ପୁରୀ,୧୦ ଜୁନ୍ (ହି.ସ.)- ବୁଧବାର ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଶ୍ରୀମନ୍ଦିର ସ୍ନାନ ବେଦିରେ ଦାରୁବ୍ରହ୍ମଙ୍କ ଦିବ୍ଯସ୍ନାନ ଦର୍ଶନ ସମେତ ଗଜାନନ ବେଶ ଦର୍ଶନ କରିବେ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁ । ଏନେଇ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ଯାପକ ବ୍ଯବସ୍ଥା କରାଯାଇଛି । ସ୍ନାନମଣ୍ଡପକୁ ଧଳା ଚୂନ ରଙ୍ଗ କରାଯିବା ସହ ଧଳାକନାରେ ଟେଣ୍ଟ କରାଯାଇଛି । ସୁସଜ୍ଜିତ ସୁଗନ୍ଧିତ ଫୁଲ ସହ ଆଲୋକ ମାଳା ବ୍ଯବସ୍ଥା କରାଯାଇଛି ।
ପ୍ରାତଃ ୪ଟା ୩୦ରେ ମଙ୍ଗଳାର୍ପଣ, ୫ଟାରୁ ୭ଟା ଡୋରଲାଗି ପୁଷ୍ପାଞ୍ଜଳି ସହ ପହଣ୍ଡି ଆରମ୍ଭ ହେବ । ସକାଳ ୯ଟାରେ ମଙ୍ଗଳଆଳତି, ୯ଟା ୧୫ରେ ମଇଲମ, ୯ଟା ୨୫ରେ ତଡପଲାଗି, ୯ଟା ୪୫ରେ ଅଧରପୋଛା, ୧୦ଟା ୨୦ରେ ଅବକାଶ ପୂଜା କରାଯିବ । ୧୦ଟା ୨୦ରେ ରୋଷହୋମ, ୧୦ଟା ୩୦ରେ ସୂର୍ଯ୍ଯ ପୂଜା, ୧୦ଟା ୫୫ରେ ଦ୍ବାରପାଳ ପୂଜା ହୋଇ ୧୧ଟା ୧୦ରେ ବେଶ ଶେଷ ହେବ । ଅପରାହ୍ନ ୧୨ଟା ୨୦ରୁ ୧ଟା ୪୫ ମଧ୍ୟରେ ଜଳବିଜେ ପୂଜା ଓ ସ୍ନାନ ନୀତି ଅନୁଷ୍ଠିତ ହେବ । ୨ଟା ୫୦ରେ ମଇଲମ, ମେକାପ, ସର୍ବାଙ୍ଗ, ନୂଆଲୁଗା ଲାଗି ବେଶ ନୀତି ଅନୁଷ୍ଠିତ ହେବ । ୩ଟା ୩୦ରେ ଛେରାପହଁରା, ୪ଟା ୩୦ରେ ହାତୀବେଶ ଓ ମହନ୍ତ ଶାଢୀ ବନ୍ଧା, ୫ଟା ୪୫ରୁ ୭ଟା ୨୦ ଘଣ୍ଟ ଛତା ସକାଳଧୂପ, ୬ଟା ୩୦ରେ ଦକ୍ଷିଣ ଘର ଭୋଗ ନୀତି ଅନୁଷ୍ଠିତ ହେବ । ସର୍ବସାଧାରଣ ସାହାଣମେଲା ସଂଧ୍ଯା ସାଢେ ୭ଟାରୁ ସାଢେ ୧୦ଟା ପର୍ଯ୍ୟନ୍ତ ଚାଲୁରହିବ । ରାତି ୧୧ଟାରେ ହାତୀବେଶ ମଇଲମ, ୧୧ଟା ୧୦ରେ ପୁଷ୍ପାଞ୍ଜଳି ଓ ଡୋରଲାଗି, ୧୧ଟା ୩୦ରୁ ୨ଟା ବାହୁଡା ପହଣ୍ଡି ଅନୁଷ୍ଠିତ ହେବ । ରାତି ୨ଟା ୩୦ରେ ସୁନାଚିତା ଓ ରାହୁରେଖା ମଇଲମ କରାଯିବ । ପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ, ମା ସୁଭଦ୍ରା ଓ ଚକ୍ରରାଜ ଶ୍ରୀସୁଦର୍ଶନ ସ୍ନାନମଣ୍ଡପରେ ବିଜେ କରିବେ। ସୁଗନ୍ଧିତ ଅଭିମନ୍ତ୍ରିତ ଅଧିବାସ ୧୦୮ କଳସ ଜଳରେ ସ୍ନାନ କରିବେ । ସମସ୍ତ ନୀତିକାନ୍ତି ପରେ ଗଜାନନ ବେଶରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ଦାରୁବ୍ରହ୍ମ । ସକାଳୁ ରାତି ପର୍ଯ୍ୟନ୍ତ ଭକ୍ତଙ୍କ ଭିଡ ଲାଗିରହିବା ସହ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବ । ବଡଦାଣ୍ଡ ମାର୍କେଟ ଛକ ଠାରୁ ବ୍ଯାରିକେଡ ଭିତର ଦେଇ ସିଂହଦ୍ବାର ପର୍ଯ୍ୟନ୍ତ ଭକ୍ତ ଓ ଶ୍ରଦ୍ଧାଳୁ ଯିବା ପାଇଁ ବ୍ଯବସ୍ଥା କରାଯାଇଛି । ସିଂହଦ୍ବାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରି ଦର୍ଶନ ପରେ ଉତ୍ତରଦ୍ବାର ଦେଇ ପ୍ରସ୍ଥାନ କରିବେ । ପାରିମାଣିକ ଟିକେଟ କରିଥିବା ଭକ୍ତ ମାନେ ଦକ୍ଷିଣ ଦ୍ବାର ଦେଇ ଯାଇ ଦର୍ଶନ କରି ଉତ୍ତରଦ୍ବାର ଦେଇ ଫେରିବେ । ସ୍ନାନମଣ୍ଡପ ସମ୍ମୁଖରେ ଛିଡା ହୋଇ ଦର୍ଶନ କରିପାରିବେ କିନ୍ତୁ ସ୍ନାନମଣ୍ଡପ ଉପରକୁ ଯାଇପାରିବେ ନାହିଁ । ପ୍ରବଳ ଖରା ବର୍ଷା ପାଇଁ ବ୍ଯାରିକେଡ ଉପରେ ରଙ୍ଗୀନ କନା ବନ୍ଧା ଯାଇଛି । ପାନୀୟଜଳ ଯୋଗାଣ ବ୍ଯବସ୍ଥା ମଧ୍ୟ କରାଯାଇଛି । ଶ୍ରଦ୍ଧାଳୁ ମାନେ ମାର୍କେଟ ଛକ ଓ ମରଚିକୋଟ ଛକ ଠାରେ ଅସ୍ଥାୟୀ ଷ୍ଟାଣ୍ଡରେ ଜୋତା, ଚପଲ, ମୋବାଇଲ ଓ ନିଜର ବ୍ଯାଗ ରଖିପାରିବେ । ସିଂହଦ୍ବାର ସମ୍ମୁଖ ବଡଦାଣ୍ଡରେ ଛିଡା ହୋଇ ପ୍ରଭୁଙ୍କ ଦର୍ଶନ କରିପାରିବେ । ଠାକୁରଙ୍କ ପହଣ୍ଡି ସମୟରେ କୌଣସି ଭକ୍ତ ଠାକୁରଙ୍କୁ ସ୍ପର୍ଶ କରିପାରିବେ ନାହିଁ । ସିଂହଦ୍ବାର ସମ୍ମୁଖରେ ଆମ୍ବୁଲାନ୍ସ ଓ ଅଗ୍ନିଶମ ବାହିନୀ ସଜାଇ ହୋଇ ରହିଛନ୍ତି । ଶ୍ରୀମନ୍ଦିର ଚାରିପଟ ସମେତ ମାର୍କେଟ ଛକରୁ ସିଂହଦ୍ବାର ପର୍ଯ୍ୟନ୍ତ ନୋ ଭେହିକିଲ ଜୋନ କରାଯାଇଛି । ପୁରୀ ବାହାରୁ ଆସୁଥିବା ଦୁଇ ଚକିଆ ଗାଡି ଗୁଡିକ ପାଇଁ ମାର୍କେଟ ଛକ, ମାର୍କେଟ କମ୍ପ୍ଲେକ୍ସ ଓ ଜଗନ୍ନାଥ ବଲ୍ଲଭ ମଠରେ ପାର୍କିଂ ବ୍ଯବସ୍ଥା କରାଯାଇଛି । ଭୁବନେଶ୍ବରରୁ ଆସୁଥିବା ଗାଡିଗୁଡିକ ଜେଲ ରୋଡ ପାର୍କିଂ ଓ ଶରଧାବାଲିରେ ପାର୍କିଂ କରିପାରିବେ । ବ୍ରହ୍ମଗିରିରୁ ଆସୁଥିବା ଚାରିଚକିଆ ଗାଡିଗୁଡିକ ମଙ୍ଗଳାଘାଟରୁ ଷ୍ଟ୍ରଲିନ ରାସ୍ତା ଦେଇ ଯାତ୍ରିକା ପଡିଆରେ ପାର୍କିଂ କରିବେ । କୋଣାର୍କରୁ ଆସୁଥିବା ଚାରିଚକିଆ ଗାଡିଗୁଡିକ ତାଳବଣିଆ ଓ ଶରଧାବାଲି ପାର୍କିଂ ଠାରେ ରହିବେ । ଶ୍ରୀମନ୍ଦିର ଭିତରେ ଭିଡ଼ ନିୟନ୍ତ୍ରଣ ପାଇଁ ୩୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ ବ୍ଯବସ୍ଥା ପାଇଁ ୭୦ ପ୍ଲାଟୁନ ପୋଲିସ ଫୋର୍ସ ସମେତ ୪୫୦ ଜଣ ବରିଷ୍ଠ ପୋଲିସ ଅଧିକାରୀ ନିୟୋଜିତ ହୋଇଛନ୍ତି । ପୁରୀ ଏସପି ନିଜେ ସମସ୍ତ ଦାୟୀତ୍ବ ତଦାରଖ କରିବା ସହ ୪ ଏସପି ପାହ୍ୟାର ଅଧିକାରୀ ମାନେ ସୁରକ୍ଷା ବ୍ୟବସ୍ଥା ତଦାରଖ କରୁଛନ୍ତି । ସାଧା ପୋଷାକଧାରୀ ପୋଲିସ ଅଫିସରଙ୍କ ସମେତ ସିସିଟିଭିରେ ସମସ୍ତ ବ୍ଯବସ୍ଥାକୁ ନଜର ରଖାଯାଇଛି । ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଶୃଙ୍ଖଳିତ ଦର୍ଶନ ଓ ସୁଖଦ ଅନୁଭୂତି ନେଇ ଫେରିବେ ସେଥିପାଇଁ ସମସ୍ତ ବ୍ଯବସ୍ଥା କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ବିଜୟ