ଭିତରକନିକାରେ ୧୧୬ କୁମ୍ଭୀର ବସା ଚିହ୍ନଟ
ଶାଗୁଣାଚର ନିକଟରୁ ୪୨ଟି ଅଣ୍ଡା ସଂଗ୍ରହ
Bhitarkanika ru kumbhir anda thaba


ପଟ୍ଟାମୁଣ୍ଡାଇ , 15 ଜୁଲାଇ (ହି.ସ.)ଭିତରକନିକା ଜାତୀୟ ଉଦ୍ୟାନର ନଦୀ, ନାଳରେ ବସବାସ କରୁଥିବା ବିରଳ ବଉଳା କୁମ୍ଭୀର ୧୧୬ଟି ବସା ତିଆରି କରି ଅଣ୍ଡା ଦେଇଛନ୍ତି | ଜୁଆର ପାଣି ମାଡ଼ି ଯାଇ ନଷ୍ଟ ହୋଇଯାଇଥିବା ଏକ କୁମ୍ଭୀର ବସାରୁ ୪୨ଟି ଅଣ୍ଡା ସଂଗ୍ରହ କରାଯାଇଛି | ଭିତରକନିକା ନଦୀର ଶାଗୁଣାଚର କ୍ରିକ୍ ନିକଟରୁ ଜୁଆର ମାଡ଼ରେ କ୍ଷତିଗ୍ରସ୍ତ କୁମ୍ଭୀର ବସାରୁ ଏହି ଅଣ୍ଡା ସଂଗ୍ରହ କରାଯାଇଛି। ଡାଙ୍ଗମାଳସ୍ଥ କୁମ୍ଭୀର ପ୍ରଜନନ କେନ୍ଦ୍ରରେ ଏହି ୪୨ଟି ଅଣ୍ଡା ରଖାଯାଇ କୃତ୍ରିମ ଉପାୟରେ ଛୁଆ ଫୁଟାଇବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।

ପ୍ରତିବର୍ଷ ମେ' ୧ରୁ ଜୁଲାଇ ୩୧ ତାରିଖ ଯାଏଁ ଦୀର୍ଘ ୩ ମାସ ଧରି ବିରଳ ବଉଳା କୁମ୍ଭୀରଙ୍କ ପ୍ରଜନନ ପ୍ରକ୍ରିୟା ଜାରି ରହିଥାଏ I ମାଆ କୁମ୍ଭୀର ଅନ୍ତସତ୍ବା ହେବା ପରେ ଅଣ୍ଡା ଦେବା ପାଇଁ ନିରାପଦ ସ୍ଥାନ ଖୋଜିଥାଏ | ନାଳଠୁଁ ଉଚ୍ଚା ସ୍ଥାନରେ ବସା କରିଥାଏ | ଖରଖରି ପତ୍ର ଓ କାଠି କୁଟାକୁ ସଂଗ୍ରହ କରି ୨ ଫୁଟ ଉଚ୍ଚର ଗଦା କରିଥାଏ | ଗଦା ଉପରେ କୁମ୍ଭୀର ଅଣ୍ଡା ଦେବା ପରେ ତା' ଉପରେ ପୁଣି ଖରଖରି ପତ୍ର ଓ କାଠିକୁଟା ଘୋଡ଼ାଇ ଦେଇଥାଏ । ଏହି କାରଣରୁ ବନବିଭାଗ ପକ୍ଷରୁ ପ୍ରତିବର୍ଷ ମେ' ୧ରୁ ଜୁଲାଇ ୩୧ ତାରିଖ ଯାଏଁ ୩ ମାସ ଧରି ଭିତରକନିକାକୁ ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଥାଏ । ଗତବର୍ଷ ଭିତରକନିକାରେ ୧୧୪ଟି କୁମ୍ଭୀର ବସା ଚିହ୍ନଟ ହୋଇଥିବାବେଳେ ଚଳିତ ବର୍ଷ ୧୧୭ଟି କୁମ୍ଭୀର ବସା ଚିହ୍ନଟ ହୋଇଛି। ଚଳିତ ବର୍ଷ ଚିହ୍ନଟ ହୋଇଥିବା ୧୧୭ଟି କୁମ୍ଭୀର ବସା ମଧ୍ୟରୁ କନିକା ରେଞ୍ଜରେ ୧୦୪ଟି କୁମ୍ଭୀର ବସା ଚିହ୍ନଟ ହୋଇଥିବାବେଳେ ରାଜନଗର ରେଞ୍ଜରେ ୧୦ଟି, ଗହୀରମଥା ରେଞ୍ଜ ଅଞ୍ଚଳରେ ୧ଟି, ମହାକାଳପଡା ରେଞ୍ଜ ଅଞ୍ଚଳରେ ୧ଟି କୁମ୍ଭୀର ବସା ଚିହ୍ନଟ କରାଯାଇଛି। ଭିତରକନିକା ଜାତୀୟ ଉଦ୍ୟାନ ବାହାରେ କିଛି କୁମ୍ଭୀର ବସା ଚିହ୍ନଟ ହୋଇଥିବା ଜଣାପଡିଛି। ଭିତରକନିକା ଜାତୀୟ ଉଦ୍ୟାନର ଡାଙ୍ଗମାଳଠାରେ ବଉଳା କୁମ୍ଭୀରଙ୍କ ବଂଶରକ୍ଷା, ବଂଶବୃଦ୍ଧି ଓ ଗବେଷଣା ପାଇଁ କୁମ୍ଭୀର ପ୍ରଜନନ କେନ୍ଦ୍ର ରହିଛି | ୧୯୭୫ରୁ ଏହା କାର୍ଯ୍ୟକାରୀ ହେଉଛି । ପ୍ରତିବର୍ଷ ନଷ୍ଟ ହୋଇଯାଇଥିବା କୁମ୍ଭୀର ବସାରୁ ଅଣ୍ଡା ସଂଗ୍ରହ କରାଯାଇ ପ୍ରାକୃତିକ ଉପାୟରେ ଉଦ୍ଧାର ଅଣ୍ଡାରୁ ଛୁଆ ଫୁଟା ଯାଇଥାଏ |

---------------

ହିନ୍ଦୁସ୍ଥାନ ସମାଚାର / ସୁଧାଂଶୁ


 rajesh pande