ରଥଯାତ୍ରାକୁ ନେଇ ମିଛ ପ୍ରଚାର କରୁଥିବା ବ୍ୟକ୍ତିମାନଙ୍କୁ ମହାପ୍ରଭୁ ସଦ୍‌ବୁଦ୍ଧି ଦିଅନ୍ତୁ: ଅନୀଲ ବିଶ୍ୱାଳ
ଭୁବନେଶ୍ୱର, ୨୮ ଜୁନ୍ (ହି.ସ.)- ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଶାନ୍ତିପୂର୍ଣ୍ଣଭାବେ ଆନନ୍ଦ ଉତ୍ସାହ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। କିନ୍ତୁ ବିରୋଧୀ ବିଜେଡି ଏବଂ କଂଗ୍ରେସ ଅଭ୍ୟାସଗତ ଭାବେ ମିଛ ରାଜନୀତି କରି ସ୍ୱାର୍ଥ ହାସଲ ପାଇଁ ମନଗଢ଼ା ବିବୃତି ଦେଉଛନ୍ତି। ମହାପ୍ରଭୁଙ୍କ ୩ ରଥ ଶରଧାବାଲିରେ
ରଥଯାତ୍ରାକୁ ନେଇ ମିଛ ପ୍ରଚାର କରୁଥିବା ବ୍ୟକ୍ତିମାନଙ୍କୁ ମହାପ୍ରଭୁ ସଦ୍‌ବୁଦ୍ଧି ଦିଅନ୍ତୁ: ଅନୀଲ ବିଶ୍ୱାଳ


ଭୁବନେଶ୍ୱର, ୨୮ ଜୁନ୍ (ହି.ସ.)- ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଶାନ୍ତିପୂର୍ଣ୍ଣଭାବେ ଆନନ୍ଦ ଉତ୍ସାହ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। କିନ୍ତୁ ବିରୋଧୀ ବିଜେଡି ଏବଂ କଂଗ୍ରେସ ଅଭ୍ୟାସଗତ ଭାବେ ମିଛ ରାଜନୀତି କରି ସ୍ୱାର୍ଥ ହାସଲ ପାଇଁ ମନଗଢ଼ା ବିବୃତି ଦେଉଛନ୍ତି। ମହାପ୍ରଭୁଙ୍କ ୩ ରଥ ଶରଧାବାଲିରେ ଲାଗିସାରିଛି। ଭକ୍ତମାନେ ଅତ୍ୟନ୍ତ ଶ୍ରଦ୍ଧାର ସହ ଦର୍ଶନ କରୁଛନ୍ତି। ଚଳିତବର୍ଷ ଅତ୍ୟନ୍ତ ଶୃଙ୍ଖଳାର ସହ ଅଘଟଣ ଶୂନ୍ୟ ରଥଯାତ୍ରା ସମାପନ ହୋଇଛି। ଯେଉଁମାନେ ଏନେଇ ରାଜନୀତି କରୁଛନ୍ତି, ଯେଉଁମାନଙ୍କୁ ସବୁ କଥାରେ ଅଘଟଣ ଦେଖାଯାଉଛି, ସେମାନଙ୍କୁ ମହାପ୍ରଭୁ ସଦ୍‌ବୁଦ୍ଧି ଦିଅନ୍ତୁ। ସେମାନେ ତାଙ୍କ ମାନସିକତାରେ ପରିବର୍ତନ ଆଣନ୍ତୁ ବୋଲି ଶନିବାର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଅନୀଲ ବିଶ୍ୱାଳ କହିଛନ୍ତି।

ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ଗତ ବର୍ଷମାନଙ୍କରେ ବିଜୁ ଜନତା ଦଳର ସରକାର ସମୟରେ ରଥଯାତ୍ରାବେଳେ ଅନେକ ଅଘଟଣ ଘଟିଛି। ପୋଲିସର ଲାଠିମାଡ଼ଠାରୁ ନେଇ ରଥ ଉପରେ ୩ ଠାକୁର ଅଘଷା, ଅଖିଆ ରହିବା ପର୍ଯ୍ୟନ୍ତ ଭଳି ଅଘଟଣ ବିଜେଡି ସରକାର ସମୟରେ ରଥଯାତ୍ରା ପରିଚାଳନାର ଅକ୍ଷମତାକୁ ପ୍ରମାଣିତ କରିଥିଲା। ଯେଉଁଭଳି ଭାବେ ଚଳିତ ବର୍ଷ ଅତ୍ୟଧିକ ଭକ୍ତ ଆସିଥିବା ସତ୍ୱେ ରଥଯାତ୍ରା ଯେଭଳି ଶୃଙ୍ଖଳିତ ଭାବେ ପରିଚାଳନା ହେଉଛି ସେଭଳି ଆଗରୁ ବିଜେଡି ସରକାର ସମୟରେ ହୋଇପାରୁ ନ ଥିଲା। ରଥଯାତ୍ରାବେଳେ ୩ ଦିନ ଛୁଟି ପଡ଼ିଥିବାରୁ ଯେତିକି ଲୋକ ଆସିବା କଥା ତା’ଠାରୁ ବହୁ ଅଧିକ ଲୋକ ଆସିଥିଲେ। ତଥାପି ମଧ୍ୟ ବହୁ ଭଲଭାବେ ଟ୍ରାଫିକ୍ ପରିଚାଳନା କରାଯାଇଥିଲା। ଆର୍‌ଟିଫିସିଆଲ ଇଂଟେଲିଜେନ୍ସି(ଏଆଇ)ର ବ୍ୟବହାର ସହ ଉନ୍ନତମାନର ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ଓ ପୋଲିସ ପ୍ରଶାସନର ସହଯୋଗ ଫଳରେ ଅତି ସୁନ୍ଦର ଭାବେ ଭିଡ଼ ନିୟନ୍ତ୍ରଣ କରାଯାଇଥିଲା। ଫଳରେ କୌଣସି ଜାଗାରେ ଅପ୍ରତୀକର ପରିସ୍ଥିତି ଉପୁଜି ନଥିଲା। ଏହାହିଁ ହେଉଛି ଶ୍ରୀମନ୍ଦିର ଓ ରାଜ୍ୟ ସରକାରଙ୍କ ରଥ ପରିଚାଳନାର ସଫଳତା। ମାତ୍ର ବିଜେଡିର ମାନସିକତା ଶାଗୁଣା ଓ ଚିଲ ଭଳି। ସେମାନଙ୍କୁ କେବେ ହେଲେ ଭଲ ଜିନିଷ ଦେଖାଯାଏ ନାହିଁ। ଶାଗୁଣା ଓ ଚିଲ ଯେଭଳି ସବୁଠି ମୃତଦେହ, ମଇଲା ଓ ଅଳିଆ ଆଦି ଖୋଜନ୍ତି ଠିକ୍ ସେଭଳି ବିଜେଡି ଓ କଂଗ୍ରେସ ସବୁ ଭଲ ମଧ୍ୟରେ ଖରାପ ଖୋଜିବାରେ ବ୍ୟସ୍ତ। ବିଜେପି ସରକାର ଚଳିତ ରଥଯାତ୍ରା ଅଘଟଣ ଶୂନ୍ୟ ଓ ଭବ୍ୟ ଭାବେ ଆୟୋଜନ କରିଥିବାରୁ ବିଜେଡି ଓ କଂଗ୍ରେସ ଏହାକୁ ସହ୍ୟ କରିପାରୁନାହାନ୍ତି। ବିଜେଡି ଯିଏକି ଜଗନ୍ନାଥ ସଂସ୍କୃତିକୁ ନଷ୍ଟ କରିବା ପାଇଁ ବିଗତ ଶାସନ ସମୟରେ ଅପଚେଷ୍ଟା କରିଥିଲା ସେମାନେ ସେହି ମାନସିକତାରୁ ଆଜିବି ବାହାରି ପାରିନାହାନ୍ତି। ଚଳିତ ବର୍ଷର ରଥଯାତ୍ରା ସମୟରେ ଜଣେ ହେଲେ ବି ଅଣସେବାୟତ ରଥ ଉପରେ ଚଢ଼ିନାହାନ୍ତି।

ଅନିଲ କହିଛନ୍ତି ଯେ, ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ଓଡ଼ିଆ ଜାତୀର ଆରାଧ୍ୟ ଦେବତା। ସେ ହେଉନ୍ତି ଓଡ଼ିଆ ଅସ୍ମିତାର ପ୍ରତୀକ। ତାଙ୍କୁ ନେଇ ଯିଏ ରାଜନୀତି କରିଛି ସେ ତା’ର ଫଳ ପାଇଛି। ବିଜୁ ଜନତା ଦଳର ଅରୁଣ ସାହୁ ଆଜି ଯେଉଁଭଳି ମିଥ୍ୟା ଅଭିଯୋଗ କରିଛନ୍ତି, ସେ ତାଙ୍କ ଶାସନକାଳରେ କରିଥିବା ଭୁଲ୍‌ଗୁଡ଼ିକୁ ବୋଧହୁଏ ଭୁଲି ଯାଇଛନ୍ତି। ବିଜେଡି ଶାସନକାଳରେ ଯେତେବେଳେ ଠାକୁରଙ୍କ ନବକଳେବର ହୋଇଥିଲା ସେସମୟରେ ମହାବିଭ୍ରାଟ ହୋଇଥିଲା। ସେତେବେଳେ ଅରୁଣ ସାହୁ ଆଇନ ମନ୍ତ୍ରୀ ଥିଲେ କି ନାହିଁ ସ୍ପଷ୍ଟ କରନ୍ତୁ । ଯେତେବେଳେ ଦଇତାପତିମାନେ ଦାରୁ ଖୋଜିବା ପାଇଁ ଯାଇଥିଲେ ସେତେବେଳେ ଶ୍ରୀ ସାହୁ ଅନନ୍ତଶୟନ ମୁଦ୍ରାରେ ମହ୍ରାପ୍ରଭୁ ଜଗନ୍ନାଥଙ୍କ ସେବାୟତଙ୍କ ସହ ବସିଥିଲେକି ନାହିଁ ତାହା ସ୍ପଷ୍ଟ କରନ୍ତୁ । ଦାରୁ ଶଗଡିରେ ବସି ବିଜେଡି ବିଧାୟକ, ମନ୍ତ୍ରୀ ଫଟୋସୁଟ କରିଥିଲେ କି ନାହିଁ ତାହା ସ୍ପଷ୍ଟ କରନ୍ତୁ । ମହାପ୍ରଭୁଙ୍କ ପରମ୍ପରାକୁ ଭାଙ୍ଗିବାର ଇତିହାସ ବିଜେଡିର ରହିଆସିଛି ।

ଏବେ ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ବେଳେ ବିଜେଡିର ସାଧାରଣ ସମ୍ପାଦକ କହିଲେ ଯେ ସେ ପୁରୀରୁ ଦାରୁ ଚୋରି କରିଆଣିଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ଦୀଘାକୁ ଜଗନ୍ନାଥ ଧାମ୍ ବୋଲି କହୁଥିବାରୁ ସାରା ଓଡ଼ିଶାବାସୀଙ୍କ ମନରେ ଉଦ୍‌ବେଗ ପ୍ରକାଶ ପାଇଛି। ଏନେଇ ବିଜେଡି କାହିଁକି ନିରବ ଅଛି ? ବ୍ରହ୍ମବିଭାଟଠାରୁ ଆରମ୍ଭ କରି ରତ୍ନ ଭଣ୍ଡାର ଚାବି ହଜିବା ପର୍ଯ୍ୟନ୍ତ ସବୁଥିରେ ବିଜେଡିର ହାତ ଥିଲା। ରାଜ୍ୟରେ ବିଜେପି ଏକାକୀ ସରକାର ଗଠନ କରିବା ପରେ ମାତ୍ର ୨ ମାସ ମଧ୍ୟରେ ରତ୍ନଭଣ୍ଡାର ଖୋଲିଥିଲାବେଳେ ୧୦ବର୍ଷ ପରେ ବି ବିଜେଡି କାହିଁକି ରତ୍ନଭଣ୍ଡାର ଖୋଲି ପାରି ନଥିଲା ଏହାର ଉତର ବିଜେଡି ଦେଉ। ଜଗନ୍ନାଥ ସଂସ୍କୃତିର ଅବିଚ୍ଛେଦ ଅଙ୍ଗ ବୋଲି କୁହାଯାଉଥିବା ମଠଗୁଡ଼ିକୁ ବିଜେଡି ସରକାର ସମୟରେ ଭାଙ୍ଗି ଦିଆଯାଇଥିଲା। ଏହି ବିଜେଡି ସରକାର ସମୟରେ ୧୨ ମିଶା ଉଷୁନା ଚାଉଳରେ ମହାପ୍ରସାଦ କରାଯାଇଥିଲା। ଗୋ ମାଂସର ପ୍ରଚାର ପ୍ରସାର କରୁଥିବା ଭିଡିଓ ବ୍ଲଗରଙ୍କ ଦ୍ୱାରା ଶ୍ରୀଜଗନ୍ନାଥଙ୍କ ଅଭଡାର ପ୍ରଚାର ପ୍ରସାର କରାଉଥିଲେ। ସେତେବେଳେ ଜଗନ୍ନାଥ ସଂସ୍କୃତି ପାଇଁ ବିଜେଡିର ଉଦ୍‌ବେଗ କୁଆଡେ ଯାଇଥିଲା। ମୁଖ୍ୟମନ୍ତ୍ରୀ ହେବା ପରେ ମହାପ୍ରଭୁ ଜଗନ୍ନାଥଙ୍କ ଖଣ୍ଡୁଆପାଟ ବେକରେ ପକାଇବା ପାଇଁ ନବୀନ ପଟ୍ଟନାୟକଙ୍କୁ ୧୨ ବର୍ଷ ଲାଗିଥିଲା। ସେ ଆଜି ରଥଯାତ୍ରା ଉପରେ ପ୍ରେସ ବିବୃତି ଜାରି କରିବା ଅତ୍ୟନ୍ତ ହାସ୍ୟସ୍ପଦ। ବିଜେପି ସରକାରରେ ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଉପମୁଖ୍ୟମନ୍ତ୍ରୀ, ଅନ୍ୟ କ୍ୟାବିନେଟ ମନ୍ତ୍ରୀ ସଭିଏଁ ରଥଯାତ୍ରାରେ ଉପସ୍ଥିତ ରହି ସୁରୁଖୁରୁରେ ରଥଯାତ୍ରା ସମାପନ କାମକୁ ତଦାରଖ କରୁଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ସଂଯୋଜକ ସୁଜିତ୍ ଦାସ ଉପସ୍ଥିତ ଥିଲେ।

.......,

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande