ସମ୍ବଲପୁର, ୨୯ ଜୁନ୍ (ହି.ସ.) ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅନ୍ତର୍ଗତ ୫୩ନମ୍ବର ଜାତୀୟ ରାଜପଥ ବଡ଼ରମା ଘାଟିରେ ରବିବାର ଅପରାହ୍ନରେ ଏକ ଘରୋଇ ବସ ଏବଂ କଣ୍ଟେନର ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଥିଲା। କୁଚିଣ୍ଡାରୁ ସମ୍ବଲପୁର ଯାଉଥିବା ନୀଲାଞ୍ଚଳ ବସ ରେଜିଷ୍ଟେସନ ନମ୍ବର ଓଡି ୧୫ଜି ୫୪୫୫ ଗାଡ଼ି ସହିତ ବିପରୀତ ଦିଗରୁ ଆସୁଥିବା କଣ୍ଟେନର ରେଜିଷ୍ଟେଶନ ନମ୍ବର ଏନଏଲ ୦୧ ଏଡ଼ି ୪୧୯୮ ସହିତ ବଡ଼ରମା ଘାଟି ବୁଲାଣିରେ ଧକ୍କା ହୋଇଥିଲା। ଧକ୍କା ଫଳରେ ବସ ଚାଳକଙ୍କ ଗୋଡ଼ରେ ଆଘାତ ହୋଇ ଗୁରୁତର ଥିବା ବେଳେ ବସରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୪ ରୁ ୫ ଜଣ ସାମାନ୍ୟ ଆହତ ହୋଇଥିଲେ। ଦୁର୍ଘଟଣା ଖବର ପାଇ ଜମନକିରା ଅଗ୍ନିଶମ ବିଭାଗୀୟ ଅଧିକାରୀ ଏବଂ ଜମନକିରା ଆଇ.ଆଇ.ସି ଙ୍କ ତତ୍ୱାବଧାନରେ ଜମନକିରା ପୋଲିସର ଏକ ଟିମ ଘଟଣା ସ୍ଥଳକୁ ପହଞ୍ଚି ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଆହତଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା କୁ ପ୍ରାଥମିକ ଚିକିତ୍ସା ପାଇଁ ପଠାଇଥିଲେ। ଦୁର୍ଘଟଣା ଫଳରେ ରାସ୍ତା ଯାମ ହୋଇଥିବାରୁ ପୋଲିସ ପକ୍ଷରୁ ଯାମ ନିୟନ୍ତ୍ରଣ କରି ଯାତାୟତ ସାମାନ୍ୟ କରିଥିଲେ। ହେଲେ ଜମନକିରା ଠାରୁ ଗୌଡ଼ପାଲି ପର୍ଯନ୍ତ ରାସ୍ତା ସଂକୀର୍ଣ୍ଣ ଥିବାରୁ ଏହି ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟି ଅନେକ ଧନ ଜୀବନ ହାନି ହେଉଛି । ଆଜି ସନ୍ଧ୍ୟାରେ ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଜୀବୀ ଏକ ବୈଠକରେ ଏକାଠି ହୋଇ ଜିଲ୍ଲା ପ୍ରଶାସନ ତୁରନ୍ତ ଏହି ସମସ୍ୟାକୁ ହୃଦବୋଧ କରି ବିହିତ ପଦକ୍ଷେପ ସ୍ଵରୂପ ଏହି ରାସ୍ତାକୁ ଚାରିଥାକିଆ ରାସ୍ତାରେ ପରିଣତ କରିବା ପାଇଁ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ