ଚମ୍ପୁଆ, ୩ ଜୁନ୍ (ହି.ସ.)- ଚମ୍ପୁଆ ଥାନା ଅନ୍ତର୍ଗତ କାଳିକାପ୍ରସାଦ କୃଷ୍ଣପୁର ଶାଳ ଜଙ୍ଗଲ ନିକଟରେ ବାଇକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ମୟୁରଭଞ୍ଜ ଜିଲ୍ଲା ରରୁଁଆ ଥାନା ଅନ୍ତର୍ଗତ ଅଙ୍ଗାରପଦା ପଞ୍ଚାୟତ ବାଉଁଶପୁର ଗ୍ରାମର କୃଷ୍ଣଚନ୍ଦ୍ର ମହାନ୍ତଙ୍କ ପୁଅ ମାନସ କୁମାର ମହାନ୍ତ (୨୫)।
ମିଳିଥିବା ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ଦୁଇଟି ବାଇକରେ ତିନି ଜଣ ଯୁବକ କୃଷ୍ଣପୁର ଗ୍ରାମରୁ ଅଙ୍ଗାରପଦା ଅଭିମୁଖେ ଯାଉଥିବା ବେଳେ କୃଷ୍ଣପୁର ଶାଳ ଜଙ୍ଗଲ ନିକଟରେ ଭାରସାମ୍ୟ ହରାଇ ବାଇକଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଖବର ପାଇ କୃଷ୍ଣପୁର ଗ୍ରାମବାସୀ ଆହତ ମାନଙ୍କୁ ଉଦ୍ଧାର କରି ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ଥିଲେ । ତେବେ ଡ଼ାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ମାନସଙ୍କ ମୃତ୍ୟୁ ଘଟିଥିଲା । ମାନସଙ୍କ ପିତା ଖିଚିଙ୍ଗ ମହାବିଦ୍ୟାଳୟରେ କାର୍ଯ୍ୟରତ ଥିବା ବେଳେ ମାନସ ଆଉ କିଛି ଦିନ ମଧ୍ୟରେ ଭୁବନେଶ୍ୱରରେ ଉଚ୍ଚ ଶିକ୍ଷା ବିଭାଗରେ ଯୋଗ ଦେଇଥାନ୍ତେ । ଖବର ପାଇ ଚମ୍ପୁଆ ପୁଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହକୁ ଜବତ କରିଥିବା ବେଳେ ଆଜି ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି।
ହିନ୍ଦୁସ୍ଥାନ ସମାଚାର / Trinath Mahanta