ଜୟପୁର, ୧ ଜୁନ୍ (ହି.ସ.)- ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ବିଶୁଦ୍ଧ ପାନୀୟ ଜଳ, ପକ୍କା ରାସ୍ତା ଓ ଆବାସ ଘର ନିମନ୍ତେ ସଂଘର୍ଷ କରୁଛନ୍ତି ଗ୍ରାମବାସୀ l ଗାଁ ଟି ମୌଳିକ ସୁବିଧାରୁ ବଞ୍ଚିତ ରହି ବିକାଶର ବାଟ ଖୋଜୁଛି l କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ମାଝୀଗୁଡା ପଂଚାୟର କସାପକନା ଗାଁରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି l ଗାଁ ରେ ନାହିଁ ପକ୍କା ରାସ୍ତା, ବାଇକ ତ ଦୂର ଚାଲି କି ଯିବା ବି କଷ୍ଟକର । ଆଉ ବର୍ଷା ଆସିଲେ ପ୍ରତିଦିନ କାଦୁଅ ରାସ୍ତାରେ ଘାଣ୍ଟି ହେଉଛନ୍ତି ଗାଁ ଲୋକେ l ଏମିତିକି ଜରୁରୀକାଳୀନ ପରିସ୍ଥିତିରେ ଏମାନଙ୍କୁ ଆମ୍ବୁଲାନ୍ସ ସେବା ମିଳେନି l ଖଟିଆରେ ରୋଗୀ ବୁହା ହୁଅନ୍ତି l ପ୍ରଶାସନ ପକ୍ଷରୁ ଗାଁ ଲୋକଙ୍କ ବିଶୁଦ୍ଧ ପାନୀୟ ଜଳ ପାଇଁ ନଳକୂପ ଖନନ ହୋଇଛି, କିନ୍ତୁ ସେଥିରୁ ବାହାରୁଛି ଦୂଷିତ ପାଣି l ନଳକୂପର ଗୋଳିଆ ପାଣି ବ୍ୟବହାର କରିପାରୁନାହାନ୍ତି l ଏଣୁ ବାଧ୍ୟ ହୋଇ ଚୁଆ ପାଣି ଉପରେ ଗାଁଲୋକେ ଭରସା କରନ୍ତି l ସେପଟେ ଗାଁ ଭିତରେ ଆଖି ଜୁଆଡେ ଯାଉଛି କେବଳ ନୁଆଣିଆ ଚାଳ ଘର ଆଉ ଟିଣ ଘର । କୋଉଠି ବି ଦେଖିବାକୁ ମିଳୁନି ଗୋଟିଏ ପକ୍କା ଘର । ମନେ ହୁଏ ସରକାରଙ୍କ ପକ୍କା ଘର, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆଦି ଏଠାକାର ବାଟ ଭୁଲିଯାଇଛି l ଏହି ଅବହେଳିତ ପାହାଡ ଜଙ୍ଗଲ ଘେରା ଉପାନ୍ତ ଅଞ୍ଚଳରେ କମାର, ଗଦବା, ପରଜା ସମ୍ପ୍ରଦାୟର ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ ଲୋକ ବସବାସ କରନ୍ତି। ହେଲେ ଏମାନଙ୍କ କଷ୍ଟ ଯେପରି ଏଇ ଘଞ୍ଚ ଜଙ୍ଗଲ ଭିତରେ ଅଦୃଶ୍ୟ ହୋଇଯାଇଛି । ଏ ସମସ୍ୟା ଯେପରି ଆଉ ସୁଧୁରିବନି, ତାହା ମଧ୍ୟ ଏଠାକାର ଲୋକଙ୍କ କଥାରୁ ବାରି ହୋଇଯାଉଛି । ଏହି ଗାଁ ପ୍ରତି କେବେ ପ୍ରଶାସନ ଦୃଷ୍ଟି ଦେବେ ଆଉ କେବେ ସମସ୍ୟାର ସମାଧାନ କରିବେ ତାହାହିଁ ଦେଖିବାକୁ ବାକି ରହିଲା l
ହିନ୍ଦୁସ୍ଥାନ ସମାଚାର / ପିକେପି