ଆଉ ନେପାଳରୁ ଆସୁନି କସ୍ତୁରୀ
କସ୍ତୁରୀ ବିନା ଚମକୁନି ଶ୍ରୀଜୀଉଙ୍କ ଶ୍ରୀମୁଖ
ପୁରୀ, 4 ଜୁନ୍ (ହି.ସ.)-ଶ୍ରୀମନ୍ଦିରରେ ଶୀଜୀଉଙ୍କ ଶ୍ରୀମୁଖ ଶୃଙ୍ଗାରରେ କସ୍ତୁରୀ ଲାଗି ହୋଇଥାଏ । କସ୍ତୁରୀ ଯୋଗୁ ଶ୍ରୀମୁଖ ଉଜ୍ଜ୍ବଳତା ଦେଖାଦିଏ । ନେପାଳ ନରେଶ ଶ୍ରୀମନ୍ଦିରକୁ କସ୍ତୁରୀ ଯୋଗାଇ ଆସୁଥିଲେ । ସେଥିପାଇଁ ନେପାଳ ନରେଶ ପୁରୀ ଆସିଲେ ଦକ୍ଷିଣ ଦ୍ବାର ଦେଇ ଗର୍ଭ ଗୃହରେ ରତ୍ନସିଂହାସନ ତଳେ ପୂଜାର୍ଚ୍ଚନା କରିବା ପ୍ରଥା ଚଳିଆସୁଛି । ନେପାଳରେ ରାଜତନ୍ତ୍ର ଲୋପ ପାଇ ଗଣତନ୍ତ୍ର ପ୍ରତିଷ୍ଠା ହୋଇଛି । ନେପାଳ ଜଙ୍ଗଲରେ କସ୍ତୁରୀ ମୃଗ ଅଧିକ ରହିଥାନ୍ତି । ଜୀଅନ୍ତା ମୃଗକୁ ଶିକାର କରି ତା ନାଭିରୁ କସ୍ତୁରୀ ସଂଗ୍ରହ କରାଯାଇଥାଏ । ଏବେ ନେପାଳ ସରକାର ପଚୁର ପରିମାଣରେ କସ୍ତୁରୀ ଯୋଗାଇ ପାରୁନାହାନ୍ତି । ଯାହା ଫଳରେ ଶ୍ରୀମନ୍ଦିରରେ କସ୍ତୁରୀର ଅଭାବ ପରିଲକ୍ଷିତ ହେଉଛି ।ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ହିଙ୍ଗୁଳ, ହରିତାଳ, କର୍ପୂର, କେଶର ଓ କସ୍ତୁରୀ ଆଦି ସାମଗ୍ରୀ ଆବଶ୍ୟକ ହୁଏ । ଶ୍ରୀମନ୍ଦିର ପ୍ରଶାସନ ଏବେ କସ୍ତୁରୀ ପାଇଁ ଚିନ୍ତା ପ୍ରକଟ କରିଛନ୍ତି । ତିନି ଦାରୁମୂର୍ତ୍ତିଙ୍କ ମୁଖମଣ୍ଡଳରେ ଶୃଙ୍ଗାରକୁ ମନ୍ଦିର ଭାଷାରେ ବନକଲାଗି କୁହାଯାଏ । ଏଥିପାଇଁ କସ୍ତୁରୀ ଏକ ଅତ୍ଯାବଶ୍ଯକ ସାମଗ୍ରୀ । କସ୍ତୁରୀ ବିନା ମହାପ୍ରଭୁଙ୍କ ଶୃଙ୍ଗାର ଅଧୁରା ବୋଲି ଦତ୍ତ ସେବାୟତ ମାନେ ମତପ୍ରକାଶ କରାଛନ୍ତି । କବି ସାଲବେଗ ମହାପ୍ରଭୁଙ୍କ ଶ୍ରୀମୁଖ ଦେଖି ଲେଖିଛନ୍ତି ଝଲ ଝଲ ଦିଶୁଥାଇ ମୁକୁତାର ଝଟକ... କୌଣସି ଆଭୂଷଣ ନଥାଇ ମହାପ୍ରଭୁଙ୍କ ମୁଖମଣ୍ଡଳ ଭକ୍ତଙ୍କୁ ଆକର୍ଷିତ କରେ । ଏହି ଆକର୍ଷଣର କାରଣ ମୁହଁର ରଙ୍ଗ ବିନ୍ଯାସ । ଏହି ରଙ୍ଗ ବିନ୍ଯାସ ବା ବନକଲାଗି ନୀତି ପାଇଁ ଏକ ସ୍ଵତନ୍ତ୍ର ସେବାୟତ ଅଛନ୍ତି । ଏମାନଙ୍କୁ ଦତ୍ତ ମହାପାତ୍ର ସେବକ କୁହାଯାଏ । ରଙ୍ଗ ପ୍ରସ୍ତୁତ କରିବା ଓ ବିଗ୍ରହଙ୍କ ଶ୍ରୀମୁଖରେ ଲଗାଇବା ଏମାନଙ୍କ ପ୍ରମୁଖ କାର୍ଯ୍ୟ । ବିଧିମତେ ଥରେ ବନକଲାଗି ପାଇଁ ୧୦ ହଜାରରୁ ଅଧିକ ଟଙ୍କା ଲାଗିଥାଏ । କାରଣ ରଙ୍ଗ ସହିତ କସ୍ତୁରୀ ଓ କେଶର ଭଳି ଦାମୀ ସୁବାସିତ ପ୍ରାକୃତିକ ରଙ୍ଗ ବ୍ୟବହୃତ ହୁଏ । ବଜାରରେ ମିଳୁଥିବା ରଙ୍ଗ ବନକଲାଗିରେ ବ୍ଯବହୃତ ହୁଏ ନାହିଁ । ମହାପ୍ରଭୁଙ୍କ ଲାଗି ଉଦ୍ଦିଷ୍ଟ ରଙ୍ଗ ଗୁଡିକ ପ୍ରସ୍ତୁତ ପାଇଁ ଭିତର ବେଢାରେ ଉତରପଟେ ଗୋଟିଏ କୋଠରୀ ରହିଛି । ଏହାକୁ ବନକଲାଗି ଘର କୁହାଯାଏ । ଶଙ୍ଖକୁ ଚୂର୍ଣ୍ଣ କରି ଧଳା ରଙ୍ଗ, ହରିତାଳ ତାଳରୁ ହଳଦିଆ ଓ ହିଙ୍ଗୁଳରୁ କଳା ରଙ୍ଗ ପ୍ରସ୍ତୁତ ହୁଏ । ଏସବୁ ରଙ୍ଗରେ କର୍ପୂର ଓ କସ୍ତୁରୀ ମିଶେ କସ୍ତୁରୀରୁ ଯୋଗୁ ମହାପ୍ରଭୁଙ୍କ ମୁଖମଣ୍ଡଳ ଉଜ୍ଜ୍ବଳ ଓ ମଶ୍ରୃଣ ଗୁପ୍ତ । ରତ୍ନସିଂହାସନ ଆଗରେ ଯେଉଁ ମହାପ୍ରସାଦ ବଢାହୁଏ ତାହାର ଗରମ ବାଷ୍ପ ଯୋଗୁ ମୁଖମଣ୍ଡଳର ଉଜ୍ଜ୍ବଳତା କମିଯାଏ । କସ୍ତୁରୀ ବ୍ୟବହାର ଯୋଗୁ ରଙ୍ଗ ଦୀର୍ଘସ୍ଥାୟୀ ହୁଏ । ଏହାଛଡା ଅଣସର ସମୟରେ ଗୁପ୍ତ ନୀତି ଯଥା ଖଡିଲାଗି, ଖଳିଲାଗି ଓ ଚନ୍ଦନ ସର୍ବାଙ୍ଗ ପାଇଁ କସ୍ତୁରୀ ନିହାତି ଆବଶ୍ୟକ ହୋଇଥାଏ । ଗୋଟିଏ ଥର ଶ୍ରୀଜୀଉ ମାନଙ୍କର ଶ୍ରୀମୁଖ ସିଂହାର ପାଇଁ ଅନ୍ୟୂନ ୫ ଗ୍ରାମ କସ୍ତୁରୀ ଆବଶ୍ୟକ । ବର୍ଷକୁ ଠାକୁରଙ୍କ ଅନ୍ୟୂନ ଶହେ ଗ୍ରାମ କସ୍ତୁରୀ ଦରକାର । ନେପାଳରେ ରାଜତନ୍ତ୍ର ଥିବାବେଳେ ଏହା ମିଳିବାରେ ଅସୁବିଧା ହେଉନଥିଲା । କସ୍ତୁରୀ କିଣା ବିକା ଉପରେ କଟକଣା ରହିଥିବାରୁ ପ୍ରଶାସନ ଚାହିଁଲେ ମଧ୍ଯ କିଣିପାରୁନାହିଁ । କସ୍ତୁରୀର ଦ୍ରବ୍ଯ ସମ୍ପର୍କରେ ଆୟୁର୍ବେଦରେ କଟୁ,ତିକ୍ତ, ଖାରଯୁକ୍ତ ଉଷ୍ମ, ଦୁର୍ଗନ୍ଧ ଓ ଶୋଷନାଶକ ଉଲ୍ଲେଖ ଅଛି । ଏଣୁ ରଙ୍ଗରେ ମିଶିଥିଲେ ଏହା ରଙ୍ଗର ଉଜ୍ଜ୍ବଳତା ବଢାଇଥାଏ । ଏକ ନିର୍ଦ୍ଦିଷ୍ଟ ପ୍ରଜାତିର ପୁରୁଷ ମୃଗର ନାଭି ଓ ଗୁହ୍ୟାଙ୍ଗର ମଧ୍ୟବର୍ତ୍ତୀ ସ୍ଥାନରେ ଥିବା ଏକ ଗୋଟାଳିଆ କୋଷରୁ କସ୍ତୁରୀ ମିଳେ । କସ୍ତୁରୀ ପାଞ୍ଚ ପ୍ରକାର ବୋଲି ପୁରଖା ସେବାୟତ କହିଛନ୍ତି । ଧୂଳି ପରି ସୂକ୍ଷ୍ମ ଦାନାଥିବା କସ୍ତୁରୀକୁ ଖରିକା, ରାଶିପରି ଦାନାଯୁକ୍ତ କସ୍ତୁରୀକୁ ତିଳିକା, କୋଳଥ ଆକାର କସ୍ତୁରୀକୁ କୂଳଥିକା, ଖଣ୍ଡ ଖଣ୍ଡ କସ୍ତୁରୀକୁ ଇଣ୍ଡିକା ଓ ବଡ ବଡ ଖଣ୍ଡ କସ୍ତୁରୀକୁ ନାୟିକା କସ୍ତୁରୀ କୁହାଯାଏ । ପିଣ୍ଡିକା ଓ ନାୟିକା ଅଧିକ ଦାମୀ ଓ ପ୍ରଭାବଶାଳୀ । କସ୍ତୁରୀ ନିଜର ସୁଗନ୍ଧିରେ କେତକୀ ଫୁଲର ସୁଗନ୍ଧ ବିନ୍ଯାସ କରିପାରେ । ଶ୍ରୀମୁଖ ପାଇଁ ବ୍ୟବହାର ରଙ୍ଗରେ ଏହା କିଞ୍ଚିତ ପରିମାଣରେ ଥିଲେ ମଧ୍ଯ କୀଟ ଓ ପୋକ ଦାଉରୁ ଶ୍ରୀମୁଖକୁ ରକ୍ଷା କରେ । ଜଗନ୍ନାଥଙ୍କ ଅନ୍ଯ ଅବତାର ଶ୍ରୀକୃଷ୍ଣଙ୍କର ଲଲାଟରେ କସ୍ତୁରୀ ତିଲକ ଶୋଭା ପାଇବାର ବର୍ଣ୍ଣନା ରହିଛି । ଏଣୁ କସ୍ତୁରୀ ବିନା ମହାପ୍ରଭୁଙ୍କ ଶୃଙ୍ଗାର ଅସଂପୂର୍ଣ୍ଣ । ଅତର ଓ ଔଷଧ ପାଇଁ କସ୍ତୁରୀ ମୃଗ ଶିକାର ହେଉଛି ଓ ଲୋକେ ଚୋରାରେ କିଣୁଛନ୍ତି । କିନ୍ତୁ ମହାପ୍ରଭୁଙ୍କ ପାଇଁ କସ୍ତୁରୀ ମିଳିପାରୁନାହିଁ । ଭାରତୀୟ ବନ୍ୟପ୍ରାଣୀ ସୁରକ୍ଷା ଆଇନ ୧୯୭୨ ଓ ବନ୍ୟପ୍ରାଣୀ ସୁରକ୍ଷା ସଂଶୋଧିତ ଆଇନ ୧୯୯୧ ରେ ଏହି କାରବାରକୁ ନିଷେଧ କରାଯାଇଛି । ଆଗେ କିଛି ଭକ୍ତ ଖରିଦ କରି ଶ୍ରୀଜୀଉ ମାନଙ୍କ ପାଇଁ ପଠାଉଥିଲେ । ଏବେ ଆଉ ଆସିପାରୁନାହିଁ । କସ୍ତୁରୀ ପାଇବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଭାରତୀୟ ଦୂତାବାସରେ ସାହାଯ୍ଯ ନେବା ପାଇଁ ବୁଦ୍ଧଜୀବୀ ମାନେ ମତପ୍ରକାଶ କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ବିଜୟ