ବଲାଙ୍ଗିର, ୩ ଜୁନ୍ (ହି.ସ.) - ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସ୍ଥିତ ଓସ୍ୱାନ ହଲ ଠାରେ ଆଭାସୀ ମାଧ୍ୟମରେ ବଲାଙ୍ଗିର ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଜିଲ୍ଲାପାଳ ଗୌରୱ ଶୀୱାଜୀ ଇସଲୱାରଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ , ବଲାଙ୍ଗିର ମାନ୍ୟବର ବିଧାୟକ କଳିକେଶ ନାରାୟଣ ସିଂ ଦେଓ , ବଲାଙ୍ଗିର ପୌରପରିଷଦ ପୌରାଧ୍ୟକ୍ଷା ଲିକା ସାହୁ , କଂଟାବାଞ୍ଜି ବିଧାୟକଙ୍କ ପ୍ରତିନିଧି, ବଲାଙ୍ଗିର ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି , ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା ,ଜିଲ୍ଲା ସହରାଂଚଳ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦ୍ଦେଶକ ତରଣି ସୁନା, ବଲାଙ୍ଗିର ଉପ ଜିଲ୍ଲାପାଳ ଆଲୋକ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ । ଅଭାଷୀ ମାଧ୍ୟମରେ ଜିଲ୍ଲାର ସମସ୍ତ ବ୍ଲକ ରୁ ପଂଚାୟତ ସମିତି ର ଅଧ୍ୟକ୍ଷ,ଅଧ୍ୟକ୍ଷା, ପୌର ପରିଷଦ ଓ ଏନଏସି ର ଅଧ୍ୟକ୍ଷ, ଅଧ୍ୟକ୍ଷା, ବିଡିଓ ,ତହସିଲଦାର ତଥା ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ । ବୈଠକରେ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ ଏବଂ ବନ୍ୟା ,ବାତ୍ୟା ର ମୁକାବିଲା ନିମନ୍ତେ ଆଗୁଆ ପଦକ୍ଷେପ ନେବା ସହ ଏହାର ସୁପରିଚାଳନା ନିମନ୍ତେ ବିଭାଗୀୟ ଅଧିକାରୀ ତଥା କ୍ଷେତ୍ର କର୍ମଚାରୀ ମାନେ ସଜାଗ ରହିବାକୁ ଉପମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ ଏବଂ ବନ୍ୟା ,ବାତ୍ୟା ର ମୁକାବିଲା ନିମନ୍ତେ ଜିଲ୍ଲାରେ ପ୍ରାକ ପ୍ରସ୍ତୁତି ଓ ପରବର୍ତୀ ପଦକ୍ଷେପ ସମ୍ପର୍କରେ ସୂଚନା ଦେବା ସହ ବୈଠକରେ ଆଲୋଚ୍ୟ ବିଷୟ ଉପସ୍ଥାପନା କରିଥିଲେ । ବନ୍ୟା ,ବାତ୍ୟା ଦ୍ୱାରା ଅଧିକ କ୍ଷତିଗ୍ରସ୍ତ ସ୍ଥାନ ଚିହ୍ନଟ କରିବା ସହ ସମସ୍ତ ଜରୁରୀକାଳିନ ସାମଗ୍ରୀ ମହଜୁଦ ରଖିବାକୁ ସେ ବିଭାଗ ଗୁଡିକୁ ନିର୍ଦ୍ଦେଶ ଦେଇଥିଲେ। ଚୂଡା,ଗୁଡ, ଚାଉଳ ଆଦି ଯଥେଷ୍ଟ ପରିମାଣରେ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଏହି ସମୟରେ ଲୋକମାନଙ୍କ ସ୍ୱାସ୍ଥ୍ୟ ଠିକ ରଖିବାକୁ ପାଣି ଟେଷ୍ଟ ଉପରେ ଗୁରୁତ୍ୱ ଦେବା, ଡାଇରିଆ ପାଇଁ ସତର୍କତା ଅବଲମ୍ବନ କରିବା, ଅସ୍ଥାୟୀ କ୍ୟାମ୍ପ ଦ୍ୱାରା ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଆଦି କରିବାକୁ କହିଥିଲେ। ସେହିପରି ପାନୀୟ ଜଳ ଯାଉଥିବା ପାଇପ ଗୁଡିକ ଡ୍ରେନ ଠାରୁ ଦୂରେରେ ରଖିବାକୁ ସମ୍ପୃକ୍ତ ଅଧିକାରୀଙ୍କ ନିର୍ଦ୍ଦେଶ ଦେଇଥିଲେ । ଜଳବନ୍ଦୀ ଜାଗା ଗୁଡିକରେ ପମ୍ପ ରଖି ଯଥା ଶୀଘ୍ର ଜଳ ନିଷ୍କାସନ ପାଇଁ ଧ୍ୟାନ ଦେବାକୁ କହିଥିଲେ । ତହସିଲଦାର ମାନେ ଜରି ଷ୍ଟକ ରଖିବା ସହ ଜରୁରୀ ସମୟରେ ବ୍ୟବହାର କରିବାକୁ କହିଥିଲେ । ବିଦ୍ୟୁତ ବିଭାଗ କୁ ବିଦ୍ୟୁତ କାଟ ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପାଣି ଜମିରହୁଥିବା ସ୍ଥାନ ଗୁଡିକୁ ଚିହ୍ନଟ କରି ଯଥାଶୀଘ୍ର ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବା ,ବର୍ଷା ପୂର୍ବରୁ ସମସ୍ତ ନାଳ ଗୁଡିକୁ ସଫା କରିବା ,ବଲାଙ୍ଗିର ପୌର ପରିଷଦ ଅନ୍ତର୍ଗତ ଲକ୍ଷ୍ମୀଜୋର ର ସଫେଇ କାର୍ଯ୍ୟକୁ ତ୍ୱରାନ୍ୱିତ କରି ଯଥାଶୀଘ୍ର ସମ୍ପୂର୍ଣ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ସମ୍ଭାବ୍ୟ ବନ୍ୟା ବାତ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରାଣୀ ସମ୍ପଦର ସୁରକ୍ଷା ନିମନ୍ତେ ଆଗୁଆ କାର୍ଯ୍ୟଖସଡା ପ୍ରସ୍ତୁତ କରିବା ସହ ପର୍ଯ୍ୟାପ୍ତ ପରିମାଣରେ ଆବଶ୍ୟକ ଔଷଧ ରଖିବା ଓ ଟୀକାକରଣ କରିବାକୁ ସିଡିଭିଓ ଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାର ବିଭିନ୍ନ ଜଳସେଚନ ପ୍ରକଳ୍ପ ଓ ନଦୀବନ୍ଧ ଗୁଡିକର ବନ୍ୟା ପ୍ରବଣ ସ୍ଥାନ ଚିହ୍ନଟ କରି ଆବଶ୍ୟକ ପ୍ରତିକାର ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ବୈଠକ ଶେଷରେ ଜିଲ୍ଲାପାଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ