ଧର୍ମଶାଳା, ୩ ଜୁନ୍ (ହି.ସ.)- ଯାଜପୁର ଜିଲା ଧର୍ମଶାଳା ବ୍ଲକ କାଏମା ପଂଚାୟତସ୍ଥିତ ଲାଲବାହଦୁର ସରକାରୀ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ନବଘନ ରାଉତ ଓ ସହକାରୀ ଶିକ୍ଷୟିତ୍ରୀ ମଞ୍ଜୁଲତା ପତିଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ସ୍ମିତା ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ପଣ୍ଡିତ କାମଦେବ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରିବା ସହ ଉଭୟ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ପାଠପଢା ଉଚ୍ଚ କୋଟିର । ସେମାନେ ମୌଳିକ ଶିକ୍ଷା ପଦ୍ଧତିକୁ ଅଧିକ ଗୁରୁତ୍ୱ ଦେଉଥିଲେ ବୋଲି କହିଥିଲେ । ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ସ୍ତମ୍ଭକାର ମନୋରଞ୍ଜନ ମହାନ୍ତି ମୁଖ୍ୟବକ୍ତା ଭାବେ ଯୋଗଦେଇ ଶିକ୍ଷକ ଓ ଶିକ୍ଷାର୍ଥୀ ଉଭୟ ପରିପୂରକ । ସକାରାତ୍ମକ ବିଚାରବୋଧ ଶିକ୍ଷାର ମୂଳ ଆଧାର ବୋଲି ଶ୍ରୀ ମହାନ୍ତି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ଡ଼କ୍ଟର ପ୍ରଶାନ୍ତ କୁମାର ସ୍ୱାଇଁ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଭୂତି ଭୂଷଣ ପାଳ, ଶିକ୍ଷାବିତ ଅନନ୍ତ ଚରଣ ସ୍ୱାଇଁ, ପ୍ରଧାନ ଶିକ୍ଷୟିତ୍ରୀ କୁମୁଦିନି ମହାନ୍ତି, ସରପଚ ସୌମ୍ୟ ରଞ୍ଜନ ପଣ୍ଡା, ସମିତି ସଭ୍ୟ ବିଷ୍ଣୁଚରଣ ନାଏକ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ମମିତା ମହାନ୍ତି ଓ ସିଆରସିସି ଅମରେନ୍ଦ୍ର ଜେନା ପ୍ରମୁଖ ଯୋଗଦେଇ ଉଭୟ ସହକାରୀ ଶିକ୍ଷକ ଶ୍ରୀ ରାଉତ ଓ ଶିକ୍ଷୟିତ୍ରୀ ଶ୍ରୀମତୀ ପତି ଶିକ୍ଷାଜଗତ ପାଇଁ ଆଦର୍ଶ ଥିଲେ ବୋଲି କହିଥିଲେ । ଶିକ୍ଷକ ଅନିଲ କୁମାର ମହାରଣା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ । ଶିକ୍ଷକ ବିଜୟ କୁମାର ଦାସ ବିବରଣୀ ପାଠ କରିଥିଲେ । ଏଥିରେ ସ୍କୁଲ ପରିଚାଳନା କମିଟି, ବ୍ଲକ ଶିକ୍ଷକ ସଂଘ ଓ ଛାତ୍ରଛାତ୍ରୀ ମାନେ ଯୋଗଦେଇଥିଲେ । ବିଦ୍ୟାଳୟ ପକ୍ଷରୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ଶିକ୍ଷୟିତ୍ରୀ ଗୀତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ