ଭୁବନେଶ୍ୱର, ୨୨ ଜୁଲାଇ (ହି.ସ)- ରାଜଭବନରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟିଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମଙ୍ଗଳବାର ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଏହି ସାକ୍ଷାତ ସମୟରେ ଶାସନ, ବିପର୍ଯ୍ୟୟ ପରିଚାଳନା ଏବଂ ରାଜ୍ୟର ସାମଗ୍ରିକ ବିକାଶ ସଂପର୍କରେ ଆଲୋଚନା ହୋଇଥିଲା। ବିପର୍ଯ୍ୟୟ ମୁକାବିଲା ବ୍ୟବସ୍ଥାକୁ ସୁଦୃଢ କରିବା, ଭୂ ଏବଂ ରାଜସ୍ୱ ପ୍ରଶାସନକୁ ସୁବ୍ୟବସ୍ଥିତ କରିବା ଏବଂ ସାଧାରଣ ସେବା ପ୍ରଦାନରେ ଉନ୍ନତି ଆଣିବା ଉପରେ ମଧ୍ୟ ଆଲୋଚନା ହୋଇଥିଲା।
ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ଶ୍ରୀ ପୂଜାରୀ ବିପର୍ଯ୍ୟୟ ପ୍ରସ୍ତୁତିକୁ ସୁଦୃଢ କରିବା, ସେବା ପ୍ରଦାନରେ ଉନ୍ନତି ଆଣିବା ଏବଂ ସମଗ୍ର ଓଡ଼ିଶାରେ ସମାବେଶୀ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂପର୍କରେ ରାଜ୍ୟପାଳଙ୍କୁ ଅବଗତ କରାଇଥିଲେ।
ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରୟାସକୁ ପ୍ରଶଂସା କରିଥିଲେ ଏବଂ ନାଗରିକମାନଙ୍କ ସୁରକ୍ଷା ଏବଂ କଲ୍ୟାଣ ସୁନିଶ୍ଚିତ କରିବା ପାଇଁ ଆଗୁଆ ଯୋଜନା ଓ ବିଭିନ୍ନ ଏଜେନ୍ସି ମଧ୍ୟରେ ସମନ୍ୱୟ ଉପରେ ଗୁରୁତ୍ୱାରୋପ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା