ଗଜାନନ ବେଶରେ ଦର୍ଶନଦେଲେ ଚତୁର୍ଦ୍ଧାମୂର୍ତ୍ତୀ
ଗଜାନନ ବେଶରେ ଦର୍ଶନଦେଲେ ଚତୁର୍ଦ୍ଧାମୂର୍ତ୍ତୀ ଚକା ଆଖିରେ ଲକ୍ଷାଧିକ ଭକ୍ତଙ୍କ ଆଖିଯାଇଛି ଲାଖି ହରିବୋଲ, ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହେଲା ଶ୍ରୀକ୍ଷେତ୍ର ଜନସମୁଦ୍ର ପାଲଟିଲା ଶ୍ରୀକ୍ଷେତ୍ର ପୁରୀ,, 11 ଜୁନ୍ (ହି.ସ.)- ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମା ବା ଦେବ ସ୍ନାନପୂର୍ଣିମାରେ ସ୍ନାନବ
ଗଜାନନ ବେଶରେ ଦର୍ଶନଦେଲେ ଚତୁଦ୍ଧ ମୂର୍ତ୍ତୀ


ଗଜାନନ ବେଶରେ ଦର୍ଶନଦେଲେ ଚତୁର୍ଦ୍ଧାମୂର୍ତ୍ତୀ

ଚକା ଆଖିରେ ଲକ୍ଷାଧିକ ଭକ୍ତଙ୍କ ଆଖିଯାଇଛି ଲାଖି

ହରିବୋଲ, ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହେଲା ଶ୍ରୀକ୍ଷେତ୍ର

ଜନସମୁଦ୍ର ପାଲଟିଲା ଶ୍ରୀକ୍ଷେତ୍ର

ପୁରୀ,, 11 ଜୁନ୍ (ହି.ସ.)- ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମା ବା ଦେବ ସ୍ନାନପୂର୍ଣିମାରେ ସ୍ନାନବେଦୀରେ ମହାର୍ଘ୍ୟ ଗଜାନନ ବା ହାତୀବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଛନ୍ତି ମହାପ୍ରଭୁ । ଅତ୍ୟନ୍ତ କମନିୟ ଭାବେ ମହାପ୍ରଭୁଙ୍କୁ ଏହି ଦୁର୍ଲଭ ହାତୀଦେଶରେ ସଜ୍ଜିତ କରାଯାଇଥିବା ବେଳେ ବେଶ ଦର୍ଶନ ପାଇଁ ବଡ଼ଦାଣ୍ଡରେ ଦେଖୁବାକୁ ମିଳିଥିଲା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ । ହରିବୋଲ ହୁଳହୁଳି ଧ୍ଵନୀରେ କମୁଥୁଲା ବଡ଼ଦାଣ୍ଡ । ସ୍ନାନପୂର୍ଣିମା ପାଇଁ ମଙ୍ଗଳବାର ବିଳମିତ ରାତ୍ରିରେ ଶ୍ରୀମନ୍ଦିରରେ ଶ୍ରୀମୁଖ ଖଣ୍ଡୁଆ ପରେ ଦଇତାପତି ମାନଙ୍କ ଦ୍ବାରା ବାହୁଟକଣ୍ଟ ନୀତି ସଂପାଦିତ ହୋଇଥିଲା। ଏହାପରେ କୋଠ ସୁଆଁସିଆ ମାନେ ଚାରବାନ୍ଧିବା ପାଇଁ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ। କୋଠ ସୁଆଁସିଆ ବାହାରିବା ପରେ ଦଇତାପତି ମାନଙ୍କ ଦ୍ୱାରା ସେନାପଟା ଲାଗି କରାଯାଇଥିଲା । ସେନାପଟା ଲାଗି ପରେ ମଙ୍ଗଳ ଆଳତି ନୀତି ସଂପାଦିତ ହୋଇଥିଲା । ପ୍ରଥମେ ବରୁଣ ପୂଜାପରେ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ପୂଜାପଣ୍ଡା, ଶ୍ରୀବଳରତ୍ନଙ୍କ ବାଡ଼ରେ ମୁଦିରସ୍ତ ଓ ଦେବୀ ସୁଭଦ୍ରାଙ୍କ ବାଡ଼ରେ ପତିମହାପାତ୍ର ମଙ୍ଗଳାର୍ପଣ କରିଥିଲେ ‌। ମଙ୍ଗଳାର୍ପଣ ନୀତିପରେ ନିର୍ଦ୍ଧାରିତ ନୀତିକାନ୍ତ ଅନୁଯାଇ ଘଣ୍ଟ ଘଣ୍ଟୁଆଙ୍କ ସହ ବିଜେ କାହାଳୀରେ ସ୍ନାନବେଦୀକୁ ପହଣ୍ଡି ଆରମ ହୋଇଥିଲା । ଧାଡ଼ି ପହଣ୍ଡିରେ ପ୍ରଥମେ ସୁଦର୍ଶନ, ଶ୍ରୀବଳଭଦ୍ର, ଦେବୀସୁଭଦ୍ରା ଓ ଶ୍ରୀ ଜଗନ୍ନାଥ ସ୍ନାନବେଦୀକୁ ବିଜେ କରିଥିଲେ । ଜଗମୋହନକୁ ଆସିବାପରେ ସାତପାହାଚ ନିକଟରେ ଶ୍ରୀଜୀଉମାନଙ୍କୁ ଟାହିଆ ଲଗାଯାଇଥିଲା । ଘଣ୍ଟଘଣ୍ଟା ବାଦନ ମଧ୍ୟରେ ଦଇତାପତି ଓ ଅନ୍ୟାନ୍ୟ ସେବାୟତ ମାନେ ଠାକୁରଙ୍କୁ ପହଣ୍ଡି କରିଆଣି ସ୍ନାନମଣ୍ଡପରେ ବିଜେ କରାଇଥିଲେ । ଏହି ପରିପ୍ରେକ୍ଷୀରେ ଶୀତଳା ଦେବୀଙ୍କ ମନ୍ଦିର ସମ୍ମୁଖରେ ଥିବା ସ୍ଵର୍ଣ୍ଣକୂପରୁ ୧୦୮ କୁମ୍ଭଗରା ଅଧିବାସ ଗୁହକୁ ଅଣାଯାଇ ରଖାଯାଇଥିଲା । ଅଧିବାସ ଗୃହରେ କୁମ୍ଭଜଳରେ ଚନ୍ଦନ, କର୍ପୂର, କେଶର ଆଦି ମିଶ୍ରିତ କରାଯିବା ସହ ତାହା ଉପରେ ନାରିକେଳ ସଂସ୍ଥାପନ ପୂର୍ବକ ବସ୍ତ୍ରରେ ଆଚ୍ଛାଦନ କରାଯାଇଥିଲା । ଅଧିବାସ ଗୃହରେ ଥିବା ଜଳକୁ ଷୋଡ଼ଶ ଉପଚାରରେ ପୂଜାକରି ସ୍ନାନବେଦୀକୁ ନିଆଯାଇଥିଲା । ଠାକୁର ମାନେ ସ୍ନାନବେଦୀରେ ବିଜେ କଲାପରେ ରୁନ୍ଧାବଢ଼ି ଦୈନନ୍ଦିନ ନୀତି ମଙ୍ଗଳଆଳତା, ମଇଳମ ତଡପ ଲାଗି ଶ୍ରୀମୁଖ ଧୋପଖାଳ ଅବଳାଶ, ବେଶ, ରୋଷହୋମ, ସୂର୍ଯ୍ୟପୂଜା ଓ ଦ୍ଵାରପାଳ ପୂଜା ସଂପନ୍ନ ହୋଇଥିଲା । ଏହାପରେ ଜଳଛେକ ପୂଜା ବସିବା ନିମନ୍ତେ ଟେରାବନ୍ଧା ଯାଇଥିଲା । ଜଳଛେକ ପୂଜାଶେଷ ହେବାପରେ ସୁବାସିତ ଜଳକୁମ୍ଭ ଗୁଡ଼ିକ ଛତି, ହାସ ଓ ବିଜେ କାହାଳୀ ବାଦନ ମଧ୍ୟରେ ଜଳକୁମ୍ଭ ଗୁଡ଼ିକୁ ସ୍ନାନବେଦୀକୁ ସେବାୟତ ମାନେ ଆଣିଥିଲେ । ଶ୍ରୀଜଗନ୍ନାଥଙ୍କ ନିମନ୍ତେ ୩୫କୁମ୍ଭ, ଶ୍ରୀବଳଭଦ୍ରଙ୍କ ନିମେନ୍ତ ୩୩ ,ଦେବୀ ସୁଭଦ୍ରାଙ୍କ ନିମନ୍ତେ ୨୨କୁମ୍ଭ ଓ ସୁଦର୍ଶନଙ୍କ ନିମନ୍ତେ ୧୮ କୁମ୍ଭ ଜଳ ସ୍ନାନବେଦୀରେ ରଖାଯାଇଥିଲା । ବିଧିପୂର୍ବକ ପୂଜା ବଢ଼ିବାପରେ ମେକାପଙ୍କ ରୂପା ପିଙ୍ଗଣରେ ଅଧିବାସ ଜଳକୁ ଢ଼ଳାଯାଇଥିଲା। ସେହି ଜଳକୁ ନେଇ ପୂଜାପଣ୍ଡା ସେବକ ମହାପ୍ରଭୁଙ୍କୁ ଜଳଲାଗି କରିଥିଲେ। ସ୍ନାନ ଯାତ୍ରା ଦେଖୁବାପାଇଁ ବଡ଼ଦାଣ୍ଡରେ ଲକ୍ଷାଧିକ ଭକ୍ତ ମେଘମୁକ୍ତ ଖରା ଛାଇ ଲୁଚୁକାଳି ଖେଳ ସହ ଆକାଶର ଚାନ୍ଦୁଆ ତଳେ ଛିଡ଼ା ହୋଇ ଏହି ପବିତ୍ର ସ୍ନାନ ଦର୍ଶନ କରିଥିଲେ । ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଦରିବୋଲ ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ଵନୀରେ ବଡ଼ଦାଣ୍ଡ ହୋଇଉଠିଥିଲା ପ୍ରକମ୍ପିତ । ରୀତିନୀତି ଅନୁଯାୟୀ ଏହି ନୀତିକାନ୍ତି ପରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ମହାପ୍ରଭୁଙ୍କୁ ଦର୍ଶନ କରିବା କଥା ମାତ୍ର ଜଗତଗୁରୁ ପୁରୀରେ ଅନୁପସ୍ଥିତ ଥିବାରୁ ଏହି ନାତି ପରେ ସ୍ନାନମଣ୍ଡପରେ ଛେରାପହଁରା କାର୍ଯ୍ୟ କରାଯାଇଥିଲା। ଗଜପତି ମହାରାଜ ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବ ଶ୍ରୀନଅରରୁ ଏକ ପଟୁଆରରେ ଆସି ସ୍ନାନମଣ୍ଡପରେ ଛେରା ପହଁରା କାର୍ଯ୍ୟ ସମ୍ପନ୍ନ କରିଥିଲେ । ମାର୍ଜନୀରେ ଗଜପତି ମହାପ୍ରଭୁଙ୍କ ଦର୍ଶନ ପୂର୍ବକ ସ୍ନାନମଣ୍ଡପର ମାର୍ଜନା କରିଥିଲେ। I ମାର୍ଜଣା କାର୍ଯ୍ୟଶେଷ ହେବାପରେ ଠାକୁର ମାନଙ୍କ ହାତୀବେଶରେ ସଜ୍ଜିତ କରାଯାଇଥିଲା । ଏହି ପରିପେକ୍ଷୀରେ ରାଘବଦାସ ଓ ଗୋପାଳତୀର୍ଥ ମଠ ଏହି ବେଶ ପ୍ରସ୍ତୁତ କରିଥିଲେ । ବେଶକୁ ତାଟରେ ରଖାଯାଇ ବିଜେକାହାଳୀ ବାଦନ ମଧ୍ୟରେ ଶୋଭାଯାତ୍ରାରେ ଶ୍ରୀମନ୍ଦିରକୁ ଅଣାଯାଇଥିଲା । ଭିତରଚ୍ଛୁ, ଚଳୁଚ୍ଛ, ଦଇତାପତି, ଖୁଣ୍ଟିଆ, ପୁଷ୍ପାଳକ ଓ ମେକାପ ସେବାୟତ ମହାପ୍ରଭୁଙ୍କୁ ହାତୀବେଶରେ ସଜ୍ଜିତ କରିଥିଲେ । ମହାପ୍ରଭୁଙ୍କ ବେଶ ପରେ ମହନ୍ତ ଶାଢ଼ୀ ବନ୍ଧାନୀତି ଅନୁଷ୍ଠିତ ହୋଇଥିଲା । ମହାପ୍ରଭୁଙ୍କ ହାତୀବେଶ କିମ୍ବଦନ୍ତୀ ଅନୁଯାୟୀ ପଞ୍ଚଦଶ ଶତାବ୍ଦୀରେ ମହାରାଷ୍ଟ୍ରର ଗଣପତି ଭଟ୍ଟ ବ୍ରହ୍ମ ଦର୍ଶନ ଉଦ୍ଦେଶ୍ୟରେ ଶ୍ରୀକ୍ଷେତ୍ରକୁ ଆସିଥିଲେ । ତେବେ ସ୍ନାନବେଦୀରେ ନିଜର ଆରାଧ ଦେବତା ଶ୍ରୀଗଣେଶଙ୍କ ଦର୍ଶନରୁ ବଞ୍ଚିତ ହୋଇ ଫେରିଯାଇଥିଲେ । ତେବେ ସେ ମୁକ୍ତେଶ୍ବର ମନ୍ଦିର ନିକଟରେ ଅବସ୍ଥାପନ କରିଥିବା ବେଳେ ଦେବବାଣୀ ହୋଇଥିଲା ଯେ, ଗଣପତ୍ୟ ତୁମେ ଫେରିଯାଇ ପୁନଶ୍ଚ ମୋତ ଦର୍ଶନ କର । ଗଣପତି ଫେରିଆସି ସ୍ନାନବେଦୀରେ ଦେଖିଲେ କଳାଧଳା ହାତୀ ଦୁଇଠି ଶୁଣ୍ଢ ବିସ୍ତାରକରି ମହାପ୍ରସାଦ କୁଡୁଆରୁ ଭୋଗ ଖାଇବାରେ ଲାଗିଛନ୍ତି । ନିଜର ଆରାଧ୍ଯ ଠାକୁରଙ୍କୁ ଗଜାନନ ବେଶରେ ଦର୍ଶନ କରି ଧନ୍ୟ ହେଲେ ଗଣପତି । ସେହି ସ୍ମୃତିରେ ପ୍ରତିବର୍ଷ ଜ୍ୟେଷ୍ଠ ପୂର୍ଣ୍ଣିମାରେ ସ୍ନାନମଣ୍ଡପରେ ମହାପ୍ରଭୁଙ୍କର ଗଜାନନ ବେଶ ଅନୁଷ୍ଠିତ ହୋଇଆସୁଛି । ହାତୀବେଶ ବଢ଼ିବାପରେ ମହାପ୍ରଭୁଙ୍କୁ କର୍ପୂର ଲାଗି କରାଯାଇଥିଲା । ପରେ ଟେରାବନ୍ଧା ହୋଇ ସକାଳଧୂପ ଭୋଗ ସ୍ନାନମଣ୍ଡପକୁ ଅଣାଯାଇଥିଲା । ପରେ ମହାପ୍ରଭୁଙ୍କ ବାଡ଼ରେ ପ୍ରସାଦ ଲାଗି ବଢ଼ି ସକାଳଧୂପ ଓ ବନ୍ଦାପନା ହୋଇଥିଲା। ଏହାପରେ ସର୍ବସାଧାରଣ ବା ସାହାଣ ମେଲା ଦର୍ଶନ ଅନୁଷ୍ଠିତ ହୋଇଥିଲା । ହଜାର ହଜାର ଶ୍ରଦ୍ଧାଳୁ ମାର୍କେଟ ଛକରୁ ବ୍ୟାରିକେଡ଼ ଭିତରେ ଯାଇ ସିଂହଦ୍ଵାରରେ ପ୍ରବେଶ କରି ସ୍ନାନବେଦୀରେ ମହାପ୍ରଭୁଙ୍କୁ ଦର୍ଶନ କରି ଉତ୍ତରଦ୍ବାର ଦେଇ ପ୍ରସ୍ଥାନ କରିଥିଲେ । ଭାବ ଭକ୍ତିପୂର୍ଣ୍ଣ ଆଧ୍ୟାତ୍ମିକ ପରିବେଶ ମଧ୍ଯରେ ଶ୍ରୀମନ୍ଦିର ସମେତ ବଡଦାଣ୍ଡ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁ ସମାଗମ ପରିଲକ୍ଷିତ ହୋଇଥିଲା । ବେଶ ଓଲାଗି ହେବା ପରେ ଶ୍ରୀଜୀଉମାନଙ୍କୁ ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ବିଜେ କରାଯାଇ ଅଣସର ପିଣ୍ଡି ଗୃହରେ ବିଜେ କରିଥିଲେ । ଅଣସର ପିଣ୍ଡିରେ ରହିବା ପରେ ପାରମ୍ପରିକ ରୀତି ନୀତି ଅନୁଯାୟୀ ପଟି ଦିଅଁଙ୍କୁ ପଟୁଆରରେ ଅଣାଯାଇ ଅଣସର ପିଣ୍ଡି ସମ୍ମୁଖରୁ ଦଶବତାର ପଟି ନିକଟରେ ଏହି ପଟି ଦିଅଁଙ୍କୁ ରଖାଯାଇଥିଲା । ଗୁରୁବାର ସକାଳ ଠାରୁ ଏହି ପଟିଦିଅଁଙ୍କ ସମ୍ମୁଖରେ ସମସ୍ତ ରୀତିନୀତି ଅନୁଷ୍ଠିତ ହେବ । ଶ୍ରୀମନ୍ଦିର ଭିତରେ ଓ ବାହାରେ ଶାନ୍ତିଶୃଙ୍ଖଳା ରକ୍ଷାପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ମୋଟ ୭୦ପ୍ଲାଟୁନ ପୋଲିସ ମଧ୍ୟରୁ ଶ୍ରୀମନ୍ଦିର ଭିତରେ ୩୪ ପ୍ଲାଟୁନ ,ମନ୍ଦିର ବାହାରେ ଭିଡ ନିୟନ୍ତ୍ରଣ ଲାଗି ୨୪ ପ୍ଲାଟୁନ, ଟ୍ରାଫିକ ନିୟନ୍ତ୍ରଣ ଦାୟିତ୍ବରେ ୮ପ୍ଲାଟୁନ ସହ ୨ ସେକ୍ସନ ଓ ଆନ୍ଯାନ୍ଯ ବ୍ଯବସ୍ଥା ଲାଗି ୨ ସେକ୍ସନ ଫୋର୍ସ ମୁତୟନ ହୋଇଥିଲେ । ଶ୍ରୀମନ୍ଦିର ଭିତରେ ଜଣେ କମାଣ୍ଡାଣ୍ଟ, ୬ଜଣ ଅତିରିକ୍ତ ଏସପି ଓ ଡେପୁଟି କମାଣ୍ଡାଣ୍ଟ, ୧୩ ଡିଏସପି ଓ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ, ୨୭ ଇନ୍ସପେକ୍ଟର, ୧୦୫ ଜଣ ସବ ଇନ୍ସପେକ୍ଟର ଓ ଆସିଷ୍ଟାଣ୍ଡ ସବ ଇନ୍ସପେକ୍ଟର, ୧୨୨ ଜଣ କନେଷ୍ଟବଳ ଓ ୮୪ ଜଣ ହୋମଗାର୍ଡ ନିୟୋଜିତ ହୋଇଥିଲେ । ମନ୍ଦିର ବାହାରେ ୨ଜଣ କମାଣ୍ଡାଣ୍ଟ, ୫ ଜଣ ଅତିରିକ୍ତ ଏସପି ଓ ଡେପୁଟି କମାଣ୍ଡାଣ୍ଟ, ୮ ଜଣ ଡିଏସପି ଓ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ, ୨୬ ଇନ୍ସପେକ୍ଟର, ୧୦୯ ସବ ଇନ୍ସପେକ୍ଟର ଓ ଆସିଷ୍ଟାଣ୍ଡ ସବ ଇନ୍ସପେକ୍ଟର, ୪୯ କନେଷ୍ଟବଳ ଓ ୫୦ ହୋମଗାର୍ଡ ମୁତୟନ ହୋଇଥିଲେ । ସ୍ନାନମଣ୍ଡପ ଉପରେ ସମସ୍ତ ନୀତି ଓ ଦର୍ଶନ ଉପରେ ସିସିଟିଭି କ୍ଯାମେରା ନଜର ରଖିଥିଲା । ଆଜିର ଏହି ପବିତ୍ର ସ୍ନାନଯାତ୍ରା ସମୟରେ କୌଣସି ପ୍ରକାର ଅପ୍ରିତିକର ଘଟଣା ଘଟିନଥିବା ଜଣାଯାଇଛି। ସ୍ନାନଯାତ୍ରା ଅବସରରେ ବାଗେଡିଆ ଧର୍ମଶାଳା ସମ୍ମୁଖରେ ଜିଲ୍ଲାସଂସ୍କୃତି ପରିଷଦ ପକ୍ଷରୁ ଏକ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା। ରାଜ୍ୟର ବହୁ ଲବ୍ଧ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ମାନେ ଭଜନ ପରିବେଶଣ କରିଥିଲେ । ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ଯବାଦୀ ବିଧାୟକ ଓମପ୍ରକାଶ ମିଶ୍ର, ବ୍ରହ୍ମଗିରି ବିଧାୟକ ଉପାସନା ମହାପାତ୍ର, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, କେନ୍ଦାଞ୍ଚଳ ଆଇଜି ଏସ ପ୍ରବୀଣ କୁମାର, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିନୀତ ଅଗ୍ରୱାଲଙ୍କ ସମେତ ଶ୍ରୀମନ୍ଦିର ପ୍ରଶାସନର ଅନ୍ୟ ପ୍ରଶାସକ ମାନେ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande