ଜୟପୁର,୧୧ ଜୁଲାଇ (ହି.ସ.) - ଜୟପୁର ଏମଜି ରୋଡ ସାଇମନ୍ଦିର ପାଖରେ ଥିବା ଏକ ବ୍ୟାଟେରି ଦୋକାନରୁ ୪ଲକ୍ଷ ଟଙ୍କା ଓ ସୁନା ଅଳଙ୍କାର ଚୋରିହୋଇଥିବା ଅଭିଯୋଗରେ ଆଜି ଟାଉନ ପୁଲିସ ୪ଜଣକୁ ଗିରଫ କରି ସେମାନଙ୍କ ଠାରୁ ୭୦ ହଜାର ଟଙ୍କା ଜବତ କରିଛି। ଅଭିଯୁକ୍ତ ମାନେ ହେଲେ ଢେପଗୁଡା ଅଂଚଳର ଏସ. ଧନଞ୍ଜୟ,କୁନ୍ଦାରୀଗୁଡା ଅଂଚଳର ରିଙ୍କୁ ସମରଲିଆ,ଢେପଗୁଡା ଅଂଚଳର ସୁରେନ୍ଦ୍ର ହରିଜନ ଓ ଖାଲସାହି ଅଂଚଳର ଭଗବାନ ମୁଦିଲି। ଆଜି ଟାଉନ ପୁଲିସ କୌଣସି ସୁତ୍ରରୁ ଖବର ପାଇ ୪ଜଣକୁ ଗିରଫ କରିବାରେ ସଫଳ ହୋଇଛି। ସୂଚନା ଅନୁଯାୟୀ ବ୍ୟାଟେରି ଦୋକାନ ମାଲିକ ବପ୍ସଶୀ ତୟାଲ ଗତ ୨୯ ତାରିଖ ରବିବାର ଯୋଗୁଁ ଦୋକାନ ବନ୍ଦ ରଖିଥିଲେ। ପରଦିନ ଅର୍ଥାତ ୩୦ ତାରିଖ ପୂର୍ବାହ୍ନରେ କର୍ମଚାରି ମାନେ ସୋରୁମ ଖୋଲିଥିଲେ। ଭିତରେ ଥିବା ସାମଗ୍ରୀ ବିଛାଡି ହୋଇ ପଡିଥିବା ଦେଖିବା ସହ ପଛପଟ କାନ୍ଥ ଭାଙ୍ଗିଥିବା ଦେଖିଥିଲେ। ଦୁର୍ବୁତମାନେ କ୍ୟାସ କାଉଂଟର ଭାଙ୍ଗି ନଗଦ ୪ଲକ୍ଷ, କମ୍ପାନୀର ଗିଫ୍ଟ ଆଇଟମ ରୁପା କଏନ ଓ ସୁନା ଅଳଙ୍କାର ଲୁଟି ନେଇଥିବା ନେଇ ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ଟାଉନ ପୁଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଆଜି ୪ଜଣ ଚୋରକୁ ଧରିବାରେ ସଫଳ ହୋଇଛି ବୋଲି ତଦନ୍ତକାରି ଅଧିକାରି ସିଦ୍ଧାର୍ଥ ବେହେରା ପ୍ରକାଶ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପିକେପି