ଜୟପୁର, ୧୪ ଜୁଲାଇ (ହି.ସ.)- ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ମଧ୍ୟସ୍ଥତା ଓ ମିଳାମିଶା ପ୍ରକଳ୍ପ କମିଟି ଏବଂ ଭାରତର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ଦେଶ ବ୍ୟାପି ରାଷ୍ଟ୍ର ପାଇଁ ମଧ୍ୟସ୍ଥତା ଶୀର୍ଷକରେ ଏକ ୯୦ (ନବେ) ଦିନିଆ ମଧ୍ୟସ୍ଥତା ଅଭିଯାନ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଜୟପୁର ପକ୍ଷରୁ ଆରମ୍ଭ ହୋଇଅଛି।
ଏହି ଅଭିଯାନ ଅନୁଯାୟୀ ଜିଲ୍ଲା ଓ ଉପଖଣ୍ଡ / ତାଲୁକ୍ ସ୍ତରୀୟ ବିଭିନ୍ନ ବିଚାର ବିଭାଗୀୟ ଅଦାଲତ ରେ ବିଚାରାଧୀନ ଥିବା ପ୍ରାୟ ସମସ୍ତ ପ୍ରକାର ର ବିଚାରାଧୀନ ଥିବା ମାମଲା ଯଥା ବୈବାହିକ, ଗାଡିମୋଟର ଦୁର୍ଘଟଣା ଜନିତ ମାମଲା, ଘରୋଇ ହିଂସା, ଚେକ୍ ବୋଉନ୍ସ, ବାଣିଜ୍ୟିକ ବିବାଦ ମାମଲା, ନିଯୁକ୍ତି ବା ଚାକିରି, ସାଲିସ ଯୋଗ୍ୟ ଫୌଜଦାରୀ ମାମଲା, ଖାଉଟି ସୁରକ୍ଷା, ବ୍ୟାଙ୍କ୍ ଋଣ ଅନାଦେୟ, ଦେୱାନୀ ମାମଲା, ଜମିବାଡ଼ି ଭାଗ ବଣ୍ଟା, ଉଚ୍ଛେଦ/ବେଦଖଳ, ଇତ୍ୟାଦି ଓ ଜମି ଅଧିଗ୍ରହଣ ମାମଲା ଗୁଡ଼ିକ ଚଳିତ ମାସ ଜୁଲାଇ ୩୧ ତାରିଖ ଭିତରେ ଚିହ୍ନଟ କରା ଯାଇ ମଧ୍ୟସ୍ଥତା ମାଧ୍ୟମରେ ଏହାର ସମାଧାନ ପାଇଁ ଜିଲ୍ଲା ମଧ୍ୟସ୍ଥତା କେନ୍ଦ୍ରକୁ ପଠା ଯିବ ଓ ଜିଲ୍ଲା ମଧ୍ୟସ୍ଥତା କେନ୍ଦ୍ର ଜୟପୁର ତରଫରୁ ତାଲିମପ୍ରାପ୍ତ ବିଚାର ବିଭାଗୀୟ ଅଧିକାରୀ ଓ ଅଭିଜ୍ଞ ଆଇନଜୀବୀ ବା ମଧ୍ୟସ୍ଥତା ମାନଙ୍କୁ ନିୟୋଜିତ କରାଯାଇ ମଧ୍ୟସ୍ଥତା ମାଧ୍ୟମରେ ମାମଲାର ଆପୋଷ ସହମତିରେ ସମାଧାନ କରାଯିବ ଯାହାଦ୍ଵାରା ଜନ ସାଧାରଣ ମାନେ ସେମାନଙ୍କର ସମୟ ଓ ଖର୍ଚ୍ଚ ଅପଚୟ ହେବାରୁ ରକ୍ଷା ପାଇ ପାରିବେ। ସବିଶେଷ ବିବରଣୀ ପାଇଁ ଜିଲ୍ଲା କୋର୍ଟ ଜୟପୁର ପରିସର ରେ ଥିବା ବିକଳ୍ପ ବିବାଦ ସମାଧାନ କେନ୍ଦ୍ର ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ, କୋରାପୁଟ-ଜୟପୁର କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଅଛି।
ହିନ୍ଦୁସ୍ଥାନ ସମାଚାର / ପିକେପି