ଭୁବନ, ୧ ଜୁନ୍ (ହି.ସ.)- ଭୁବନ ଏନ୍ ଏ ସି ଅନ୍ତର୍ଗତ ୧ ନମ୍ବର ୱାର୍ଡ ସ୍ଥିତ ବେଣା ଗାଡିଆ ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ସ୍ଥାନୀୟ ପାଲା ମଣ୍ଡପ ୱାର୍ଡ ନମ୍ବର ୪ ସାହୁଘର ପାଟଣା ନିବାସୀ ଡମ୍ବରୁଧର ସାହୁ (୭୨) ଶନିବାର ରାତ୍ର ୧୧ଟା ସମୟରେ ଖିଆପିଆ ସାରି ବାହାରକୁ ବୁଲିବାକୁ ଯାଇଥିଲେ । ଆଜି ରବିବାର ସକାଳେ ଅଜଣା ବ୍ୟକ୍ତିଙ୍କ ମରଶରୀର ବେଣା ଗାଡିଆ ପୋଖରୀରେ ଭାସୁଥିବା ଖବର ପାଇ ପରିବାର ବର୍ଗ ଆସି ଶବ ଚିହ୍ନଟ କରିଥିଲେ । ଦମକଳ ବାହିନୀ ଶବ ଉଦ୍ଧାର କରିଥିଲା । ମୃତକଙ୍କ ପୁତ୍ର ମଳୟ ସାହୁ (୪୦)ଙ୍କ ଅଭିଯୋଗ କ୍ରମେ ଭୁବନ ପୋଲିସ ଶବ ବ୍ୟବଚ୍ଛେଦ କରାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ