ଯୋଡ଼ା, ୩ ଜୁନ୍ (ହି.ସ.)- ବଡବିଲ ପୋଲିସ ବେଲକୁଣ୍ଡି ଫୁଟବଲ୍ ପଡିଆ ନିକଟରେ ଗୋଟିଏ ବଡ ଡ୍ରଗ୍ସ ରାକେଟ ର ଫର୍ଦ୍ଦାଫାସ କରି ତିନି ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ଠାରୁ ୫୦ କିଲୋ ୩୦୫ ଗ୍ରାମ ପୋପି ସ୍ଟ୍ରୋ(ଡୋଡା ପାଉଡର), ଏକ ମୋବାଇଲ୍ ଫୋନ୍ ଏବଂ ଅଭିଯୁକ୍ତଙ୍କ ଠାରୁ ନଗଦ ଏକ ହଜାର ଟଙ୍କା ଜବତ କରିଛି। ଗିରଫ ହୋଇଥିବା ଡ୍ରଗ୍ସ ପେଡଲରମାନେ ଝାଡ଼ଖଣ୍ଡ ରାଜ୍ୟର ସାଢ଼େଇକଳା ଓ ପଶ୍ଚିମ ସିଂହଭୂମ ଜିଲ୍ଲାର ପବନ ମହତୋ (୫୩), ଭୋଲାନାଥ ମଣ୍ଡଳ (୨୬) ଓ ସୁରୁ ଦାସ୍ (୫୦) ବୋଲି ଜଣାପଡ଼ିଛି। ଏହି ଅଭିଯୁକ୍ତମାନେ ପେସାଦାର ଡ୍ରଗ୍ସ ପେଡଲର୍ ବୋଲି ପୁଲିସ କହିଛି, ଯେଉଁମାନେ ସ୍ଥାନୀୟ ଡ୍ରଗ୍ ବ୍ୟବସାୟୀଙ୍କୁ ଡୋଡା ପାଉଡର ବିକ୍ରି କରିବା ଯୋଜନା କରୁଥିଲେ।
ସୂଚନା ଅନୁଯାୟୀ, କୌଣସି ବିଶେଷ ସୂତ୍ରରୁ ପୁଲିସକୁ ସୂଚନା ମିଳିଥିଲା ଯେ, କିଛି ଡ୍ରଗ୍ସ ପ୍ୟାଡଲର ବେଲକୁଣ୍ଡି ଫୁଟବଲ୍ ପଡିଆ ନିକଟରେ ଡୋଡା ପାଉଡର ସହିତ ରହିଛନ୍ତି । ଏହାକୁ ଆଧାର କରି ବଡ଼ବିଲ ପୁଲିସ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅତର୍କିତ ଚଢ଼ଉ କରି ଅଭିଯୁକ୍ତଙ୍କୁ ମାଡି ବସିଥିଲା । ଫଳରେ ପ୍ରତିବନ୍ଧିତ ନିଶା ଦ୍ରବ୍ୟ ସହ ନିଶା କାରବାରରେ ସମ୍ପୃକ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିଲା ।
ବଡବିଲ ତହସିଲଦାର ତଥା ମ୍ୟାଜିଷ୍ଟ୍ରେଟ୍ ରାକେଶ କୁମାର ପଣ୍ଡାଙ୍କ ଉପସ୍ଥିତିରେ ଜବତ ସାମଗ୍ରୀ ସୁରକ୍ଷିତ ଭାବେ ରଖାଯାଇଛି। ବଡବିଲ ଥାନା ଅଧିକାରୀ ଅଶୋକ କୁମାର ନାୟକ କହିଛନ୍ତି ଯେ, ଏହି ମାମଲାରେ ଅନ୍ୟ ଅଭିଯୁକ୍ତମାନେ କେଉଁଠି ଅଛନ୍ତି ସେନେଇ ତଦନ୍ତ ଜାରି ରଖିଥିବା ସହ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଶିବାଶିଷ୍ ନନ୍ଦ