ଭୁବନେଶ୍ୱର, ୦୧ ଜୁନ (ହି.ସ.) - ଓଡ଼ିଶାରେ କାର୍ଯ୍ୟରତ ସାମ୍ବାଦିକମାନେ ଏକଜୁଟ ହେଲେ ରାଜ୍ୟ ସରକାର ଏବଂ ସମ୍ବାଦପତ୍ର ଶିଳ୍ପର ସହଯୋଗରେ ସାମ୍ବାଦିକମାନଙ୍କୁ ଅବଦାନମୂଳକ ପେନସନ ମିଳିବାରେ କୌଣସି ଅସୁବିଧା ହେବ ନାହିଁ ବୋଲି ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ ପ୍ରକାଶ କରିଛନ୍ତି। ଓଡ଼ିଶା ପ୍ରେସ୍ ଏକାଡ଼େମୀର ୩୧ତମ ବାର୍ଷିକ ଉତ୍ସବ ଅବସରରେ ଶ୍ରୀ ଘଡ଼ାଇ କହିଛନ୍ତି ଯେ, ସମସ୍ତଙ୍କ ମିଳିତ ଉଦ୍ୟମରେ ଆଶା କରାଯାଉଥିବା କାର୍ଯ୍ୟ ନିଶ୍ଚୟ ପୂରଣ ହୋଇପାରିବ।
ଅନ୍ୟତମ ଅତିଥି ପୂର୍ବତନ ଯାଜପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ତଥା ବିଜେପିର ବରିଷ୍ଠ ନେତା ଶ୍ରୀ ଗୌତମ ରାୟ ତାଙ୍କର ଅଭିଭାଷଣରେ ସାମ୍ବାଦିକମାନଙ୍କ ନ୍ୟାର୍ଯ୍ୟଦାବିକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନିକଟରେ ଉପସ୍ଥାପନ କରିବା ସହ ପ୍ରେସ୍ ଏକାଡ଼େମୀ ପକ୍ଷରୁ ଉଦ୍ୟମ ହେଉଥିବା ପେନସନ ଯୋଜନାକୁ ଲାଗୁ କରିବା ପାଇଁ ପ୍ରସ୍ତାବ ଦିଆଯିବ। ଅନ୍ୟତମ ଅତିଥି ଶ୍ରୀ ପଦ୍ମନାଭ ବିଶ୍ୱାଳ, ବିଶିଷ୍ଟ ଶିକ୍ଷାବିତ୍ ଡଃ ବିଷ୍ଣୁଚରଣ ସାହୁ, ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘର ସଭାପତି ଶ୍ରୀ ସୁଜ୍ଞାନ ଚୌଧୁରୀ ଓ ବରିଷ୍ଠ ସାମ୍ବାଦିକ ଶ୍ରୀ ରବି ରାୟ ପ୍ରମୁଖ ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ଏହି ଉତ୍ସବରେ ଓଡ଼ିଶା ପ୍ରେସ୍ ଏକାଡ଼େମୀର ଉପସଭାପତି ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ସଭାପତିତ୍ୱ କରିଥିଲେ।
ପ୍ରାରମ୍ଭରେ ଓଡ଼ିଶା ପ୍ରେସ୍ ଏକାଡ଼େମୀର ଅଧ୍ୟକ୍ଷ ଶ୍ରୀ ସଞ୍ଜୟ କୁମାର ପ୍ରଧାନ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହ ସାମ୍ବାଦିକମାନଙ୍କର ଦୀର୍ଘଦିନର ଦାବୀକୁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଆଗାମୀ ଜୁଲାଇ ମାସ ପହିଲାରୁ ସାମ୍ବାଦିକମାନଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ମୂଲ୍ୟର ଔଷଧ ମେଡିସିନ୍ ବ୍ୟାଙ୍କ ଜରିଆରେ ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି। କର୍ମଜୀବି ସାମ୍ବାଦିକମାନଙ୍କ ପାଇଁ ଉପଲବ୍ଧ ସ୍ୱାସ୍ଥ୍ୟବୀମା କ୍ଷେତ୍ରରେ ୧ ଲକ୍ଷ ଟଙ୍କା ମୂଲ୍ୟର କ୍ୟାସ୍ଲେସ୍ ବୀମା ସହ ୫ ଲକ୍ଷ ଟଙ୍କା ମୂଲ୍ୟର ବୀମାରାଶି ମେଡ଼ିସିନ୍ ବ୍ୟାଙ୍କ ଏବଂ ବୀମା କମ୍ପାନୀ ସହଯୋଗରେ ଉପଲବ୍ଧ ହେବା ପାଇଁ ବ୍ୟବସ୍ଥା କରାଯାଉଛି। ଶେଷରେ ବରିଷ୍ଠ ସାମ୍ବାଦିକ ଶ୍ରୀ ବଳରାମ କାନନୁଗୋ ଧନ୍ୟବାଦ ଅର୍ପଣ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା