ପୁରୀ, ୧ ଜୁଲାଇ (ହି.ସ.)- ରଥଯାତ୍ରା ସମୟରେ ପଲ୍ଲିଶ୍ରୀ ମେଳାର ଚାହିଦା ରହିଛି । ସହରବାସୀ, ପର୍ଯ୍ୟଟକ, ରଥଯାତ୍ରୀ ଓ ଶ୍ରଦ୍ଧାଳୁ ମାନେ ପଲ୍ଲିଶ୍ରୀ ମେଳାରେ ଘରକରଣା ଜିନିଷ କିଣି ଥାଆନ୍ତି । ଚଳିତବର୍ଷ ପଲ୍ଲିଶ୍ରୀ ମେଳା ପୁରୀ ହୋଟେଲ ସମ୍ମୁଖ ବେଳାଭୂମିରେ ଆୟୋଜିତ ହୋଇଛି । ମେଳାରେ ବିକ୍ରି ସାମାନ୍ଯ କମିଥିଲେ ମଧ୍ୟ ଅଧିକ ସ୍ଥାନ ନିଆଯାଇଥିବାରୁ କିଣାକିଣି ପାଇଁ ଗ୍ରାହକ ମାନଙ୍କୁ ଫ୍ରି ଲାଗୁଛି । ୨୬୧ଟି ଷ୍ଟଲ ପଡିଛି । ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ବଡ ମଞ୍ଚ କରାଯାଇଛି । ମେଳାର ଫୁଡ ଷ୍ଟଲରେ ଅଧିକାଂଶ ଯୁବକ ଯୁବତୀ ଓ ମହିଳାମାନେ ଗୁପଚୁପ, ଚାଟ ଓ ପାରୁଥିବା ଦୋକାନରେ ଗହଳି ଜମୁଥିବା ଦେଖିବାକୁ ମିଳୁଛି । ବାଣପୁର ବେତ ସାମଗ୍ରୀ ଗଦା ହୋଇଥିଲେ ମଧ୍ୟ ଗ୍ରାହକ ଦେଖୁଛନ୍ତି । ଲୁଗା, ଶାଢୀ, କାର୍ପେଟ, ଶଙ୍ଖମାଳି, ଆଚାର, କାଠ ସାମଗ୍ରୀ, କାଶ୍ମୀରରୁ ଆସିଥିବା ସାମଗ୍ରୀ ପଡିଛି । ଏହାସହ କଂସାବାସନ ଦୋକାନ ଖୋଲିଛି । ଗ୍ରାହକ ମାନେ ସାମଗ୍ରୀ କିଣିବା ସହ ବିସ୍ତୀର୍ଣ୍ଣ ନୀଳମୟ ସମୁଦ୍ର ଉପଭୋଗ କରୁଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ବିଜୟ