ଜୟପୁର,୧୧ ଜୁନ୍ (ହି.ସ.) - ଆସନ୍ତା ୧୨ ତାରିଖରୁ କୋରାପୁଟ ପୁଲିସ ପଡିଆ ଠାରେ ବିକାଶ ମେଳା ଅନୁଷ୍ଠିତ ହେବ ବୋଲି କୋରାପୁଟ ଜିଲ୍ଲାପାଳ ଭି କିର୍ତୀ ଭାସନ କହିଛନ୍ତି । ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସେ ଏହି ସୂଚନା ପ୍ରଦାନ କରିଛନ୍ତି । ରାଜ୍ୟ ସରକାରଙ୍କ ଏକ ବର୍ଷପୂର୍ତି ଉପଲକ୍ଷେ କୋରାପୁଟ ଜିଲ୍ଲାରେ ମହାସମାରୋହରେ ବିକାଶ ମେଳା ସହିତ ପଲ୍ଲୀଶ୍ରୀ ମେଳା ଅନୁଷ୍ଠିତ ହେବ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକ ଲୋକେ କିପରି ଜାଣିପାରିବେ ଓ ଏହାର ଉପଯୋଗ କରିପାରିବେ ଏହାର ମୁଖ୍ୟ ଉଦେଶ୍ୟ ବୋଲି ସେ କହିଛନ୍ତି । ଜିଲାର ସମସ୍ତ ବିଭାଗ ଆନ୍ତରିକ ପ୍ରୟାସ କରି ଜିଲ୍ଲାରେ ବିକାଶ ମେଳାକୁ ସମ୍ପୂର୍ଣ୍ଣ ସଫଳ କରିବା ସହିତ ଲୋକ ମାନଙ୍କ ପାଖରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଉନ୍ନୟନ ଯୋଜନାର ବାର୍ତା ବିକାଶ ବାହାନ ମାଧ୍ୟମରେ ପହଞ୍ଚାଇବାକୁ ଲକ୍ଷ ରଖାଯାଇଛି । ପଂଚାୟତରାଜ ଓ ପାନୀୟ ଜଳ ବିଭାଗ ତଥା ଓଡିଶା ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସମିତି ଓରମାସ୍ ଆନୁକୁଲ୍ୟରେ ବିକାଶ ମେଳା ଏବଂ ଷ୍ଟଲ୍ ଲାଗିବ । ମିଶନ ଶକ୍ତି ବିଭାଗ ପକ୍ଷରୁ ସୁଭଦ୍ରା ପାରମ୍ପରିକ ଖାଦ୍ୟ ଷ୍ଟଲ ପ୍ରତିଯୋଗୀତା ଅନୁଷ୍ଠିତ ହେବ ବୋଲି ଜିଲ୍ଲାପାଳ କହିଛନ୍ତି । ଉତ୍ସବରେ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯିବ । ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଏକ ମାସ ଧରି ଜିଲ୍ଲାରେ ଏକ ମେଗା ସଫେଇ କାର୍ଯ୍ୟକ୍ରମ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀଭାସନ କହିଛନ୍ତି । ପ୍ରଥମ ଦିନ ଏକ ବିକାଶ ବାହାନ ରଥ ବାହାରି ସବୁ ବ୍ଲକ କୁ ବୁଲି ପ୍ରଚାର କରିବ ଓ ଏକ ପେଡ ମା କା ନାମ ରେ ଗଛ ଲଗାଯିବ ବୋଲି ସେ କହିଛନ୍ତି। ଆଜିର ଏହି ସମୀକ୍ଷା ବୈଠକରେ ଜିଲ୍ଳା ମୁଖ୍ୟ ଉନ୍ନୟନ ଅଧିକାରୀ ବେଣୁଧର ଶବର, ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ, ସମ୍ୱନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, କୋରାପୁଟର ପ୍ରକଳ୍ପ ପ୍ରଶାସିକା ସ୍ନେହାପ୍ରଭା ମାଝୀ, ଆ.ଏ. ଏସ ପ୍ରୋବେଶନର ସନ୍ତୋଷ କୁମାର ପାତ୍ର ପ୍ରମୁଖ ଯୋଗ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି