ଯୋଡ଼ା, 21 ଜୁନ୍ (ହି.ସ.)- ଜିଲା ଖଣିଜ ପାଣ୍ଠି ଦ୍ୱାରା କୋଟି କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇଥିଲାଲା ବଡ଼ବିଲ-କିରିବୁରୁ ମୁଖ୍ୟ ସଡ଼କ । ଆଶା କରାଯାଉଥିଲା ରାସ୍ତା ନିର୍ମାଣ ହେଲେ ସାଧାରଣ ଜନତା ଙ୍କ ନିମନ୍ତେ ଗମନାଗମନ ସହଜ ହେବ । ତେବେ ଉକ୍ତ ସଡ଼କ ଏବେ ଶିଳ୍ପ ସଂସ୍ଥାଙ୍କ କବଜାରେ ରହିଛି । ଶିଳ୍ପ ସଂସ୍ଥାଙ୍କ ଦ୍ୱାରା ନିୟୋଜିତ ସୁରକ୍ଷା କର୍ମୀ ଏହି ରାସ୍ତାକୁ ନିୟନ୍ତ୍ରଣ କରୁଛନ୍ତି । ଫଳରେ ଏହା ସାଧାରଣ ଲୋକଙ୍କ ଉପକାରରେ ଲାଗି ପାରୁନାହିଁ । ଦିନ ରାତି ୨୪ ଘଣ୍ଟା ରାସ୍ତା କଡରେ ଥିବା ଶିଳ୍ପ ସଂସ୍ଥା ଯଥା - ପିଟିସିଏଲ କାରଖାନା, ଆରୟା କାରଖାନା ଓ ପଞ୍ଚବଟି କାରଖାନା ରେ ନିୟୋଜିତ ଭାରିଯାନ ରାସ୍ତାକୁ ଉଭୟ ପର୍ଶ୍ୱରୁ ଅବରୋଧ କରି ରଖୁଛନ୍ତି । ଏହା ବ୍ୟତୀତ ବିଭିନ୍ନ ସମୟରେ ବେଆଇନ ପାର୍କିଂ ଯୋଗୁଁ ବଲାଣି କାରୋ ପୋଲ ଠାରୁ କଳିଙ୍ଗ ପର୍ଯ୍ୟନ୍ତ ଜାମ ରହୁଥିବାରୁ ଜନ ସାଧାରଣ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ତେବେ ବିଶେଷ କରି ପଞ୍ଚବଟି ଷ୍ଟିଲ କାରଖାନା ଠାରୁ ଚମ୍ପୁଆ ପୋଲ ପର୍ଯ୍ୟନ୍ତ ରାସ୍ତା କଡରେ ଭାରିଯାନ ଗୁଡିକ ବେଆଇନ ପାର୍କିଂ କରୁଥିବାରୁ ରାସ୍ତା ଜାମ ହେବା ସାଧାରଣ ଘଟଣା ପାଲଟିଛି । ଫଳରେ କିରିବୁରୁ, ବଲାଣି ତଥା ବାଲାଗୋଡ଼ା ପଂଚାୟତ ଅଂଚଳର ଜନ ସାଧାରଣ ଯାତାୟତ କରିବାରେ ଅସୁବିଧା ଭୋଗୁଛନ୍ତି । ଏପରିକି ବିଭିନ୍ନ ସମୟରେ ବିଦ୍ୟାଳୟ ଓ ମହାବିଦ୍ୟାଳୟ ତଥା ବଡ଼ବିଲ ଆଇଟିଆଇ ଏବଂ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନକୁ ଯାଉଥିବା ଛାତ୍ରଛାତ୍ରୀ ଘଣ୍ଟା ଘଣ୍ଟା ଧରି ଜାମରେ ଅଟକି ରହୁଛନ୍ତି । ଏହାବ୍ୟତୀତ ଆମ୍ବୁଲାନ୍ସ, ଦମକଳ ଗାଡି ବ୍ୟତୀତ ଜରୁରୀ ସେବା ପ୍ରଦାନ କାରୀ ବାହାନ ଗୁଡିକ ମଧ୍ୟ ଜାମ ରେ ଫସି ରହୁଛନ୍ତି । ଏହି ରାସ୍ତାରେ ଥିବା ପିଟିସିଏଲ,ଆରୟା ଏବଂ ପଞ୍ଚବଟି ଭଳି କାରଖାନା ଗୁଡିକର କଞ୍ଚାମାଲ ଓ କାରଖାନା ମାନଙ୍କରୁ ବାହାରୁଥିବା ଖଣିଜ ପଦାର୍ଥର ପରିବହନ ନିମନ୍ତେ ବ୍ୟବହାର ହେଉଥିବା ଭାରିଯାନ ଗୁଡିକ ସ୍ବେଚ୍ଛାଚାରିତା ତଥା ଏହି କରଖାନା ଗୁଡିକର ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ଦିନକୁ ଦିନ ଉକ୍ତ ରାସ୍ତାରେ ଜାମ ହେବା ଓ ରାସ୍ତା ଉପରେ ବେଆଇନ ପାର୍କିଂ ଯୋଗୁଁ ରାସ୍ତାଟି ସମ୍ପୂର୍ଣ୍ଣ ଅସୁରକ୍ଷିତ ପାଲଟିଛି । ସ୍ଥାନୀୟ ପୁଲିସ କାଁ ଭାଁ ଯାଞ୍ଚ କରୁଥିଲେ ସୁଦ୍ଧା ଶିଳ୍ପ ସଂସ୍ଥା ପ୍ରତି ପୁଲିସର କହଳ ମନୋଭାବ ଯୋଗୁଁ ସାଧାରଣ ଜନତା ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ତେବେ ଏ ନେଇ ଯଥାଶୀଘ୍ର ଜିଲା ପ୍ରଶାସନ ପଦକ୍ଷେପ ଗ୍ରହଣ ନକଲେ ଦୁର୍ଘଟଣା ସହ ଜନଅସନ୍ତୋଷକୁ ରୋକାଯାଇ ପାରିବ ନାହିଁ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ମାତ୍ର ଦୁଇ ବର୍ଷ ପୂର୍ବେ କେନ୍ଦୁଝର ପୁଲିସ ପକ୍ଷରୁ ଜିଲା ଖଣିଜ ପାଣ୍ଠିରୁ କୋଟି କୋଟି ଟଙ୍କା ବ୍ୟୟ କରାଯାଇ ୬ଟି ପିସିଆର ଭେନ, ୧୦ଟି ପିସିଆର ବାଇକ କିଣାଯିବା ସହ ୭ ଜଣ ପୁଲିସ ଅଧିକାରୀ,୬ ଜଣ ହାବିଲଦାର,୨୦ ଜଣ କନେଷ୍ଟବଳ ଙ୍କୁ ନେଇ ଏକ ସ୍ୱତନ୍ତ୍ର ଟ୍ରାଫିକ ନିୟନ୍ତ୍ରଣ ଏକକ ଗଠନ କରାଯାଇଥିଲା । ଏହି ସ୍ୱତନ୍ତ୍ର ଦଳ ଖଣି ଅଂଚଳରେ ଖଣିଜ ପଦାର୍ଥ ପରିବହନ ସମୟରେ ଉପୁଜୁଥିବା ଟ୍ରାଫିକ ସମସ୍ୟାର ସମାଧାନ କରିବାକୁ ଉଦ୍ଦିଷ୍ଟ ଥିଲା । ତେବେ ବିଭିନ୍ନ ସମୟରେ ଏହି ରାସ୍ତା ସହିତ ଅନ୍ୟାନ୍ୟ ଖଣି ଅଞ୍ଚଳ ମାନଙ୍କର ସଡ଼କ ଗୁଡିକ ଜାମ ହେବା ଏକ ସାଧାରଣ ଘଟଣା ପାଲଟିଥିବା ବେଳେ ସ୍ୱତନ୍ତ୍ର ଟ୍ରାଫିକ ନିୟନ୍ତ୍ରଣ ଏକକ କୁଆଡେ ଗଲା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ଶିବାଶିଷ୍ ନନ୍ଦ