କେନ୍ଦ୍ରାପଡ଼ା, ୧ ଜୁଲାଇ (ହି.ସ.)-କେନ୍ଦ୍ରାପଡ଼ା ଜିଲ୍ଲା ଆଳି ତହସିଲରେ ଥିବା ଉପନିବନ୍ଧକ ଓ ବିବାହ ପଞ୍ଜିକରଣ କାର୍ଯ୍ୟାଳୟ ଦୀର୍ଘ ବର୍ଷ ହେବ ଭଙ୍ଗା ଦଦରା ବିପଦପୂର୍ଣ୍ଣ ଗୃହ ମଧ୍ୟରେ ଚାଲୁଅଛି l କେଉଁଠି ଘରର ଛାତରୁ ରଡ଼ ଦେଖାଗଲାଣି କେଉଁଠି ଛାତରୁ ପ୍ଳାଷ୍ଟର ଖସିଲାଣି ତ କେଉଁଠି କାନ୍ଥ ଫାଟି ଆଁ କଲାଣି ତାହାରି ତଳେ ବିପଦପୂର୍ଣ୍ଣ ଅବସ୍ଥାରେ ସରକାରୀ ଅଫିସର ମାନେ କାର୍ଯ୍ୟ ତୁଲାଉଛନ୍ତି l କେତେବେଳେ ଯେ ବର୍ଷା ହେଲେ ଛାତରୁ ପାଣି ଗଡି ଅଫିସରେ ଥିବା କାଗଜପତ୍ର ଓଦା ହୋଇ ନଷ୍ଟ ହେବାକୁ ବସିଲାଣି ତ କେତେବେଳେ ଛାତ ଭୁଶୁଡି ପଡିବ ତାହା କହି ହେବ ନାହିଁ l ଏହି ଘର ବିପଦପୂର୍ଣ୍ଣ ଅବସ୍ଥାରେ ଥିବାବେଳେ ପ୍ରଶାସନ ନିଦରେ ଶୋଇଛି l ରାଜ୍ୟ ସରକାର କି ଜିଲ୍ଲା ପ୍ରଶାସନ ସହ ସ୍ଥାନୀୟ ନେତାଙ୍କର ଏହି କାର୍ଯ୍ୟଳୟ ଉପରେ ନଜର ପଡୁନି l କାର୍ଯ୍ୟାଳୟରେ ଥିବା ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ନଷ୍ଟ ହେବାକୁ ବସିଲାଣି l ରାଜସ୍ୱ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ସାଧାରଣ ଲୋକଙ୍କ ରେକର୍ଡ ପତ୍ର ଅସୁରକ୍ଷିତ ଭାବେ ପଡି ରହିଛି l ରାଜ୍ୟ ସରକାର ବିକାଶର ନାରା ଦେଉଥିବା ବେଳେ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ଜରାଜୀର୍ଣ୍ଣ ଅବସ୍ଥାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି l ଏହି କାର୍ଯ୍ୟଳୟ ଦୀର୍ଘ ଦିନ ହେବ ପ୍ରତିଷ୍ଠା ହୋଇଥିବା ବେଳେ, ଏ ପର୍ଯ୍ୟନ୍ତ ଏହାର ପୁନରୁଦ୍ଧାର ଆଉ ହୋଇପାରିନାହିଁ l କିନ୍ତୁ, ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟାଳୟ ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରୁଛି l ସାମାନ୍ୟ ବର୍ଷା ହେଲେ ଏଠି କାର୍ଯ୍ୟାଳୟ ବର୍ଷାପାଣିରେ ଭାସେ l ତେଣୁ ଲୋକମାନେ ବିଭିନ୍ନ କାମ ନେଇ ଆସୁଥିବା ବେଳେ ନାହଁ ନଥିବା ହଇରାଣ ହେଉଛନ୍ତି l ଆଳି ବ୍ଲକରେ ଅନେକ ଅଫିସ ଗୃହ ରୂପାନ୍ତିକରଣ ହେଉଥିବା ବେଳେ ଉପ ନିବନ୍ଧକ ଓ ବିବାହ ପଞ୍ଜିକରଣ କାର୍ଯ୍ୟାଳୟକୁ ଅଣଦେଖାକୁ ନେଇ ଜିଲ୍ଲା ପ୍ରଶାସନ ଓ ଆଳି ବିଧାୟକଙ୍କୁ ଏହି ବିଷୟରେ ଦୃଷ୍ଟି ଦେବାକୁ ଅଞ୍ଚଳବାସି ନିବେଦନ କରିଛନ୍ତି l
ତେଣୁ ଏଠି ପ୍ରଶ୍ନ ଉଠେ ଯେ, ଏଭଳି ବିପଦପୂର୍ଣ୍ଣ ଅବସ୍ଥାରେ ଉପ ନିବନ୍ଧକ ଓ ବିବାହ ପଞ୍ଜିକରଣ କାର୍ଯ୍ୟାଳୟ ଘର ଭାଙ୍ଗି କିମ୍ବା ବିଜୁଳି ଘଡଘଡିରେ, ଯଦି କାର୍ଯ୍ୟାଳୟ କିମ୍ବା ସାଧାରଣ ଜନତାଙ୍କର କିଛି କ୍ଷତି ହୁଏ, ତେବେ ଏଥିପାଇଁ ଦାୟୀ କିଏ ରହିବେ l ଏ ସମ୍ପର୍କରେ ତହସିଲଦାର ଶାନ୍ତି ସ୍ୱରୂପ ମିଶ୍ରଙ୍କୁ ପଚରିବାରୁ ସେ କୁହନ୍ତି, ଉପନିବନ୍ଧକ ଓ ବିବାହ ପଞ୍ଜିକରଣ କାର୍ଯ୍ୟାଳୟଟି ଏକ ପୁରାତନ କୋଠାରେ ଚାଲୁଅଛି ମୁଁ ଏନେଇ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇଛି ଯଥାଶୀଘ୍ର ଏ ବିଷୟରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ l
ହିନ୍ଦୁସ୍ଥାନ ସମାଚାର / ରବି