ଚମ୍ପୁଆ, ୩ ଜୁନ୍ (ହି.ସ.) - ଚମ୍ପୁଆ ବନାଂଚଳ ଅଧୀନସ୍ଥ ଉଖୁଣ୍ଡା ସେକ୍ସନ ବନିକା ବିଟ୍ ରଙ୍ଗାମାଟିଆ ପଂଚାୟତ ରରୁଆଁଗୋଡା ଗ୍ରାମ ନିକଟ ଇଉକାଲି ପଟାସ ଜଙ୍ଗଲରେ ୨୭ଟିକିଆ ହାତୀ ପଲ ଆଜକୁ ପ୍ରାୟ ଦୁଇଦିନ ଧରି ଉପଦ୍ରବ ଜାରୀ ରଖିବା ସହ ଅଂଚଳ ବାସୀଙ୍କ ନିଦ ହଜେଇ ଦେଇଛନ୍ତି। ଏହି ହାତୀ ପଲ ମୟୂରଭଞ୍ଜ ପଟୁ ବୈତରଣୀ ନଦୀ ପାର ହୋଇ ପଦ୍ମପୁର ଦେଇ ବିଭିନ୍ନ ଗ୍ରାମରେ ଚାଷୀ କରିଥିବା ଖରାଟିଆ ଧାନ ଓ ପନିପରିବାକୁ ଖାଇବା ସହ ଦଳି ଚକଟି ନଷ୍ଟ କରୁଛନ୍ତି । ଯାହାକୁ ନେଇ ଚାଷୀ ମାନେ ଏବେ ଚିନ୍ତାରେ ପଡିଛନ୍ତି। ପ୍ରତ୍ୟେକ ଦିନ ସନ୍ଧ୍ୟା ସମୟରେ ରେଙ୍ଗାଳ ବେଡା, କେମୁଣ୍ଡିଆ, ରରୁଆଁ ଗୋଡା ଆଦି ଗ୍ରାମରେ ଏକର ଏକର ପାଚିଲା ଧାନ ଫସଲ ଓ ପନିପରିବା ସବୁ ନଷ୍ଟ କରିବା ସହିତ ଏକ ମନ୍ଦିର ପାଚେରୀ ଭାଙ୍ଗିଛନ୍ତି । ବନ ବିଭାଗ ଅଧିକାରୀ ଓ ହାତୀ ସ୍କ୍ୱାର୍ଡ ଡାକବାଜି ଯନ୍ତ୍ର ସାହାଯ୍ୟରେ ଗ୍ରାମର ଲୋକ ମାନଙ୍କୁ ସତର୍କ କରାଇବା ସହିତ ହାତୀ ମାନଙ୍କ ଗତିବିଧି ଉପରେ ନଜର ରଖିଥିବା ଦେଖିବାକୁ ମିଳିଛି। ଏହି ହାତୀ ପଲରେ ୮ଟି ଦନ୍ତାହାତୀ, ୧୩ଟି ମାଈ ହାତୀ ଓ ୬ଟି ଛୁଆ ହାତୀ ମୋଟ ୨୭ଟି ବଣୁଆ ହାତୀ ରହିଥିବା ବେଳେ ଚମ୍ପୁଆ ସେକ୍ସନର ମିରିଗିସିଙ୍ଗା ଜଙ୍ଗଲରେ ୩ଟି ଦନ୍ତା ହାତୀ, ୬ଟି ମାଇ ହାତୀ, ୨ଟି ଛୁଆ ହାତୀ ଏପରିକି ମୋଟ ୧୧ଟି ବଣୁଆ ହାତୀ ସର୍ବମୋଟ ୩୮ଟି ବଣୁଆ ହାତୀ ରହିଥିବା ଚମ୍ପୁଆ ବନାଂଚଳ ଅଧିକାରୀ ଅକ୍ଷୟ ଛତ୍ରିୟା ସୁଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର/ତ୍ରିନାଥ/ଭାନୁ
ହିନ୍ଦୁସ୍ଥାନ ସମାଚାର / Trinath Mahanta