ପୁରୀ, ୨୯ ଜୁନ୍(ହି.ସ.) – ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପମଣ୍ଡପରେ ଚତୁର୍ଦ୍ଧାମୂର୍ତି ଗୋଟି ପହଣ୍ଡିରେ ଯାଇ ବିଜେ କରିଛନ୍ତି। ଶୁକ୍ରବାର ଦିନ ଶ୍ରୀଗୁଣ୍ଡିଚା ଯାତ୍ରାରେ ତିନୋଟିଯାକ ରଥ ଶ୍ରୀଗୁଣ୍ଡିଚା ମନ୍ଦିର ପାଖରେ ପହଂଚି ପାରିନଥିଲା। ଶନିବାର ଦିନ ତିନିରଥ ଭିଡାଯାଇ ଶରଧାବାଲିରେ ଲାଗିଥିଲା। ରବିବାର ଆଡପ ପହଣ୍ଡିରେ ଶ୍ରୀଜୀଉ ମାନେ ପ୍ରବେଶ କରିଛନ୍ତି। ଆସନ୍ତାକାଲି ଠାରୁ ଆଡପ ଦର୍ଶନ ଓ ଆଡପ ଅଭଢା ଭକ୍ତ ପାଇ ପାରିବେ। ସନ୍ଧ୍ୟାଧୂପ ପରେ ରଥରୁ ଘୋଢା ଖୋଲାଯାଇ ଚାରମାଳ ବନ୍ଧା ଯାଇଥିଲା। କୋଠ ସୁଆଁସିଆ ସେବକ ଆଡପପଣ୍ଡପ ସିଂହାସନରେ ଚାରମାଳ ବାନ୍ଧିଥିଲେ। ରଥ ଉପରେ ପୁଷ୍ପାଞ୍ଜଳି ନୀତି ହେବା ପରେ ରାମକୃଷ୍ଣଙ୍କ ଓ ମଦନମୋହନଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ଜୟ ଜଗନ୍ନାଥ ଧ୍ୱନି ଓ ହରିବୋଲ ହୁଳହୁଳି ଘଂଟ ଘଂଟୁଆଙ୍କ ନାଦରେ ଶରଧାବାଲି କମ୍ପିଥିଲା। ପରେ ଶ୍ରୀସୁଦର୍ଶନ ଓ ୭ଟା ୪୦ ରେ ବଡଠାକୁର ଶ୍ରୀବଳଭଦ୍ରଙ୍କ ପହଣ୍ଡି ହୋଇଥିଲା। ଦେବୀ ମା ସୁଭଦ୍ରାଙ୍କ ଶୂନ୍ଯ ପହଣ୍ଡି ପରେ ଶେଷରେ କାଳିଆ ଠାକୁର ଶ୍ରୀଜଗନ୍ନାଥ ଟାହିଆ ଲଗାଇ ହଲିହଲି ଝୁଲିଝୁଲି ପହଣ୍ଡିରେ ସେବାୟତମାନେ ନେଇଥିଲେ। କାଳିଆ ପହଣ୍ଡି ସମୟରେ ରଥକର୍ଡନ ଓ ରଥ ଉପରେ ଅନୁମତିପ୍ରାପ୍ତ ବ୍ଯକ୍ତି ମାନେ ଉପସ୍ଥିତ ଥିଲେ। ପହଣ୍ଡି ଦେଖିବା ପାଇଁ ଅଘଟଣ ସତ୍ୱେ ହଜାର ହଜାର ଶ୍ରଦ୍ଧାଳୁ ପହଣ୍ଡି ଦର୍ଶନ କରିଥିଲେ। ଗୋଟି ପହଣ୍ଡିରେ ଚତୁର୍ଦ୍ଧାମୂର୍ତି ଆଡପପଣ୍ଡପରେ ବିରାଜମାନ କରିଛନ୍ତି। ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତିଙ୍କୁ ଦଶହଜାର ବର୍ଷ ଦର୍ଶନ କଲେ ଯେତିକି ପୂଣ୍ଯ ମିଳିଥାଏ। ଗୋଟିଏ ଦିନ ଆଡପପଣ୍ଡପରେ ଦର୍ଶନ କଲେ ସେତିକି ପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି। ସନ୍ଧ୍ୟା ସମୟରେ ଆଡପ କଲେ ଅଧିକ ପୂଣ୍ୟ ମିଳିଥାଏ।
ହିନ୍ଦୁସ୍ଥାନ ସମାଚାର/ବିଜୟ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବିଜୟ