ବାର ପାଲଟିଛି ଜାରକା ବିଦେଶୀ ଠିପିବନ୍ଦ ମଦ ଦୋକାନ
ଧର୍ମଶାଳା, ୧ ଜୁଲାଇ (ହି.ସ.)- ଯାଜପୁର ଜିଲା ଧର୍ମଶାଳା ଅବକାରୀ ଥାନା ଅଧିନରେ ଜାରକାଠାରେ ରହିଥିବା ବିଦେଶୀ ମଦ ଦୋକାନ ଠିପିଖୋଲା ମଦ ଦୋକାନ ପାଲଟିଯାଇଛି । ଜାରକା ବଜାରର ଅନତି ଦୂରରେ ଏକ ସରକାରୀ ବିଦେଶୀ ମଦ ଦୋକାନ ରହିଛି । ଏଠାରେ ପ୍ରତ୍ୟେକ ଦିନ ଆବଶ୍ୟକ ଠାରୁ ଢେର ଅଧିକ ମଦ ବିକ୍ରି ହୋଇଥାଏ । ଏ
ବାର ପାଲଟିଛି ଜାରକା ବିଦେଶୀ ଠିପିବନ୍ଦ ମଦ ଦୋକାନ


ଧର୍ମଶାଳା, ୧ ଜୁଲାଇ (ହି.ସ.)- ଯାଜପୁର ଜିଲା ଧର୍ମଶାଳା ଅବକାରୀ ଥାନା ଅଧିନରେ ଜାରକାଠାରେ ରହିଥିବା ବିଦେଶୀ ମଦ ଦୋକାନ ଠିପିଖୋଲା ମଦ ଦୋକାନ ପାଲଟିଯାଇଛି । ଜାରକା ବଜାରର ଅନତି ଦୂରରେ ଏକ ସରକାରୀ ବିଦେଶୀ ମଦ ଦୋକାନ ରହିଛି । ଏଠାରେ ପ୍ରତ୍ୟେକ ଦିନ ଆବଶ୍ୟକ ଠାରୁ ଢେର ଅଧିକ ମଦ ବିକ୍ରି ହୋଇଥାଏ । ଏହା ଠିପିବନ୍ଦ ମଦ ଦୋକାନ ହୋଇଥିଲେ ହେଁ ଏଠାରେ ଗ୍ରାହକମାନଙ୍କ ପିଇବାର ସୁବିଧା ରହିଥିବା ଦେଖିବାକୁ ମିଳିଛି । ପ୍ରତ୍ୟେକ ଦିନ ଶହ ଶହ ସଂଖ୍ୟାରେ ମଦ୍ୟପାନ କରୁଥିବା ଗ୍ରାହକ ମାନେ ଅସି ଖୁଲମଖୁଲା ଏଠାରେ ମଦ୍ୟପାନ କରୁଥିବା ଦେଖିବାକୁ ମିଳୁଛି । ଠିପିବନ୍ଦ ମଦ ଦୋକାନରେ ଲୋକେ ମଦ କିଣି ନେଇ ଅନ୍ୟତ୍ର ପିଇବାର ନିୟମ ରହିଛି । ହେଲେ ଜାରକାର ଏହି ବିଦେଶୀ ମଦ ଦୋକାନଟି ସରକାରୀ ନିୟମର ଖୋଲାଖୋଲି ଉଲଙ୍ଘନ କରୁଥିବା ଦେଖିବାକୁ ମିଳିଛି । ଏଠାରେ ବିଭିନ୍ନ ପ୍ରକାର ଚାଖଣା ସାଙ୍ଗକୁ ପାଣି, ଗିଲାସ ଆଦି ଅବଶ୍ୟକ ସାମଗ୍ରୀ ସହଜରେ ମିଳୁଛି । ଫଳରେ ଏଠାକୁ ଆସୁଥିବା ଗ୍ରାହାକମାନେ ଏଠାରେ ରାସ୍ତା କଡରେ ବସି ଖୁଲମଖୁଲା ମଦ୍ୟପାନ କରୁଥିବା ଦେଖିବାକୁ ମିଳୁଛି । ଜାରକା ଠାରେ ଏକ ଅବକାରୀ ଥାନା ରହିଥିବା ବେଳେ ଏହାର କର୍ମଚାରୀମାନେ ସବୁଦେଖି ଚୁପ ରହୁଥିବା ଅଭିଯୋଗ ହୋଇଛି । ଅବକାରୀ ଥାନାଟି କେବଳ ମାସିକିଆ ଚାନ୍ଦା ନେବାରେ ବ୍ୟସ୍ତ ରହୁଥିବା ଅଭିଯୋଗ ହୋଇଛି । ଏଠାରେ ରାସ୍ତା କଡରେ ଅବସ୍ଥିତ ଏହି ବିଦେଶୀ ମଦ ଦୋକାନରେ ଲୋକେ ଖୋଲାଖୋଲି ଭାବରେ ମଦ୍ୟପାନ କରୁଥିବାରୁ ଉକ୍ତ ରାସ୍ତାଦେଇ ଯିବାକୁ ସାଧାରଣ ଲୋକ ଓ କଲେଜର ଛାତ୍ରଛାତ୍ରୀମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି । ଏ ସମ୍ପର୍କରେ ସ୍ଥାନୀୟ ପ୍ରଶାସନ ଓ ପୁଲିସ ଅବଗତ ଥାଇ ମଧ୍ୟ କଣ ପାଇଁ ଉକ୍ତ ଦୋକାନୀକୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରାଯାଉଛି ତାହା ବୁଝାପଡୁ ନାହିଁ । ଯାହାକୁ ନେଇ ବୁଦ୍ଧିଜୀବୀ ଓ ସାଧାରଣ ଲୋକମାନେ ଚିନ୍ତା ପ୍ରକଟ କରିଛନ୍ତି । ଜିଲ୍ଲା ପ୍ରଶାସନ ଏଥିପ୍ରତି ସଚେତନ ହୋଇ ଏଭଳି ଆଇନ ବିରୋଧୀ କାର୍ଯ୍ୟ କରୁଥିବା ମଦ ଦୋକାନ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande