ନୂଆଦିଲ୍ଲୀ, 2 ଜୁଲାଇ (ହି.ସ.)
- କେନ୍ଦ୍ରୀୟ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ୩ ଓ ୪
ଜୁଲାଇରେ ଜମ୍ମୁ-କାଶ୍ମୀରର ଗସ୍ତରେ ରହିବେ। ଏହି ସମୟରେ ସେ ଉଚ୍ଚସ୍ତରୀୟ ବୈଠକର ଅଧ୍ୟକ୍ଷତା
କରିବେ ଏବଂ କୃଷି,
ଗ୍ରାମୀଣ ବିକାଶ ଓ ଶିକ୍ଷା ସଂପର୍କିତ ଗୁରୁତ୍ୱପୂର୍ଣ୍ଣ
କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।
୩ ଜୁଲାଇ ସକାଳେ ଶିବରାଜ ସିଂହ ଶ୍ରୀନଗର ସିଭିଲ ସଚିବାଳୟରେ କୃଷି ଓ କୃଷକ କଲ୍ୟାଣ
ମନ୍ତ୍ରଣାଳୟ ଓ ଗ୍ରାମୀଣ ବିକାଶ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହିତ ସମୀକ୍ଷା ବୈଠକ କରିବେ।
ଏହା ପରେ ଦୁପୁରରେ ପ୍ରାକୃତିକ କୃଷି ଓ ଜାତୀୟ ତିଲହଳ ମିଶନ ବିଷୟରେ କୃଷି ଓ କୃଷକ କଲ୍ୟାଣ
ମନ୍ତ୍ରଣାଳୟର ପରାମର୍ଶଦାତ୍ରୀ ସମିତି ବୈଠକରେ ଅଂଶ ନେବେ। ସନ୍ଧ୍ୟାବେଳେ ସେ ଜମ୍ମୁ-କାଶ୍ମୀରର
ଉପ ରାଜ୍ୟପାଳ ମନୋଜ ସିହ୍ନାଙ୍କ ସହିତ ରାଜଭବନରେ ଶିଷ୍ଟାଚାର ଭେଟ କରିବେ।
କୃଷି ମନ୍ତ୍ରଣାଳୟ ପକ୍ଷରୁ
ସୂଚନା ଦିଆଯାଇଛି ଯେ ଗସ୍ତର ଦ୍ୱିତୀୟ ଦିନ ୪ ଜୁଲାଇରେ ଶିବରାଜ ସିଂହ ଶେର-ଏ-କାଶ୍ମୀର କୃଷି
ବିଜ୍ଞାନ ଏବଂ ପ୍ରଯୁକ୍ତି ବିଶ୍ୱବିଦ୍ୟାଳୟ, ଶ୍ରୀନଗରର
ଷଷ୍ଠ ଦିକ୍ଷାନ୍ତ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ। ଏହି କାର୍ଯ୍ୟକ୍ରମ ଶାଲିମାର
କନଭେନ୍ସନ୍ ସେଣ୍ଟରରେ ଆୟୋଜିତ ହେବ। କାର୍ଯ୍ୟକ୍ରମରେ ଜମ୍ମୁ-କାଶ୍ମୀରର ଉପରାଜ୍ୟପାଳ ଏବଂ ବିଶ୍ୱବିଦ୍ୟାଳୟର
କୁଲାଧିପତି ମନୋଜ ସିହ୍ନା ଓ ମୁଖ୍ୟମନ୍ତ୍ରୀ ଏବଂ ବିଶ୍ୱବିଦ୍ୟାଳୟର ପ୍ରୋ-ଚାନ୍ସେଲର ଉମର
ଅବ୍ଦୁଲ୍ଲା ମଧ୍ୟ ଉପସ୍ଥିତ ରହିବେ।
ଦିକ୍ଷାନ୍ତ ସମାରୋହରେ
ଛାତ୍ରଛାତ୍ରୀମାନେ ସ୍ନାତକ, ପରାସ୍ନାତକ ଓ ପିଏଚଡି
ଉପାଧି ଗ୍ରହଣ କରିବେ। ଏହା ସହିତ ମେଧାବୀ ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ଶିକ୍ଷାଗତ କୃତିତ୍ୱ
ପାଇଁ ୧୫୦ଟି ସ୍ୱର୍ଣ୍ଣପଦକ ଏବଂ ୪୪୫ଟି ମେରିଟ୍ ସାର୍ଟିଫିକେଟ୍ ପ୍ରଦାନ କରାଯିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା