ରକ୍ତହୀନତା ଏବଂ ଦୃଷ୍ଟି ସମସ୍ୟା ନିରାକରଣ ପାଇଁ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ
ଭୁବନେଶ୍ୱର, 10 ଜୁନ (ହି.ସ.) ମହିଳା ଓ କିଶୋରୀମାନଙ୍କର ରକ୍ତହୀନତା ଏବଂ ପିଲାମାନଙ୍କର ଦୃଷ୍ଟି ସମସ୍ୟା ନିରାକରଣ ଉପରେ ରାଜ୍ୟପାଳ ଡ଼ ହରି ବାବୁ କମ୍ଭମ୍ ପାଟି ଗୁରୁତ୍ୱାରୋପ କରିଛନ୍ତି । ଚଳିତ ଜୁନ ୧୦ ତାରିଖ ଦିନ ଭୁବନେଶ୍ୱରସ୍ଥିତ ରାଜ୍ୟ ମହିଳା ଏବଂ ଶିଶୁ ପ୍ରତିଷ୍ଠାନ ପରିଦର୍ଶନ ସମୟରେ ବୃଦ୍ଧି ପାଉଥିବା ରକ୍ତହୀନତା ଓ ଦୃଷ୍ଟି ସମସ୍ୟା ଚିନ୍ତାଜନକ ବୋଲି ରାଜ୍ୟପାଳ କହିବା ସହିତ ଏହାର ନିରାକରଣ ଉପରେ ଆଲୋକପାତ କରିଥିଲେ । ନିୟମିତ ପରୀକ୍ଷା ଏବଂ ପୁଷ୍ଟିକର ଖାଦ୍ୟର ଆବଶ୍ୟକତା ଉପରେ ରାଜ୍ୟପାଳ ଗୁରୁତ୍ୱାରୋପ କରି ହିମୋଗ୍ଲୋବିନ ସ୍ତରକୁ ଉନ୍ନତ କରିବାରେ ସାହାଯ୍ୟ କରିବା ପାଇଁ ଦୈନନ୍ଦିନ ଖାଦ୍ୟରେ ଗାଜର- ବିଟ୍ ଜୁସ୍, ଚିକି ଭଳି ଖାଦ୍ୟ ସମଗ୍ରୀ ସାମିଲ କରିବାକୁ ପରାମର୍ଶ ଦେଇଥିଲେ । ଏହିପରି ଖାଦ୍ୟପେୟର ଉପଯୋଗୀତା ଜାଣିବା ପାଇଁ ପରବର୍ତ୍ତୀ ପରୀକ୍ଷା ଉପରେ ମଧ୍ୟ ରାଜ୍ୟପାଳ ଗୁରୁତ୍ୱାରୋପ କରିଥିଲେ ।
ସ୍କୁଲ ପିଲାମାନଙ୍କ ମଧ୍ୟରେ ବର୍ଦ୍ଧିତ ଦୃଷ୍ଟି ସମସ୍ୟା ଉପରେ ରାଜ୍ୟପାଳ ଚିନ୍ତା ପ୍ରକଟ କରି ପ୍ରତ୍ୟେକ ସ୍କୁଲରେ ଅତି କମରେ ଜଣେ ଶିକ୍ଷକଙ୍କୁ ପିଲାଙ୍କର ଆଖି ସମସ୍ୟା ଚିହ୍ନଟ ପାଇଁ ମୌଳିକ ତାଲିମ ଦିଆଯିବାର ଆବଶ୍ୟକତା ରହିଛି ବୋଲି କହିବା ସହିତ ଏ ସମ୍ପର୍କରେ ସମ୍ପୃକ୍ତ ବିଭାଗ ସହ ଆଲୋଚନା କରିବେ ବୋଲି କହିଥିଲେ । ପରିଦର୍ଶନ ସମୟରେ ରାଜ୍ୟପାଳ ପ୍ରତିଷ୍ଠାନରେ ଉପଲବ୍ଧ ସୁବିଧା, ମାଳତୀ ଚୌଧୁରୀ ନିବାସ, ରେସିପି ଓ ଟୋୟାଥନ ପ୍ରଦର୍ଶନ ୟୁନିଟ, ମଡେଲ ଅଙ୍ଗନବାଡି କେନ୍ଦ୍ର, ଯୋଗକେନ୍ଦ୍ର ଏବଂ ପାଠାଗାର ପରିଦର୍ଶନ କରିଥିଲେ । ପ୍ରଶିକ୍ଷାର୍ଥୀମାନଙ୍କ ସହିତ ବାର୍ତ୍ତାଳାପ କରି ସେମାନଙ୍କର ତାଲିମ, ଉପଲବ୍ଧ ସୁବିଧା ଏବଂ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ସଚେତନ ଅଛନ୍ତି କି ନାହିଁ ପଚାରି ବୁଝିଥିଲେ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରବର୍ତ୍ତିତ ସମସ୍ତ ଯୋଜନାଗୁଡିକ ତାଲିକାଭୁକ୍ତ କରି ଏବଂ ପୁସ୍ତିକା ପ୍ରସ୍ତୁତ କରି ପ୍ରତିଷ୍ଠାନର ପ୍ରଶିକ୍ଷାର୍ଥୀମାନଙ୍କୁ ବଣ୍ଟନ କରିବାକୁ କର୍ମକର୍ତ୍ତାମାନଙ୍କୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ । ଏହା ହେଲେ ଆଗ ଧାଡ଼ିର କର୍ମୀମାନଙ୍କ ଦ୍ୱାରା ତୃଣମୂଳ-ସ୍ତରରେ ସଚେତନତା ବୃଦ୍ଧି କରିବାରେ ସହାୟକ ହେବ ଏବଂ ଅଧିକ ଲୋକ ବିଭିନ୍ନ ଯୋଜନାର ସୁଫଳ ପାଇପାରିବେ ବୋଲି କହିଥିଲେ ।
ଏହି ଅବସରରେ ପ୍ରତିଷ୍ଠାନର କାର୍ଯ୍ୟଧାରା ସମ୍ପର୍କିତ ତଥ୍ୟ ରାଜ୍ୟପାଳଙ୍କ ଅବଗତି ନିମନ୍ତେ ଉପସ୍ଥାପନ କରାଯାଇଥିଲା । ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ରାଜ୍ୟପାଳଙ୍କ ଗସ୍ତ ସମୟରେ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ