ସମଲେଶ୍ୱରୀ,ପାଟଣେଶ୍ୱରୀ, ଗୋପାଳଜୀ ମନ୍ଦିର ଓ ରାଣୀବନ୍ଧ, କରଙ୍ଗାକଟାବନ୍ଧକୁ ନେଇ ଟୁରିଜମ ସର୍କିଟ ପାଇଁ ଯୋଜନା
ବଲାଙ୍ଗିର, ୨୨ ଜୁଲାଇ (ହି.ସ.)- ନବୀନ ସରକାର ଅମଳରେ ଆସିଥିବା ବିଭିନ୍ନ ମନ୍ଦିର ଉନ୍ନୟନ ପ୍ରକଳ୍ପ କାମ ଆରମ୍ଭ ହୋଇ ପାରୁନାହିଁ । ତେଣୁ ଏହି ପ୍ରକଳ୍ପ କାମକୁ ଆରମ୍ଭ କରିବା ତଥା ତ୍ୱରାନ୍ୱିତ କରିବାକୁ ଆଜି ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂଦେଓ ବିଭିନ୍ନ ବିଭାଗକୁ ନେଇ ସମୀକ୍ଷା କରିଛନ୍ତି । ମୁ
ସମଲେଶ୍ୱରୀ,ପାଟଣେଶ୍ୱରୀ, ଗୋପାଳଜୀ ମନ୍ଦିର ଓ ରାଣୀବନ୍ଧ, କରଙ୍ଗାକଟାବନ୍ଧକୁ ନେଇ ଟୁରିଜମ ସର୍କିଟ ପାଇଁ ଯୋଜନା


ବଲାଙ୍ଗିର, ୨୨ ଜୁଲାଇ (ହି.ସ.)-

ନବୀନ ସରକାର ଅମଳରେ ଆସିଥିବା ବିଭିନ୍ନ ମନ୍ଦିର ଉନ୍ନୟନ ପ୍ରକଳ୍ପ କାମ ଆରମ୍ଭ ହୋଇ ପାରୁନାହିଁ । ତେଣୁ ଏହି ପ୍ରକଳ୍ପ କାମକୁ ଆରମ୍ଭ କରିବା ତଥା ତ୍ୱରାନ୍ୱିତ କରିବାକୁ ଆଜି ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂଦେଓ ବିଭିନ୍ନ ବିଭାଗକୁ ନେଇ ସମୀକ୍ଷା କରିଛନ୍ତି । ମୁଖ୍ୟତଃ ସମଲେଶ୍ୱରୀ ମନ୍ଦିର ଉନ୍ନୟନ କାମ ଆରମ୍ଭ ହେଉ ନଥିବାରୁ ତୁରନ୍ତ ସମସ୍ୟାର ସମାଧାନ କରି କାମ ଆରମ୍ଭ କରିବାକୁ ବିଧାୟକ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ପାଟଣେଶ୍ୱରୀ ମନ୍ଦିର, ଗୋପାଳଜୀ ମନ୍ଦିରର ଉନ୍ନୟନ କାମକୁ ତ୍ୱରାନ୍ୱିତ କରାଯାଇ ସାରିବାକୁ ବିଭାଗୀୟ ଅଧିକାରୀ ଓ ଠିକାସଂସ୍ଥାକୁ ବିଧାୟକ ନିର୍ଦ୍ଦେଶ କରିଥିଲେ। ଏହା ସହିତ ବଲାଙ୍ଗୀର ସହରରେ ପର୍ଯ୍ୟଟନର ବିକାଶ କରିବାକୁ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ ପରାମର୍ଶ ତଥା ପ୍ରସ୍ତାବ ଦେଇଛନ୍ତି । ସେଥିରେ ବଲାଙ୍ଗୀର ସହରରେ ଥିବା ରାଜା ରାଜୁଡା ଅମଳର ସମଲେଶ୍ୱରୀ, ପାଟଣେଶ୍ୱରୀ, ଗୋପାଳଜୀ ମନ୍ଦିର ସହିତ କରଙ୍ଗାକଟା ବନ୍ଧ ଓ ରାଣୀବନ୍ଧକୁ ନେଇ ଏକ ଟୁରିଜମ ସର୍କିଟ ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ପଠାଇବାକୁ ପ୍ରଶାସନକୁ ନିର୍ଦ୍ଦେଶ କରିଛନ୍ତି । ଗତ ମାସରେ ବିଧାୟକ ତାଙ୍କର ନିର୍ବାଚନମଣ୍ଡଳୀ ଉନ୍ନୟନ ସମୀକ୍ଷା ବୈଠକରେ ସମସ୍ତ ମନ୍ଦିରର ଜମିଗୁଡିକର ମାପକରି ରିପୋର୍ଟ ଦେବାକୁ ରାଜସ୍ୱ ବିଭାଗକୁ ନିର୍ଦ୍ଦେଶ କରିଥିଲେ । ସେହିକ୍ରମରେ ସମଲେଶ୍ୱରୀ ମନ୍ଦିର ଓ ପାଟଣେଶ୍ୱରୀ ମନ୍ଦିରର ମାପଚୁପ ହୋଇଯାଇଥିବା ରାଜସ୍ୱ ବିଭାଗ ରିପୋର୍ଟ ଦେଇଥିଲା । ସମଲେଶ୍ୱରୀ ମନ୍ଦିରର ବିକାଶ ପାଇଁ ୩ କୋଟି ଟଙ୍କା ଆସିଥିବାରୁ ଏଠାରେ ଥିବା ଷ୍ଟଲ ଗୁଡିକୁ ହଟାଯାଇ ମନ୍ଦିର ବେଢାକୁ ପ୍ରଶସ୍ତ କରାଯିବାକୁ ସମଲେଶ୍ୱରୀ ପୂଜାକମିଟି ପ୍ରସ୍ତାବ ଦେଇଥିଲେ । ଏହି କମିଟିର କାହ୍ନା ଶତପଥି, ବିକାଶ ସା, ସାମ୍ବାଦିକ ନୂତନ ମିଶ୍ର ପ୍ରମୁଖ ସମଲେଶ୍ୱରୀ ମନ୍ଦିରର ଉନ୍ନୟନ ନେଇ ବିଧାୟକ ତଥା ପ୍ରଶାସନିକ ଅଧିକାରୀମାନଙ୍କ ଆଗରେ ପ୍ରସ୍ତାବ ରଖିଥିଲେ । ଏହି ପ୍ରସ୍ତାବରେ ସମଲେଶ୍ୱରୀମନ୍ଦିର ଦୁଇପଟେ ଥିବା ଷ୍ଟଲ ଗୁଡିକୁ ଭଙ୍ଗାଯାଇ ସେଠାରେ ଥିବା ଦୋକାନୀଙ୍କୁ ଗୋପାଳଜୀ ମନ୍ଦିର ଜମିରେ ଥିବା ଅସୁରକ୍ଷିତ ବିଲଡିଂ ସ୍ଥାନରେ ଷ୍ଟଲନିର୍ମାଣ କରାଯାଇ ଥଇଥାନ କରାଯାଉ। ଠିକ ସେହିପରି ସମଲେଶ୍ୱରୀ ମନ୍ଦିରର ପୂଜକଙ୍କ ପାଇଁ ନବନିର୍ମିତ ଗୃହକୁ ପୂଜକଙ୍କୁ ସ୍ଥାନାନ୍ତରିତ କରାଯାଇ ଏଠାରେ ଥିବା ଘରକୁ ଭଙ୍ଗାଯାଇ ମନ୍ଦିରବେଢାକୁ ବଡ କରାଯାଉ ବୋଲି ଯୁବକମାନେ ପ୍ରସ୍ତାବ ଦେଇଥିଲେ । ସେହିପରି ଲକ୍ଷ୍ମୀନାରାୟଣ ମନ୍ଦିର ଜମିର ତୁରନ୍ତ ମାପଚୁପ କରାଯାଇ ଉନ୍ନୟନ କାମ ଆରମ୍ଭ କରାଯିବାକୁ ବିଧାୟକ ନିର୍ଦ୍ଦେଶ ଦେଇଥିଲେ ।

ଆଜିର ଏହି ବୈଠକରେ ବିଧାୟକ କଳିକେଶ ନାରାୟଣ ସିଂଦେଓଙ୍କ ସହିତ ପୌରାଧ୍ୟକ୍ଷା ଲିକା ସାହୁ, ପିଡି ଡୁଡା ତରଣୀ ସୁନା, ଉପଜିଲ୍ଲାପାଳ ଆଲୋକ ପଟେଲ, ପୌରନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରା, ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଇଂ. ଆଶୁତୋଷ, ଏସଡିଓ ଇଂ. ବେହେରା, କନିଷ୍ଠ ଯନ୍ତ୍ରୀ ଇଂ.ଲିପନ ନାଏକ, ଜନସ୍ୱାସ୍ଥ୍ୟ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଇଂ.ଇନ୍ଦ୍ରଜିତ ସାହୁ, ରାଜସ୍ୱ ବିଭାଗର ସୁପରଭାଇଜର ସଂନ୍ଦୀପ ନନ୍ଦ ପ୍ରମୁଖଙ୍କ ସମେତ ଅଧିକାରୀଗଣ ଯୋଗଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande