-ଜୁଲାଇ ୧ ସୁଦ୍ଧା ରାଜ୍ୟର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଶେଷ ହେବ
ଭୁବନେଶ୍ୱର, ୨୮ ଜୁନ୍ (ହି.ସ.)- କେନ୍ଦ୍ର ନିର୍ବାଚନ ଅଧିକାରୀ ଡ. ବି. ଲକ୍ଷ୍ମଣଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସଭାପତି ଓ ରାଷ୍ଟ୍ରୀୟ ପରିଷଦ ସଦସ୍ୟମାନଙ୍କ ନିର୍ବାଚନ ପ୍ରକ୍ରିୟା ଆସନ୍ତାକାଲି (ରବିବାର) ଠାରୁ ଆରମ୍ଭ ହେବାକୁ ଯାଉଛି। ୩ ଦିନ ଧରି ହେବାକୁ ଥିବା ଏହି ନିର୍ବାଚନ ପ୍ରକ୍ରିୟା ଜୁଲାଇ ୧ ସୁଦ୍ଧା ଶେଷ ହେବ ବୋଲି ରାଜ୍ୟ ନିର୍ବାଚନ ଅଧିକାରୀ ତଥା ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କହିଛନ୍ତି।
ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ଯେ, ଏହି ନିର୍ବାଚନ ପ୍ରକ୍ରିୟାର ସୁପରିଚାଳନା ଓ ତଦାରଖ କରିବା ପାଇଁ କେନ୍ଦ୍ର ନିର୍ବାଚନ ଅଧିକାରୀଙ୍କ ତରଫରୁ ବିହାର ସାଂସଦ ସଞ୍ଜୟ ଜୟସ୍ୱାଲଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଶ୍ରୀ ଜୟସ୍ୱାଲ ଓଡ଼ିଶା ଗସ୍ତ କରିବେ ବୋଲି ସୂଚନା ପ୍ରାପ୍ତ ହୋଇଛି। ସୂଚନାଯୋଗ୍ୟ, ପ୍ରତି ୩ ବର୍ଷରେ ଥରେ ଭାରତୀୟ ଜନତା ପାର୍ଟିର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହୁଏ। ବିଗତ ନିର୍ବାଚନ ପରି ଚଳିତ “ସାଙ୍ଗଠନିକ ନିର୍ବାଚନ ୨୦୨୪” ସ୍ଥାନୀୟ ସ୍ତରରୁ ଆରମ୍ଭ ହୋଇ ରାଷ୍ଟ୍ରୀୟ ସଭାପତିଙ୍କ ନିର୍ବାଚନରେ ଶେଷ ହେବ। ଏଥିମଧ୍ୟରେ ବିଜେପିର ସ୍ଥାନୀୟ ସମିତି, ମଣ୍ଡଳ ସମିତି, ଜିଲ୍ଲା ସମିତି ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା