ଭୁବନ, ୨୦ ଜୁନ୍ (ହି.ସ.)- ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଖାଦ୍ୟ ସୁରକ୍ଷା ଅଧିକାରୀ ଶ୍ରୀମତି ଲୋପାମୁଦ୍ରା ନାୟକ ଚଢ଼ଉ କରି ସ୍ଥାନୀୟ ଅଞ୍ଚଳରେ ବଜାରରେ ମିଳୁଥିବା ଖାଦ୍ୟର ମାନ ଯାଞ୍ଚ କରିଛନ୍ତି l ସାମ୍ପ୍ରତିକ ପରିସ୍ଥିତିରେ ଜିଲ୍ଲାର ଭୁବନ ଅଞ୍ଚଳରେ ଡାଇରିଆ ରୋଗ ଦେଖା ଦେଇଥିବାରୁ ଏହାର ନିରାକରଣ ପାଇଁ ସ୍ୱାସ୍ଥ୍ୟ ବିଭାଗ ତତ୍ପର ଥିବା ବେଳେ ଏହାର ପ୍ରତିଷେଧକ ସ୍ୱରୂପ ଖାଦ୍ୟ ଓ ପାଣି ନମୂନା ଯାଞ୍ଚ କରାଯାଉଛି l ଭୁବନ ଅଞ୍ଚଳରେ ଖାଦ୍ୟ ଯାଞ୍ଚ କରାଯାଇ ୪ଟି ଖାଦ୍ୟ ଦୋକାନକୁ ବାସି ଖାଦ୍ୟ ବିକୁଥିବାର ଯାଞ୍ଚରୁ ଜଣାପଡିବାରୁ ସେଗୁଡିକୁ ସିଲ କରିବା ସହ ସେ ଦୋକାନ ମାନଙ୍କ ଠାରୁ ୧୭ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି l ଏହା ସହିତ ଦୁଇଟି ସ୍ଥାନରୁ ପାଣି ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି ଓ ୯୦ କେ.ଜି. ବାସି ଖାଦ୍ୟକୁ ନଷ୍ଟ କରାଯାଇଛି l
ଏହି ଚଢ଼ଉରେ ତହସିଲଦାର ସୂର୍ଯ୍ୟ ଶଙ୍କର ଦାଶ, ଥାନାଧିକାରୀ ଧୀରେନ ସ୍ୱାଇଁ ଏବଂ ଏନ୍ ଏ ସି କର୍ମଚାରୀ ସାମିଲ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ