ଭୁବନେଶ୍ୱର, ୨୨ ଜୁଲାଇ (ହି.ସ)- ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପିସିସି ସଭାପତି ଭକ୍ତ ଦାସଙ୍କ ପୋଷ୍ଟର ଲାଗିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ବିଧାୟକ ବାବୁ ସିଂ। ସେ କହିଛନ୍ତି ଯେ କାଚ ଘରେ ରହି ଅନ୍ୟକୁ ଟେକା ମାରିଲେ ଯାହା ଅବସ୍ଥା ଏବେ କଂଗ୍ରେସର ସେହି ଅବସ୍ଥା। ଦୋଷୀ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସରକାର ନିର୍ଦ୍ଦେଶ ନେଇଛନ୍ତି। ଏହାସହ ପୀଡ଼ିତ ମାନଙ୍କୁ ଚିକିତ୍ସା ଠାରୁ ଆରମ୍ଭ କରି ଅନୁକମ୍ପା ମଧ୍ୟ ଯୋଗାଇ ଦେଇଛନ୍ତି ସରକାର । ଏଭଳି ସ୍ଥିତିରେ ଯେଉଁମାନେ ରାଜନୀତି ତୀର ମାରୁଛନ୍ତି, ତାଙ୍କ ଉପରେ ମଧ୍ୟ କେହି ନା କେହି ଟେକା ପକାଇବେ। ସମାଜରେ ଯେଉଁମାନେ ଘଟଣା ଘଟାଉଛନ୍ତି ସେମାନେ ହେଉଛନ୍ତି ଦୁର୍ବୃତ । ତାଙ୍କ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବା ଉଚିତ। କୌଣସି ଦଳ କାହାକୁ ଶିଖାଇ ଏ ସବୁ କାର୍ଯ୍ୟ କରେ ନାହିଁ । କିନ୍ତୁ ଯେଉଁମାନେ କହିବେ, ଗୋବରକୁ ଟେକା ମାରିଲେ ନିଜ ଉପରେ ପଡ଼ିବ। ଭକ୍ତ ଦାସ ଯଦି ତାକୁ ଆୟୁଧ କରିଥିବେ, ତେବେ ଏ କଥା ତାଙ୍କୁ ସାମ୍ନା କରିବାକୁ ପଡ଼ିବ । ବିଜେପି ହୀନ ରାଜନୀତି କରୁଛି, କି ହିତ ରାଜନୀତି କରୁଛି, ଲୋକ ଦେଖୁଛନ୍ତି । କିନ୍ତୁ ଯେଉଁମାନେ ଏଭଳି କାଣ୍ଡ କରୁଛନ୍ତି, ସେମାନେ ସମାଜ ପାଇଁ କଳଙ୍କ । ଦଳ ମତ ନିର୍ବିଶେଷରେ ସମସ୍ତେ ଏକ ହୋଇ ଓଡ଼ିଶାର ମାଆ ମାନଙ୍କୁ ନ୍ୟାୟ ଦେବା ଦରକାର। ଯେଉଁମାନେ ଅନ୍ୟ ଉପରେ ଟେକା ପକାଉଛନ୍ତି, ଏମ୍ସ ଭିତରେ ନାରା ଦେଉଛନ୍ତି, ସମୟ ଆସିଲେ ତାଙ୍କ ଉପରେ ଟେକା ପଡ଼ିବ ।
ସେହିପରି ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ପ୍ରସଙ୍ଗରେ ତାଙ୍କ ନାଁ ଚର୍ଚ୍ଚା ହେଉଥିବା ପ୍ରଶ୍ନର ଉତର ଦେଇ ବାବୁ ସିଂ କହିଛନ୍ତି ଯେ ମୁଁ ଜାଣିନି ଗଣମାଧ୍ୟମ କହୁଛି । ମୋ ପାଖରେ ସେମିତି କିଛି ଖବର ନାହିଁ । ମୁଁ ଆଶାବାଦୀ ନାହିଁ । କଣ ଦାୟିତ୍ୱ ମିଳିବ ତାହା ମୁଖ୍ୟମନ୍ତ୍ରୀ ନିଷ୍ପତି ନେବେ। ରାଜ୍ୟ ସଭାପତି ନିଗମ ଆଦି ଚୂଡ଼ାନ୍ତ କରିବେ। ତେଣୁ ସେ ବିଷୟରେ ମୁଁ କାହା ସହ ଆଲୋଚନା କରିନି ।
ସେହିପରି ରାଜ୍ୟପାଳ ମନ୍ତ୍ରୀ ମାନଙ୍କ ଘରକୁ ଯିବା ନେଇ ବିଜେଡ଼ିର ଅଭିଯୋଗ ପ୍ରସଙ୍ଗରେ ସେ କହିଛନ୍ତି ବିଜେଡ଼ିର ବୋଧେ କିଛି କାମ ଧନ୍ଦା ନାହିଁ । ପାରିବାରିକ ସମ୍ପର୍କ ଭିତରେ କଣ ରାଜ୍ୟପାଳ କାହା ଘରକୁ ଯାଇପାରିବେ ନାହିଁ ? ବିଜେଡ଼ି ବୋଧେ କ୍ଷମତାରୁ ଯିବାର ବର୍ଷେ ଦୁଇ ମାସ ଭିତରେ ପାଗଳ ହୋଇଗଲାଣି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା