ଭଦ୍ରକ, ୧୫ ଜୁନ୍ (ହି.ସ.) - ଯାଜପୁର ଜିଲ୍ଲା ଝାଡ଼ାବାନ୍ତି ପରେ ଏବେ ଧାମନଗରରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦୁଇ ଦିନରେ ୭୦ ଜଣ ଆକ୍ରାନ୍ତ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଚିକିତ୍ସିତ ହୋଇଛନ୍ତି। ରବିବାର ସଂଧ୍ୟା ୭୦ ଜଣ ଆକ୍ରାନ୍ତ ରେ ଚିକିତ୍ସା ପାଇଁ ଧାମନଗର ଡ଼ାକ୍ତର ଖାନା ଆସିଛନ୍ତି। ସେମାନଙ୍କୁ ସାଲାଇନ ଓ ଔଷଧ ଦିଆଯାଇ ଛଡ଼ାଯାଇଛି। ଏହାସହ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ନେଇ ଭଦ୍ରକ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଅବଗତ କରାଯାଇଛି। ଏହାସହ ପରିସ୍ଥିତିର ମୁକାବିଲା ଲାଗି ସ୍ୱତନ୍ତ୍ର ଭାବେ ବ୍ୟବସ୍ଥା କରାଯାଇଛି ବୋଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧୀକ୍ଷକ ମନ୍ମୟ କୁମାର ସାମନ୍ତସିଂହାର କହିଛନ୍ତି। ଗତ ସପ୍ତାହେ ହେଲା ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ହଇଜା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିଲା। ଏବେ ବି ସ୍ଥିତିରେ ସୁଧାର ଆସିନି। ଅପରପକ୍ଷରେ ଯାଜପୁରକୁ ଲାଗିଥିବା ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁର ପଂଚାୟତର ତିଖିଲିଆ, ଦାଣ୍ଡକୂଳ ଓ ବିରୋଳିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିଲା। ତିଖିଲିଆ ଅଂଚଳରୁ ୧୫ ରୁ ଅଧିକ ଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି। ଏହାକୁ ଦେଖି ଭଦ୍ରକ ଜିଲ୍ଲା ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗ ଓ ଧାମନଗର ବ୍ଲକ ପ୍ରଶାସନ ପ୍ରସ୍ତୁତ ରହିଥିଲା। ବକରିଦ ଓ ରଜ ଭଳି ଉତ୍ସବରେ ଘରେ ପିଠାପଣା ଖାଦ୍ୟ ସାଂଗକୁ ବର୍ଷା ସମୟରେ ପିଇବା ପାଣି ଦୂଷିତ ହେବା କାରଣରୁ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ଜଣା ପଡ଼ିଛି । ରାଧାବଲ୍ଲଭପୁର ର ଗୋଟିଏ ପରିବାରର ୫ ଜଣ ଲୋକ କାଲିଠାରୁ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସାଲାଇନ ଓ ଇଂଜେକସନ ନେବା ପରେ ସୁସ୍ଥ ହେବାରୁ ସେମାନଙ୍କୁ ଘରକୁ ପଠାଇ ଦିଆଯାଇଛି। ରବିବାର ସକାଳୁ ଧାମନଗର ସହର ଓ ଏହାର ଆଖପାଖ ଅଂଚଳରୁ ୧୪ ଜଣ ଚିକିତ୍ସା ପାଇଁ ଡାକ୍ତରଖାନାକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ ୧୦ ଜଣ ସାଲାଇନ୍ ଓ ଇଂଜେକସନ ନେଇ ସୁସ୍ଥ ହେବା ପରେ ଘରକୁ ଫେରିଛନ୍ତି। ଇଛଦା ର ଚାନ୍ଦ ମଣି ଜେନା, ବନ୍ଧଟିଆ ର ଗଣେଷ ଜେନା, ଦୁର୍ଗା ଜେନା, ବାସନ୍ତୀ ଜେନା, ମାତନ ଜେନା, ମାଆନ ଜେନା, ପଧାନି ର ରାଜଶ୍ରୀ ପୁହାଣ ଝାଡ଼ାବାନ୍ତି ରେ ଆକ୍ରାନ୍ତ ହୋଇ ଧାମନଗର ମେଡ଼ିକାଲ ରେ ଚିକତ୍ସିତ ହେଉଛନ୍ତି ସେମାନେ ଏବେ ଗୁରୁତର ଥିବା ଜଣାଯାଇଛି।ସେହି ପରି ଜାହାଙ୍ଗୀର, ତାଳପଦା, ନାଉରୀ ଗଡିଆ, ଦୋବଲ, ଗୋଠିଣା , ଆମ୍ବିଲିଗାଁ, ଗୁହାଳୀଆ, ବରଗଡିଆ, କାଜିମହଲା, ବନ୍ଧଟିଆ ଆଦି ଅଂଚଳ ରେ ମଧ୍ୟ ଝାଡ଼ା ବାନ୍ତି ରେ ଆକ୍ରାନ୍ତ ହୋଇ ଧାମନଗର ଡାକ୍ତରଖାନା ଅସି ଚିକିତ୍ସିତ ହୋଇ ଫେରି ଥିବା ବେଳେ କିଛି ରୋଗୀ ଭଦ୍ରକ ଓ କଟକ ଡ଼ାକ୍ତର ଖାନା ରେ ଚିକିତ୍ସିତ ହେଉଛନ୍ତି।ଏହାସହ ପ୍ରତି ମୁହୂର୍ତରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲାପାଳଙ୍କୁ ଅବଗତ କରାଯାଉଛି। ଏହାସହ ଡାକ୍ତରଖାନାରେ ଆବଶ୍ୟକ ପରିମାଣର ସାଲାଇନ ଓ ଇଂଜେକସନ ମହଜୁଦ ରଖାଯାଇଛି। ସ୍ୱାସ୍ଥ୍ୟକର୍ମୀ ଙ୍କୁ ମଧ୍ୟ ସଜାଗ ରଖାଯାଇଛି ବୋଲି ଅଧୀକ୍ଷକ କହିଛନ୍ତି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ