ବଲାଙ୍ଗିର, 22 ଜୁଲାଇ (ହି.ସ.)
ଗତ ୨ଠ୨୨ ମସିହା ଅଗଷ୍ଟ ୧୬ ତାରିଖ ଦିନ ବଲାଙ୍ଗୀର ଭୀମ ଭୋଇ ମେଡିକାଲ ପରିସରରେ ଅଜୁ ଦୋରା ନାମକ ଜଣେ ଉଠା ଦୋକାନୀଙ୍କୁ କିଛି ଦୁର୍ବୃତ୍ତ ନିର୍ମମ ଭାବେ ହତ୍ୟା କରି ଘଟଣାସ୍ଥଳରୁ ଫେରାର୍ ମାରିଥିଲେ । ଏହି ସମୟରେ ଅଜୁ ଙ୍କ ମାଁ ଜୟନ୍ତୀ ଦୋରା ନିଜ ପୁଅର ଜୀବନ ବଂଚାଇବା ପାଇଁ ଘଟଣାସ୍ଥଳରେ ପହଂଚିଥିବା ବେଳେ ସେ ମଧ୍ୟ ଦୁର୍ବୃତ୍ତ ମାନଙ୍କ ଆକ୍ରମଣର ଶିକାର ହୋଇଥିଲେ । ତେବେ ଘଟଣା ପରେ ମୃତ ଅଜୁଙ୍କ ପରିବାର ଲୋକେ ଘଟଣା ସମ୍ପର୍କରେ ବଲାଙ୍ଗୀର ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଲିଖିତ ଅଭିଯୋଗକୁ ଆଧାର କରି ଏହି ହତ୍ୟାକାଣ୍ଡ ସନ୍ଦେହରେ ପୋଲିସ ୪ଜଣ ଯୁବକ ମୁନା ଦୋରା, ଚନ୍ଦ୍ର ପ୍ରଧାନ, ରାହୁଲ ପାଣିଗ୍ରାହୀ ଓ ସୋମ ପୁଞ୍ଜି ଙ୍କୁ ଗିରଫ୍ କରି କୋର୍ଟ ଚାଲାଣ କରିଥିଲା । ଏମାନଙ୍କ ବିରୁଦ୍ଧରେ ଦଫା ୩୦୨, ୩ଠ୭, ୩୨୬, ୧୨ଠ(ବି) ଓ ୩୪ ଆଇପିସି ରେ ଏକ ମାମଲା ରୁଜୁ ହୋଇଥିଲା । ତେବେ ସେସନସ୍ କେଶ୍ ନମ୍ବର ଠ୧/୨ଠ୨୨ ରେ ଏହି ୪ଜଣ ଯୁବକଙ୍କ ନାମରେ ବଲାଙ୍ଗୀର ଜିଲ୍ଲା ଦୌରା ଜଜ୍ ଙ୍କ କୋର୍ଟରେ କେଶ ବିଚାରାଧୀନ ଥିଲା । ଏହି କେଶରେ ମାନ୍ୟବର କୋର୍ଟ ମୋଟ ୨୬ଜଣଙ୍କ ସାକ୍ଷପ୍ରମାଣ ଗ୍ରହଣ କରିଥିଲେ। ତେବେ ଘଟଣାର ପାରିପାଶ୍ୱିର୍କ ସ୍ଥିତି, ଦୁଇ ପକ୍ଷ ଓକିଲଙ୍କ ଯୁକ୍ତି ଉପସ୍ଥାପନ ଓ ସମସ୍ତ ସାକ୍ଷୀ ମାନଙ୍କ ବୟାନକୁ ଭିତ୍ତି କରି ପ୍ରମାଣ ଅଭାବରୁ ଆଜି ମାନ୍ୟବର ଜିଲ୍ଲା ଦୌରା ଜଜ୍ ହତ୍ୟା ସନ୍ଦେହରେ ଗିରଫ ହୋଇଥିବା ଏହି ୪ ଯୁବକଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଅଭିଯୁକ୍ତ ମୁନା ଦୋରାଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଆନନ୍ଦ ପାଣିଗ୍ରାହୀ, ଚନ୍ଦ୍ର ପ୍ରଧାନଙ୍କ ତରଫରୁ ଆଇନଜୀବୀ ଅମରେଶ ତ୍ରିପାଠୀ ଓ ରାହୁଲ ପାଣିଗ୍ରାହୀ ଓ ସୋମ ପୁଂଜିଙ୍କ ତରଫରୁ ଚିଫ୍ ଲିଗାଲ ଡିଫେନ୍ସ କାଉନସିଲ ତଥା ଆଇନଜୀବୀ ଅରବିନ୍ଦାକ୍ଷ ପୁଝାରୀ ମୁକଦ୍ଦମା ପରିଚାଳନା କରୁଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ