ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଘଣାଲାଗି ଓ ଖଳିଲାଗି ନୀତି
ପୁରୀ, ୨୩ ଜୁନ୍ (ହି.ସ.)- ସ୍ନାନପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପୀଡ଼ିତ ଥିବା ଶ୍ରୀବିଗ୍ରହମାନେ ସୁସ୍ଥ ହେଲେଣି । ସୋମବାର ପବିତ୍ର ଆଷାଢ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଘଣା ଲାଗି ଓ ଖଳିଲାଗି ନୀତି ଅନୁଷ୍ଠିତ ହେବ । ଜ୍ୱରରେ ପୀଡ଼
ଶ୍ରୀମନ୍ଦିର


ପୁରୀ, ୨୩ ଜୁନ୍ (ହି.ସ.)- ସ୍ନାନପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପୀଡ଼ିତ ଥିବା ଶ୍ରୀବିଗ୍ରହମାନେ ସୁସ୍ଥ ହେଲେଣି । ସୋମବାର ପବିତ୍ର ଆଷାଢ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଘଣା ଲାଗି ଓ ଖଳିଲାଗି ନୀତି ଅନୁଷ୍ଠିତ ହେବ ।

ଜ୍ୱରରେ ପୀଡ଼ିତ ହେବା ପରେ ଶ୍ରୀବିଗ୍ରହମାନଙ୍କୁ ଅଣସର ପିଣ୍ଡିରେ ଶ୍ରୀଅଙ୍ଗଲାଗି ଦଇତାପତି ଓ ପତି ମହାପାତ୍ର ଗୁପ୍ତ ସେବା କରୁଛନ୍ତି । ପରମ୍ପରା ଅନୁଯାୟୀ, ପଂଚମୀ ତିଥିରେ ମହାପ୍ରଭୁଙ୍କୁ ଫୁଲୁରି ତେଲ ଲାଗି ହୋଇଥିଲା । ଷଷ୍ଠୀରୁ ନବମୀ ପର୍ଯ୍ୟନ୍ତ ଠାକୁରଙ୍କୁ ଓଷୁଅ ଲାଗି କରାଯାଇଥିଲା । ଦଶମୀ ତିଥିରେ ଶ୍ରୀବିଗ୍ରହଙ୍କ ଚକାବିଜେ ନୀତି ଅନୁଷ୍ଠିତ ହୋଇଥିଲା । ଏକାଦଶୀ ତିଥିରେ ମହାପ୍ରଭୁଙ୍କୁ ଦଶମୂଳ ମୋଦକ ଲାଗି ହୋଇଥିଲା । ଦଶମୂଳ ମହୌଷଧି ଲାଗି ପରେ ସୁସ୍ଥ ହୋଇଛନ୍ତି ଶ୍ରୀଜିଉ । ଦଇତାପତି ସେବକ ମାନେ ରବିବାର ଦ୍ୱାଦଶୀ ତିଥିରେ ରାଜପ୍ରାସାଦକୁ ଯାଇ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ମହାପ୍ରଭୁଙ୍କ ସୁସ୍ଥତାର ବାର୍ତା ଦେଇଥିଲେ । ଏହି ଖବର ଗଜପତି ମହାରାଜାଙ୍କ ନିକଟରେ ପହଂଚିଲା ପରେ ଏଣିକି ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଶ୍ରୀଗୁଣ୍ଡିଚା ଯାତ୍ରା ପୂର୍ବ ଦିନ ଠାକୁରଙ୍କ ନବଯୌବନ ରୂପ ଦର୍ଶନ କରିବେ ଭକ୍ତ । ଏଣୁ ଠାକୁରଙ୍କ ପୂର୍ବ ସୌନ୍ଦର୍ଯ୍ୟ ଫେରାଇ ଆଣିବାକୁ ସେବକମାନେ ଲାଗିପଡିଛନ୍ତି । ଆଜି ଘଣାଲାଗି ଅବସରରେ କର୍ପୂର, କେଶର ଓ କସ୍ତୁରୀ ମିଶ୍ରିତ ଦିବ୍ୟ ଖଳି ଠାକୁରଙ୍କୁ ଲାଗି କରାଯିବ । ଖଳି ପ୍ରସାଦକୁ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ଲାଗି କରାଯିବ । ଶୁଦ୍ଧ ସୁଆରଙ୍କ ଘରୁ ଘଂଟ, ଘଂଟା, ମୃଦଙ୍ଗ, କାହାଳୀର ପଟୁଆରରେ ଖଳିପ୍ରସାଦ ଶ୍ରୀମନ୍ଦିରକୁ ଆସିଥିଲା । ଶୁଦ୍ଧ ସୁଆରଙ୍କ ଖଳିପ୍ରସାଦ ଲାଗି ହେଲାପରେ ଖଡ଼ିପ୍ରସାଦ ଲାଗି ହେବ । ଏହାପରେ ଶ୍ରୀଜୀଉମାନେ ପୂର୍ବାବସ୍ଥାକୁ ଫେରିବେ । ଆସନ୍ତା ୨୬ ତାରିଖରେ ଭକ୍ତ ମାନେ ଶ୍ରୀଜୀଉଙ୍କ ନବଯୌବନ ବେଶ ଦର୍ଶନ କରିବେ । ୨୭ ତାରିଖରେ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେବ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande