, ବିଧାୟକ ପାଟକୁରା, ଅରବିନ୍ଦ ମହାପାତ୍ର, ବିଧାୟକ ବଡ଼ଚଣା, ଅମର କୁମାର ନାୟକ, ବିଧାୟକ କବିସୂର୍ଯ୍ୟ ନଗର, ପ୍ରତାପ ଚନ୍ଦ୍ର ନାୟକ, ବିଧାୟକ ଖଣ୍ଡପଡ଼ା, ଦୁଷ୍ମନ୍ତ କୁମାର ସ୍ବାଇଁ ଏବଂ ବିଧାୟକ ସୁରଡା , ନୀଳମଣି ବିଶୋଇଙ୍କୁ ନେଇ କମିଟି ଆଜି ପୂର୍ବାହ୍ନରେ ଟାଙ୍ଗୀ ବ୍ଲକ୍ ରାମେଶ୍ବର ଠାରେ ଜଳ ଜୀବନ ମିଶନ ଅନୁଦାନ ରେ ୧୨୧.୪୫ କୋଟି ବ୍ୟୟ ଅଟକଳରେ ଏନ୍ ସି ସି ଲିମିଟେଡ କମ୍ପାନୀ ଦ୍ଵାରା ନିର୍ମାଣଧୀନ ମେଗା ପାଇପ ପାନୀୟ ଜଳ ପ୍ରକଳ୍ପ ର ବିଭିନ୍ନ କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ କରି ଥିଲେ l କମିଟିର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଜୁଳି ଓ କମିଟି ସଦସ୍ୟ ମାନେ ପ୍ଲାଣ୍ଟ ର ସମସ୍ତ କ୍ଷେତ୍ର ପରିଦର୍ଶନ ଓ ଅନୁଧ୍ୟାନକରି ସମ୍ରୁକ୍ତ ମୁଖ୍ୟଯନ୍ତ୍ରୀ ଈଂ ସୁରେନ୍ଦ୍ର କୁମାର ବେହେରା, ଖୋର୍ଦ୍ଧା ଅଧିକ୍ଷଣ ଯନ୍ତ୍ରୀ ରଶ୍ମିତା ଦାସ,ଏନ୍ ସି ସି ଲିମିଟେଡ ପ୍ରକଳ୍ପ ପରିଚାଳକ ଙ୍କୁ ପ୍ରକଳ୍ପ ସମ୍ବନ୍ଧୀୟ ବିଭିନ୍ନ ତଥ୍ୟ ସହ ବିଭିନ୍ନ କାର୍ଯ୍ୟକ୍ରମ ସମ୍ବନ୍ଧରେ ପଚାରି ବୁଝିଥିଲେ l ଏନ୍ ସି ସି ଲିମିଟେଡ କମ୍ପାନୀ ପାରିପାର୍ଶ୍ବିକ ଉନ୍ନତି ସାମାଜିକ ଦାୟିତ୍ବ ପୂର୍ଣ୍ଣ ମାତ୍ରାରେ ନିର୍ବାହ ନ କରୁଥିବା ହେତୁ ତାଗିଦ୍ କରିବାସହ ସ୍ଥାନୀୟ ରାସ୍ତା ଘାଟ ମରାମତି, ସ୍କୁଲ ମାନଙ୍କରେ ପାନୀୟଜଳ ଯୋଗାଣ, ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ଥଣ୍ଡା ପାନୀୟ ଜଳ ଆକ୍ୱାଗାର୍ଡ ଲଗାଇବା, ବିଭିନ୍ନ ସ୍ୱାସ୍ଥ୍ୟ କ୍ୟାମ୍ପ କରି ସ୍ଵାସ୍ଥ୍ୟ ସେବା ଯୋଗାଇ ଦେବା, ସ୍ଥାନୀୟ ଶ୍ରମିକଙ୍କୁ କାର୍ଯ୍ୟରେ ନିୟୋଜିତ କରି ଶ୍ରମ ଆଇନ ଅନୁଯାୟୀ ଉପଯୁକ୍ତ ଅର୍ଥ ପ୍ରଦାନ କରି ପ୍ରକଳ୍ପର ବିସ୍ତୃତ ବିବରଣୀ ପ୍ରଦାନସହ ଯଥାଶୀଘ୍ର ସର୍ବୋତ୍ତମ ମାନର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ l ପ୍ରକାଶ ଥାଉକି ଟାଙ୍ଗି ବ୍ଲକର ଲେଣ୍ଡୁ, ଡିଆ, ନିରାକାରପୁର, ରାମେଶ୍ବର, ମଙ୍ଗଲାଯୋଡ଼ି, କନ୍ତାଳବାଇ, ଉଜ୍ୱାଲା ଗୋପୀନାଥପୁର,କମାଗୁଡ଼ା, ଅଛୁତ ତ୍ପୁରପାଟନା, ସରପାରି, ଟଙ୍କୋଲ, ଓଲାସିଂହ, ଛାଙ୍ଗିରି, ବଡପୋଖରିଆ,ସାନ ରାଉତ ପଡ଼ା, ନୂଆଗଡ ଓ ସୁନ୍ଦରପୁର କୁ ନେଇ ୧୭ଗୋଟି ଗ୍ରାମ ପଞ୍ଚାୟତର ୧୧୦ଗୋଟି ଗ୍ରାମର ବାସିନ୍ଦା ବିଶୁଧ୍ୟ ପାନୀୟଜଳ ସେବା ପାଇବାକୁ ଉପକୃତ ହେବେ l ଉକ୍ତ ପ୍ଲାଣ୍ଟ ପ୍ରତିଦିନ ୧୩.୭ମେଗାଲିଟର ଜଳ ଉତ୍ପାଦ କରି ବଣ୍ଟନ କରିବ l କମିଟିର ଉକ୍ତ କ୍ଷେତ୍ର ପରିଦର୍ଶନ ସମୟରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଜ୍ୟୋତି ଶଙ୍କର ସାହୁ ସ୍ଥାନୀୟ ଜନପ୍ରତିନିଧି, ଟାଙ୍ଗୀ ବି ଡି ଓ ରୁମାନା ଜାଫ୍ରି,ଏସ ଡି ଓ ବିଷ୍ଣୁପ୍ରିୟା ସାହୁ, ସହକାରୀ ଯନ୍ତ୍ରୀ ମଧୁସ୍ମିତା ମହାନ୍ତି ଯୋଗଦେଇଥିଲେ l ପରେ ଅପରାହ୍ନରେ କମିଟି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ମାନ୍ୟବର ବିଧାୟକ, ଜଟଣୀ, ବିଭୂତି ଭୂଷଣ ବଳବନ୍ତରାୟ, ମାନ୍ୟବର ବିଧାୟକ, ଜୟଦେବ ନବ କିଶୋର ମଲ୍ଲିକ, ଜିଲ୍ଲାପରିଷଦ ସଭାପତି ରୁପଶ୍ରୀରାନି ଗୁମାନ ସିଂହ, ଉପସଭାପତି ଗୋପୀନାଥ ମହାରଣା, ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଚଞ୍ଚଳ ରାଣା,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଶ୍ରୀ ଜ୍ୟୋତି ଶଙ୍କର ସାହୁ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ମୁଖ୍ୟ ଯନ୍ତ୍ରୀ ସୁରେନ୍ଦ୍ର କୁମାର ବେହେରା, ଅଧିକ୍ଷଣ ଯନ୍ତ୍ରୀ ରଶ୍ମିତା ଦାସ, ଗ୍ରାମ୍ୟ ଉନ୍ନୟନ ଅଧିକ୍ଷଣ ଯନ୍ତ୍ରୀ,ଡି ପି ସି ଓର୍ମାସ ଙ୍କ ସହ ସମୀକ୍ଷା ବୈଠକ ରେ ଯୋଗଦେଇ ଜିଲ୍ଲାର ସମସ୍ତ ୯ଗୋଟି ମେଗା ପାନୀୟ ଜଳ ପ୍ରକଳ୍ପ ଗୁଡ଼ିକର ସ୍ଥିତି ସମୀକ୍ଷା ସହ, ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନା ଯଥା ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଗ୍ରାମୀଣ, ଅମୃତ ସରୋବର ଯୋଜନା, ଗ୍ରାମ୍ୟ ସଡ଼କ ଯୋଜନା ପ୍ରକଳ୍ପ ଗୁଡ଼ିକର ଅଗ୍ରଗତି କାର୍ଯ୍ୟ, ଖୋଳା ଯାଇଥିବା ରାସ୍ତା ଗୁିଡି କ ର ତୁରନ୍ତ ମରାମତି, ଗ୍ରାମାଞ୍ଚଳ ସେତୁ, ରାସ୍ତା, ଗୃହ ନିର୍ମାଣ, ଅନ୍ତୋଦୟ ଗୃହ ନିର୍ମାଣ ଯୋଜନାର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଥିଲେ l ଅନ୍ତୋଦୟ ଗୃହ ଯୋଜନାରେ ୨୦୨୪-୨ ୫ବର୍ଷରେ ଲକ୍ଷ୍ୟଧାର୍ଯ୍ୟ ୧୭୫୫ଥିବାବେଳେ ୧୭୧୧ ପ୍ରକଳ୍ପକୁ ମୁଞ୍ଜୁରୀ ଦିଆଯାଇ ୧୬୩୫ ପ୍ରକଳ୍ପ/ହିତାଧିକାରୀଙ୍କୁ ପ୍ରଥମ କିସ୍ତି ପ୍ରଦାନ କଥା ଜାଣି ଅଧ୍ୟକ୍ଷ ଖୁସି ବ୍ୟକ୍ତ କରିଥିଲେ l ସେହିପରି ଆଦର୍ଶ କଲ୍ୟାଣ ମଣ୍ଡପ ଯୋଜନାକୁ ତ୍ବରାନ୍ବିତ କରିବାକୁ ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇ ମନରେଗା ଯୋଜନାର ସଫଳତା ପାଇଁ ପ୍ରଶାସନକୁ ପ୍ରଶଂସା କରିଥିଲେ l ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ବିଧାନ ସଭା ଷ୍ଟାଣ୍ଡିଂ କମିଟି ସହ ଆସିଥିବା ଅଧିକାରୀ ଅଶୋକ ବିଶ୍ଵାଳ ଓ ସହ କର୍ମୀ, ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଗଣମାଧ୍ୟମ ପ୍ରତିନିଧି ଯୋଗଦେଇଥିଲେ l ପ୍ରାରମ୍ଭରେ ଜିଲ୍ଲା ପ୍ରଶାସନ ପକ୍ଷରୁ କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଜୁଳି ଏବଂ ସଦସ୍ୟ ମାନଙ୍କୁ ଉତ୍ତରୀୟ ଓ ବୃକ୍ଷ ଚାରା କୁଣ୍ଡ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା l
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ