ଜୟପୁର, ୨୨ ଜୁଲାଇ (ହି.ସ.)- କୋରାପୁଟ ଜିଲ୍ଲା କୁନ୍ଦୁରା ଥାନା ଅନ୍ତ୍ର୍ଗତ ଆଟିଗାଁରେ ହତ୍ୟା କରିଥିବା ହତ୍ୟାକାରୀ ମାନଙ୍କୁ ତୁରନ୍ତ ଗିରଫ କରିବା ଓ ପୀଡିତ ପରିବାରକୁ କ୍ଷତିପୁରଣ ଦେବା ଦାବିରେ ବୋରିଗୁମ୍ମା ଥାନା କାମରା ଗ୍ରାମର ଗ୍ରାମବାସୀ ଆଜି ଜୟପୁର ଏସଡିପିଓଙ୍କ କାର୍ଯ୍ୟ। ଳୟ ଘେରାଉ କରିଛନ୍ତି । ଏହାସହ କୋରାପୁଟ ଏସପିଙ୍କ ଉଦ୍ଦେଷ୍ୟରେ ଜୟପୁର ଏସଡିପିଓ ପାର୍ଥ କଶ୍ୟପଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି ।
ଉକ୍ତ ଦାବି ପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଗତ ୧୮ ତାରିଖରେ ମୃତ ଭରତ ହରିଜନ ତାଙ୍କ ସାଙ୍ଗ ଘରକୁ ଯିବି କହି ଘରୁ ବାହାରି ଥିଲେ । ୧୯ ତାରିଖରେ କୁନ୍ଦୁରା ପୋଲିସ ତରଫରୁ ଭରତଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଥିଲେ । ସୂଚନା ଆଧାରରେ ପରିବାର ଲୋକେ କୁନ୍ଦୁରା ଥାନାକୁ ଆସିଥିଲେ । ମୃତ ବ୍ୟକ୍ତିକୁ ଚିହ୍ନଟ କରିବା ପରେ ପୋଲିସ ତରଫରୁ ଶବ ହସ୍ତାନ୍ତର କରିଥିଲେ । ପରିବାର ଲୋକେ ଶବ ଶତ୍କାର କରିଥିଲେ । ସ୍ୱାମୀ ଭରତ ହରିଜନକୁ କୁନ୍ଦୁରା ଥାନା ଅନ୍ତ୍ର୍ଗତ ଆଟିଗାଁ ଗ୍ରାମର ଗ୍ରାମବାସୀ ମାନେ ସଂଘବଦ୍ଧ ଭାବେ ଠେଙ୍ଗାରେ ପିଟି ପିଟି ହତ୍ୟା କରିଛନ୍ତି । ଉକ୍ତ ଘଟଣାର ଭିଡିଓ ରେକଡ୍ କରିଛନ୍ତି । ଯାହାକି ମୋବାଇଲ ଠାରୁ ମୋବାଇଲ ଘୁରି ବୁଲୁଛି । ତେଣୁ ତୁରନ୍ତ ପୋଲିସ ଭରତ ହତ୍ୟାରେ ଜଡିତ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ମୃତ ଭରତଙ୍କ ସ୍ତ୍ରୀ ପଦ୍ନା ହରିଜନଙ୍କ ସହ ପରିବାର ଲୋକେ ଏସଡିପିଓ ଙ୍କ ଦ୍ୱାରସ୍ଥ ହୋଇ ଦାବି କରିଛନ୍ତି ।
ସୂଚନା ଅନୁଯାଇ ଗତ ୧୮ ତାରିଖ ଶୁକ୍ରବାର କୁନ୍ଦୁରା ବ୍ଲକ ଅଟିଗାଁ ରେ ବ୍ୟବସାୟୀ ସଚିନ୍ଦ୍ର ଗୁପ୍ତାଙ୍କ ଘରେ ରାତି ପ୍ରାୟ ୨ଟା ସମୟରେ ୫ ଜଣ ଦୁର୍ବୁତ ଚୋରି କରିବା ଉଦ୍ଦେଶ୍ୟରେ ଯାଇଥିଲେ । ବ୍ୟବସାୟୀଙ୍କ ଘରର କବାଟ ତାଡି ଘରେ ପଶି ପରିବାର ଲୋକଙ୍କୁ ଖଣ୍ଡା ଦେଖାଇ ଭୟଭିତ କରିଥିଲେ । ୧ ଲକ୍ଷ ଟଙ୍କା ସୁନା ଚେନ ଲୁଟ କରିବା ପରେ ବ୍ୟବସାୟୀଙ୍କ ସହ ହାତାହାତି ପରିସ୍ଥିତି ଉପୁଜିଥିଲା । ଖବର ପାଇ ଗ୍ରାମବାସୀ ପହଞ୍ଚି ଥିଲେ । ଚାରି ଦୁର୍ବୁତ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ବେଳେ ଜଣେ ଦୁର୍ବୁତକୁ ଧରିଥିଲେ । ଦୁର୍ବୁତକୁ ଉତ୍ତମ ମଧ୍ୟମ ଦେବା ପରେ କୁନ୍ଦୁରା ପୋଲିସର ଜିମା ଦେଇଥିଲେ । ପୋଲିସ ଅଭିଯୁକ୍ତକୁ କୁନ୍ଦୁରା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ । ଚିକିତ୍ସାଧିନ ଅବସ୍ଥାରେ ଦୁର୍ବୁତର ମୃତ୍ୟୁ ହୋଇଥିଲା । ମୃତକ ଜଣକ ବୋରିଗୁମ୍ମା ଥାନା କାମରା ଗାଁର ଭରତ ହରିଜନ ବୋଲି ପୋଲିସ ତଦନ୍ତରୁ ଜାଣି ବାକୁ ପାଇଥିଲା । ସୂଚନା ପାଇବା ପରେ ଜୟପୁର ଏସଡିପିଓ ପାର୍ଥ କଶ୍ୟପ, ସାଇଣ୍ଟିଫିକ ଟିମ, କୁନ୍ଦୁରା ପୋଲିସ ଯାଇ ତଦନ୍ତ କରି ଫେରିଥିଲେ । ଆଜି ଏସଡିପିଓ କଶ୍ୟପ ଦାବିପତ୍ର ଗ୍ରହଣ କରିଥିଲେ । ସେ ଏନେଇ ସୂଚନା ଦେଇ କହିଛନ୍ତି ଯେ, ଏହି ଘଟଣାକୁ ନେଇ ଗୋଟିଏ ହତ୍ୟା ମାମଲା ଓ ଡକାୟତି ଦୁଇଟି ମାମଲା ରୁଜୁ ହୋଇଛି । ଶବ ବ୍ୟବଛେଦ ରିପୋର୍ଟ ଓ ସାଇଣ୍ଟିଫିକ ଟିମ ର ରିପୋର୍ଟ ଆସିବା ପରେ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି