ଜୟପୁର, ୮ ଜୁନ୍ (ହି.ସ.)- ଜୟପୁର ଯାଦବ ଭବନ ଠାରେ କୋରାପୁଟ ଜିଲ୍ଲା ଇପିଏଫ ପେନସନର୍ସ ଆସୋସିଏସନ୍ ର ବୈଠକ ନଳିନୀକାନ୍ତ ରଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସର୍ବନିମ୍ନ ପେନସନ ମାସିକ ୯୦୦୦/ ଟଙ୍କା ସହ ମହଙ୍ଗା ଭତ୍ତା ଯୋଡିବା ଓ ଚିକିତ୍ସା ସହାୟତା ପାଇଁ ଦାବି କରି ଚାଲିଥିବା ଆନ୍ଦୋଳନକୁ ଜାରି ରଖିବା ସହ ଆଗାମୀ ସଂସଦ ଅଧିବେଶନରେ ଦେଶର ସତୁରୀ ଲକ୍ଷରୁ ଅଧିକ ପେନସନ୍ ଭୋଗୀଙ୍କ ସର୍ବନିମ୍ନ ଦାବିକୁ ଉପସ୍ଥାପନା କରିବା ପାଇଁ ବିଭିନ୍ନ ଦଳ ଓ ସଂଗଠନ ସହ ଜାତୀୟ ସ୍ତରରେ ନେତା ମାନେ ପ୍ରୟାସ ଜାରି ରଖିଛନ୍ତି। ଏଆଇଟିୟୁସି ର ଜାତୀୟ ସାଧାରଣ ସମ୍ପାଦକ ଶ୍ରୀମତୀ ଅମରଜିତ୍ କାଉର୍ , ସିଟୁର ସମ୍ପାଦକ ତପନ ସେନ୍ , ବି ଏମ୍ ଏସ୍ ର ଗିରୀଶ ଚନ୍ଦ୍ର, ଆଇଏନଟିୟୁସିର ପି. କେ. ରାଜୁଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ପ୍ରକାଶଯୋଗ୍ୟ ଯେ, ଶ୍ରମିକ ମାନେ ସେମାନଙ୍କ ଚାକିରୀ କାଳରେ ଯେଉଁ ପି ଏଫ୍ ଟଙ୍କା କାଟି ଜମା ରଖିଛନ୍ତି ତାର କେବଳ କିଛି ଅଂଶ ପେନସନ୍ ପାଇଁ ଖର୍ଚ୍ଚ କଲେ ବୃଦ୍ଧ ବୟସରେ ଶ୍ରମିକ ମାନେ ଅନ୍ତତଃ ବଞ୍ଚିବା ଭଳି ପେନସନ୍ ପାଇପାରନ୍ତେ । ବିଭିନ୍ନ ରାଜ୍ୟରେ ବାର୍ଦ୍ଧକ୍ୟ ଭତ୍ତା ତିନି ହଜାରରୁ ଉର୍ଦ୍ଧ୍ୱ ପାଉଛନ୍ତି। ମୋଦୀ ସରକାର କେବଳ ଉଚ୍ଚ ହାରରେ ପେନସନ ମିଳିବାର ପ୍ରଚାର କରୁଛି, କିନ୍ତୁ କାର୍ଯ୍ୟରେ ପ୍ରତିଫଳିତ ହେଉନାହିଁ ବୋଲି ସଭ୍ୟ ମାନେ ମତ ରଖିଛନ୍ତି।
ଆଜିର ସଭାରେ ସର୍ବଶ୍ରୀ ଏନ୍ ଏସ ମୁର୍ତ୍ତି, ଅଚ୍ୟୁତ ମାଳି, କେଶବ ଚନ୍ଦ୍ର ପଣ୍ଡା, ପି. ଗୈ।ରୀ ଶଙ୍କର ରାଓ, ଉମା ରଥ, ବସନ୍ତ ବେହେରା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି