ରାଇରଙ୍ଗପୁର, ୧ ଜୁଲାଇ (ହି.ସ.)- ରାଇରଙ୍ଗପୁର ମହୁଲଡିହା ଠାରେ ୨ ନମ୍ବର ୱାର୍ଡରେ ଥିବା ସତସଙ୍ଗ କେନ୍ଦ୍ର ତଥା ଆଖପାଖ ୧୫ଟି ପରିବାର ଜଳ ଘେରରେ ରହୁଛନ୍ତି l ୧୦ରୁ ୧୨ ଦିନ ହେବ ଲଗାତାର ବର୍ଷା ଯୋଗୁଁ ଘର ଭିତରେ ଓ ଅଗଣାରେ ଆଣ୍ଠୁଏ ଲେଖାଏଁ ପାଣି ଭର୍ତ୍ତି ହେବା ଦ୍ବାରା ସାଧାରଣ ଲୋକେ ଚଳପ୍ରଚଳ କରିବା କଷ୍ଟକର ହୋଇଛି ଓ ଆସବାବ ପତ୍ର ଭିଜି ନଷ୍ଟ ହୋଇଯାଇଛି l ଜଳ ଘେରରେ ରହି ଥଣ୍ଡା, ଜ୍ବର, ଥଣ୍ଡା ଓ କାଶ ବୃଦ୍ଧି ପାଉଛି l ଏ ଅଞ୍ଚଳରେ ଥିବା ସତସଙ୍ଗ କେନ୍ଦ୍ରରୁ ନିର୍ଗତ ହେଉଥିବା ଡ୍ରେନ ସମ୍ମୁଖ ଘର ଅବରୋଧ କରିବା ପରେ ରାଇରଙ୍ଗପୁର ମ୍ଯୁନିସିପାଲିଟି ଉକ୍ତ ଡ୍ରେନ ଉପରେ ରାସ୍ତା ସହ କଂକ୍ରିଟ ରୋଡ କରିବା ଓ ଜଳ ନିଷ୍କାସନର ମୁଖ୍ଯ ସ୍ଥାନକୁ ଅବରୋଧ କରିବା ଦ୍ବାରା ବର୍ଷାପାଣି ଓ ଘର ପ୍ରଚଳନ ପାଣି ବାହାରକୁ ନ ଯାଇ କୃତ୍ରିମ ବନ୍ଯା ସୁଷ୍ଟି କରିଛି l କିଛି ଜଣଙ୍କ ସଂପୂର୍ଣ୍ଣ ଛାତ ପାଣି ଡ୍ରେନରେ ନ ଛାଡି ସିଧାସଳଖ ରାସ୍ତା ଉପରେ ପଡୁଥିବାରୁ ତଳୁଆ ଥିବା ଘର ଗୁଡିକ ଉପରେ ତାର ପ୍ରଭାବ ପଡୁଛି l ଫଳରେ କେତେକ ଘର ଭୁଷୁଡି ଯିବା ସହ ଅନ୍ଯ ଘର ଗୁଡିକ ବହୁ ଭାବରେ କ୍ଷତି ହେବାର ଆଶଙ୍କା ସୃଷ୍ଟି ହେଉଛି l ଏ ସଂପର୍କରେ ସ୍ଥାନୀୟ ପୌରାଞ୍ଚଳ ରେ ଅଭିଯୋଗ କଲେ ମଧ୍ଯ ଏଯାବତ କୌଣସି ପଦକ୍ଷେପ ନିଆଯାଇନାହିଁ l ପାଣି ନିଷ୍କାସନ ନିମନ୍ତେ ମଧ୍ଯ କାର୍ଯ୍ଯକ୍ରମ ଏଯାବତ ହୋଇନାହିଁ l ଘରଗୁଡିକ ବତୁରି ରହିଲେ, ଘରଗୁଡିକ ଭୁଷୁଡିବା ସହ ଜନ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି l ଖୁବ ଶୀଘ୍ର ଏହାର ସ୍ଥାୟୀ ସମାଧାନ ନ କଲେ, ପରିସ୍ଥିତି ଅଣାୟତ ହେବ ବୋଲି ବସ୍ତିବାସିନ୍ଦା ଦାବୀ କରିଛନ୍ତି l ଆଜି ରାଇରଙ୍ଗପୁର ପୌରାଞ୍ଚଳ ନିର୍ବାହୀ ଅଧିକାରୀ ଶକୁନ୍ତଳା ହାଁସଦାଃ ଏଠାକୁ ଆସି ଘଟଣାର ତନାଘନା କରିଥିଲେ l
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ