ସର୍ଡା ଗ୍ରାମରେ ନେଟୱର୍କ ସମସ୍ୟା
ସମ୍ବଲପୁର, ୬ ଜୁନ୍ (ହି.ସ.)- ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ସଦର ମହକୁମାରୁ ମାତ୍ର ୮ କିଲୋମିଟର ଦୂରରେ ବଡ଼ରମା ଅଭୟାରଣ୍ୟ ଜଙ୍ଗଲ ପାହାଡ଼ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ସର୍ଡା ଗ୍ରାମପଂଚାୟତ । ଏହି ପଂଚାୟତ ବର୍ତମାନ ଦୀର୍ଘ ଦିନ ଧରି ଇଂଟରନେଟ ସେବାରୁ ବିଛିନ୍ନ ରହିଆସିଛି । ଏପରିକି ଗ୍ରାମରେ ବି.ଏସ
ସର୍ଡା ଗ୍ରାମରେ ନେଟୱର୍କ ସମସ୍ୟା


ସମ୍ବଲପୁର, ୬ ଜୁନ୍ (ହି.ସ.)- ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ସଦର ମହକୁମାରୁ ମାତ୍ର ୮ କିଲୋମିଟର ଦୂରରେ ବଡ଼ରମା ଅଭୟାରଣ୍ୟ ଜଙ୍ଗଲ ପାହାଡ଼ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ସର୍ଡା ଗ୍ରାମପଂଚାୟତ । ଏହି ପଂଚାୟତ ବର୍ତମାନ ଦୀର୍ଘ ଦିନ ଧରି ଇଂଟରନେଟ ସେବାରୁ ବିଛିନ୍ନ ରହିଆସିଛି । ଏପରିକି ଗ୍ରାମରେ ବି.ଏସ.ଏନ.ଏଲ. ନେଟୱର୍କ ଥିଲେ ମଧ୍ୟ ଅନେକ ସମୟରେ ନେଟୱର୍କ ଫେଲ ରହିଥାଏ, ଏପରିକି ନେଟୱର୍କ ଥିଲେ ମଧ୍ୟ ଗ୍ରାମରେ ଇଂଟରନେଟ ସେବା ମିଳିନଥାଏ, ଯାହା ଫଳରେ ଅଂଚଳବାସୀ ଜଙ୍ଗଲରେ ପାହାଡ଼ ଉପରେ ଥିବା ଏକ ପଥର ପାଖରେ ରହି ଇଂଟରନେଟ ସେବା ବ୍ୟବହାର କରିଥାନ୍ତି । ବର୍ତମାନର ଏହି ୫ଜି ଦୁନିଆରେ ମଧ୍ୟ ସର୍ଡ଼ା ଗ୍ରାମବାସୀ ଇଂଟରନେଟ ଓ ଭଲ ନେଟୱର୍କରୁ ବଂଚିତ ଅଛନ୍ତି । ଗୋଟିଏ ପଟେ ଭାରତ ବିକାଶରେ ମାଇଲଖୁଂଟ ବୃଦ୍ଧି କରୁଥିବା ବେଳେ ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତର ଏକମାତ୍ର ଆଦର୍ଶ ଗ୍ରାମକୁ ସରକାର ଆଜି ପର୍ଯ୍ୟନ୍ତ ନେଟୱର୍କ ଯୋଗାଇ ପାରିନାହାନ୍ତି । ଏହା ସମ୍ବଲପୁର ଜିଲ୍ଲାର ପ୍ରଥମ ତଥା ଏକମାତ୍ର ଆଦର୍ଶ ଗ୍ରାମ ଥିବାବେଳେ ତତକାଳୀନ ଜିଲ୍ଲାପାଳ ବଲ୍ୱନ୍ତ ସିଂ ଙ୍କ ତତ୍ୱାବଧାନରେ ଏହି ଗ୍ରାମଟି ସରକାରଙ୍କ ନଜରକୁ ଆସିଥିଲା ଓ ଏହି ଗ୍ରାମକୁ ଆଦର୍ଶ ଗ୍ରାମ ଭାବେ ତତ୍କାଳୀନ ସାଂସଦ ନଗେନ୍ଦ୍ର ପ୍ରଧାନ ଗ୍ରହଣ କରିଥିଲେ । ସର୍ଡ଼କ୍ଷ, ତିଳେଇମାଲ, ପଥୁରିଆ, ପୋଡ଼ାଡିହି, ସାଲୋହି ଗ୍ରାମକୁ ନେଇ ଏହି ପଂଚାୟତ ଥିବାବେଳେ ସଦର ପଂଚାୟତ ସର୍ଡ଼ା ସହିତ ଅନ୍ୟ ଗ୍ରାମ ଆଜି ପର୍ଯ୍ୟନ୍ତ ଇଂଟରନେଟ ଓ ଭଲ ନେଟୱର୍କରୁ ବଂଚିତ ରହିଛି । ଗ୍ରାମର ଜଣେ କଲେଜ ଛାତ୍ରଙ୍କ କହିବା ଅନୁଯାୟୀ, ବିଭିନ୍ନ ସମୟରେ କଲେଜ ପକ୍ଷରୁ ସିଲାବସ ଗୁଡିକ ୱାଟସ ଅପ ମାଧ୍ୟମରେ ପ୍ରଦାନ କରିଥାନ୍ତି କିନ୍ତୁ ଗ୍ରାମରେ ଇଂଟରନେଟ ନ ଥିବାରୁ ଆମକୁ ଦୁଇ କିଲୋମିଟର ପାହାଡ଼ ଉପରକୁ ଯାଇ ସିଲାବସ ଡାଉନ ଲୋଡ଼ କରି ପାଠ ପଢିବାକୁ ପଡ଼ିଥାଏ; ଏପରିକି ବେଳେ ବେଳେ ସେଠାରେ ରହି ଅନଲାଇନରେ ପାଠ ମଧ୍ୟ ପଢିଥାଉ । ସେହିପରି ଗ୍ରାମପଂଚାୟତ ସରପଂଚ ଗୀତା ବାଘ କହନ୍ତି ଯେ, ଗ୍ରାମରେ ଇଂଟରନେଟ ନ ଥିବାରୁ ପ୍ରଶାସନିକ ସ୍ତରରେ ହେଉଥିବା ବିଭିନ୍ନ ବୈଠକ ସମ୍ପର୍କରେ ମଧ୍ୟ ଜଣାପଡ଼ିନଥାଏ, ଏପରିକି କିଛି ଦିନ ପୂର୍ବରୁ ଜମନକିରାରେ ହୋଇଥିବା ସମିତି ବୈଠକ ସମ୍ପର୍କରେ ନ ଜାଣିପାରିବାରୁ ଏଥିରେ ଯୋଗ ଦେଇ ପାରିନଥିଲି ।

ସେହିପରି ଗ୍ରାମର ଅଙ୍ଗନବାଡି କର୍ମୀଙ୍କ କହିବା ଅନୁଯାୟୀ, ଆମକୁ ପ୍ରତିଦିନ ଦୁଇ କିଲୋମିଟର ପାହାଡ଼ ଉପରକୁ ଯାଇ ଗର୍ଭବତୀ ମହିଳାଙ୍କ ରିପୋର୍ଟ ଏବଂ ସରକାରଙ୍କ ପକ୍ଷରୁ ମଗା ଯାଇଥିବା ଅନ୍ୟ ରିପୋର୍ଟ ଦେବାକୁ ଯିବାକୁ ପଡିଥାଏ । ଏପରିକି କେତେବେଳେ ରିପୋର୍ଟ ପଠାଉଥିବା ସମୟରେ ଆମେ ହାତୀର ସମ୍ମୁଖୀନ ମଧ୍ୟ ହୋଇଥାଉ । ସେହିପରି ଗ୍ରାମର ୱାର୍ଡ ସଭ୍ୟ ଦିନବନ୍ଧୁ ଡନସେନାଙ୍କ କହିବା ଅନୁଯାୟୀ, ଆମ ଗାଁ ରେ ନେଟୱର୍କ ନ ଥିବାରୁ ଗାଁ ରେ ଅସୁସ୍ଥ ହେଉଥିବା ବ୍ୟକ୍ତିଙ୍କୁ ଡାକ୍ତରଖାନା ନେବାକୁ ବହୁତ କଷ୍ଟକର ହୋଇଥାଏ। ଏପରିକି ନେଟୱର୍କ ନ ଥିବାରୁ ଆମେ ୧୦୮ କୁ ଯୋଗାଯୋଗ କରିପାରିନଥାଉ ଯାହା ଫଳରେ ଆମକୁ ଖର୍ଚ୍ଚାନ୍ତ ହେବାକୁ ପଡିଥାଏ । ଦିନେ ସାଂସଦ ଆଦର୍ଶ ଗ୍ରାମ ମାନ୍ୟତା ପାଇଥିବା ଏହି ଗ୍ରାମରେ ବର୍ତମାନ ପର୍ଯ୍ୟନ୍ତ ଭଲ ନେଟୱର୍କ ଏବଂ ଇଂଟରନେଟ ନ ଥିବାରୁ ଗ୍ରାମକୁ ପ୍ରଦାନ କରାଯାଇଥିବା ବ୍ୟାଙ୍କିଙ୍ଗ ସେବା ସହ ଅନ୍ୟ ସେବା ଠପ୍ ହୋଇପଡିଛି, ଏଣୁ ସର୍ଡ଼ା ଗ୍ରାମବାସୀ ସମ୍ବଲପୁର ଜିଲ୍ଲାପାଳଙ୍କୁ ସର୍ଡ଼ା ଗ୍ରାମ ପରିଦର୍ଶନ କରି ଗ୍ରାମର ସମସ୍ୟାର ସମାଧାନ ସରକାରଙ୍କୁ ଜଣାଇ ଏହାର ପ୍ରତିକାର ପ୍ରତି ଧ୍ୟାନ ଦେଇ ଗ୍ରାମରେ ୫ଜି ନେଟୱର୍କ ପ୍ରଦାନ କରିବା ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande