କେନ୍ଦୁଝର, 11 ଜୁନ୍ (ହି.ସ.)
ଆଜି କେନ୍ଦୁଝର ଜିଲ୍ଳାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ସ୍ନାନଯାତ୍ରା ରୀତିନୀତି ସହ ଶେଷ ହୋଇଛି। ସକାଳୁ ମହାପ୍ରଭୁଙ୍କ ପୂଜାର୍ଚ୍ଚନା ପରେ ଧାଡ଼ି ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରଥମେ ପ୍ରଭୁ ବଳଦେବଜିଉ, ପରେ ମା ସୁଭଦ୍ରା ଏବଂ ପରେ ଜଗନ୍ନାଥଙ୍କୁ ଧାଡ଼ି ପହଣ୍ଡି କରି ପହଣ୍ଡିଆ ସେବକ ମାନେ ମନ୍ଦିର ପରିସରରେ ଥିବା ସ୍ନାନ ବେଦୀକୁ ନେଇଥିଲେ। ସେଠାରେ ରୀତିନୀତି ଅନୁଯାୟୀ ୧୦୮ କଳସରେ ତିନି ପ୍ରଭୁଙ୍କୁ ସ୍ନାନ କରାଯାଇଛି।ଏଠାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିଛନ୍ତି ଶ୍ରୀଜୀଉ । ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ୩୫ ଗରା ଜଳ, ପ୍ରଭୁ ଶ୍ରୀ ବଳଦେବଜୀଉଙ୍କୁ ୩୩ ଗରା, ମା ସୁଭଦ୍ରାଙ୍କୁ ୨୨ ଗରା ଓ ସୁଦର୍ଶନଙ୍କୁ ୧୮ ଗରା ସୁବାସିତ ଜଳରେ ସ୍ନାନ କରାଯାଇଛି। ସ୍ନାନପରେ ଅପରାହ୍ନରେ ଗଜବେଶରେ ଦର୍ଶନ ଦେଇଛନ୍ତି। କେନ୍ଦୁଝର ଜିଲ୍ଳାର ଆରାଧ୍ୟ ଦେଵତା ଶ୍ରୀ ବଳଦେବଜୀଉଙ୍କ ବେଶ ତୁଳସୀ ଓ ଅଁଳାପତ୍ରରେ ପ୍ରସ୍ତୁତ ହୋଇଥାଏ। ଏହି ଗଜବେଶ ଦର୍ଶନ ପାଈଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଭିଡ ଜମାଉଛନ୍ତି। ଏହି ଦର୍ଶନ ରାତ୍ରି ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡି ଥିବାବେଳେ ଭିଡକୁ ଦେଖି ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA