ସମ୍ବଲପୁର, ୨୮ ଜୁନ୍ (ହି.ସ.)
ସମ୍ବଲପୁର ଅଞ୍ଚଳର ଶୈବ, ଶାକ୍ତ ଏବଂ ବୈଷ୍ଣବ ମତବାଦର ଅପୂର୍ବ ସମନ୍ୱୟ ରହିଛି । ଶହ ଶହ ବର୍ଷ ଧରି ବିଭିନ୍ନ ଗାଁ ଓ ସହରରେ ଏହି ସମନ୍ୱୟର ପରିବେଶ ବେଶ୍ ଦେଖିବାକୁ ମିଳିଥାଏ । ଗ୍ରାମଦେବୀ, ନଗର ଦେବୀ, ଶୈବପୀଠ ସହିତ ଅନେକ ସ୍ଥାନରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ମନ୍ଦିରମାନ ରହିଛି । ଏହି ମନ୍ଦିର ଗୁଡ଼ିକୁ କେବଳ ଧାର୍ମିକ ଓ ଆଧ୍ୟାତ୍ମିକ ନୁହେଁ, ସାମାଜିକ ଓ ସାଂସ୍କୃତିକ ସମ୍ମିଳନର ଏକ କେନ୍ଦ୍ର ରୂପେ ମାନ୍ଯତା ବହନ କରି ଆସିଛି । ସମସ୍ତ ମନ୍ଦିର ଓ ମନ୍ଦିରର ପ୍ରାଙ୍ଗଣ ମାନଙ୍କରେ ବର୍ଷ ସାରା ବିଭିନ୍ନ ପର୍ବପର୍ବାଣୀ, ଯଜ୍ଞ, ପ୍ରବଚନ ପ୍ରଭୃତି ଆଧ୍ଯାତ୍ମିକ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଆସିଥାଏ । ମୁଖ୍ୟତଃ ରଥଯାତ୍ରା, ରକ୍ଷାବନ୍ଧନ, ନୂଆଁଖାଇ, ଫାଲ୍ଗୁନ ପୂର୍ଣ୍ଣିମା ପ୍ରଭୃତି ଯାନିଯାତ୍ରା ସମାରୋହ ସହକାରେ ପାଳନ କରାଯାଇଥାଏ । ସଂପୃକ୍ତ ସ୍ଥାନର ଲୋକେ ଏହି ମନ୍ଦିରମାନଙ୍କରେ ନତମସ୍ତକ ହୋଇ ସକାଳୁ ନିଜ ନିଜ କାର୍ଯ୍ୟକ୍ଷେତ୍ରକୁ ବାହାରି ଥାଆନ୍ତି । ବିିଭିନ୍ନ ସ୍ଥାନରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ମନ୍ଦିରମାନଙ୍କୁ ଦଧିବାମନ, ବ୍ରହ୍ମପୁରା, ସତ୍ୟବାଦୀ, ମଦନମୋହନ, ଗୋପୀନାଥ ନାମରେ ଭକ୍ତମାନେ ଆରାଧନା କରନ୍ତି । ଏପରିକି ଧମା ନିକଟସ୍ଥ ମହାନଦୀ କୂଳ ଅର୍ଡା ଗ୍ରାମରେ ଦଧିବାମନ ଦୁର୍ଗାଙ୍କ ଏକ ମନ୍ଦିର ରହିଛି । ଯାହାକି ଧାର୍ମିକ ସମନ୍ୱୟକୁ ପ୍ରତିଫଳିତ କରି ଆସିଛି । ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ହୋଉଥିବା ବେଳେ ସମ୍ବଲପୁର ଜିଲ୍ଲାର ସମସ୍ତ ଜଗନ୍ନାଥ ମନ୍ଦିରରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାବେଶରେ ପ୍ରବଳ ଉତ୍ସାହ ଉଦ୍ଧୀପନାରେ ଅନୁରୂପ ଭାବେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହେଉଛି ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ