କେନ୍ଦୁଝର, ୨୨ ଜୁଲାଇ (ହି.ସ.)-
ଧରଣୀଧର ବିଶ୍ଵବିଦ୍ୟାଳୟ ପରିସରରେ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ସଭାପତିତ୍ଵ କରିଥିଲେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର୍ ପ୍ରତାପ କୁମାର ମହାନ୍ତି । ସାମ୍ପ୍ରତିକ ସମୟରେ ନାରୀମାନଙ୍କ ଉପରେ ହେଉଥିବା ଅତ୍ୟାଚାର ତଥା ଶୋଷଣକୁ ଆଖିଆଗରେ ରଖି ରାଜ୍ୟ ସରକାର ସମସ୍ତ ଶିକ୍ଷାନୁଷ୍ଠାନଗୁଡିକୁ ଏଥିଲାଗି ଏକ ସଚେତନତା କର୍ମଶାଳା ଆୟୋଜନ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ବିଶ୍ଵବିଦ୍ୟାଳୟରେ ଆଜି “କର୍ମକ୍ଷେତ୍ରରେ ମହିଳାଙ୍କୁ ଯୌନଶୋଷଣ ନିଷେଧ ଆଇନ – ୨୦୧୩” ବିଷୟ ପ୍ରସଙ୍ଗରେ ଆଲୋଚନା ଅନୁଷ୍ଠିତ ହୋଇଥିଲା। କୁଳପତି ମହାନ୍ତି ତାଙ୍କ ଅଭିଭାଷଣରେ ନାରୀ ଆଜି କିପରି ଅସୁରକ୍ଷିତ ଏବଂ ତାଙ୍କ ଉପରେ ହେଉଥିବା ଅତ୍ୟାଚାର କେତେ ନିନ୍ଦନୀୟ ତତ୍ ସଂପର୍କରେ ଆଲୋଚନା କରି ଭବିଷ୍ୟତରେ କେବେ ଏପରି କଳଙ୍କିତ ଅଧ୍ୟାୟ ସୃଷ୍ଟି ନହେଉ ତତ୍ ସଂପର୍କରେ ମନ୍ତବ୍ୟ ରଖିଥିଲେ । ଏଥିସହ ସେ କହିଥିଲେ ଯେ, ଆମକୁ ମାନସିକ ସ୍ତରରେ ପ୍ରଥମେ ସ୍ଥିର ରହିବାକୁ ପଡ଼ିବ । ବଡ ବଡ ବିପଦରୁ କିପରି ଆମେ ବାହାରି ପାରିବା ସେ ସମ୍ପର୍କରେ ମଧ୍ୟ ଆଲୋଚନା ରଖିଥିଲେ। ସମାଜ ସେବକ ଭକ୍ତ ବତ୍ସଳ ମହାନ୍ତି ତାଙ୍କ ଅଭିଭାଷଣରେ କହିଥିଲେ ଯେ ସାମ୍ବିଧାନିକ ବିଧି ବ୍ୟବସ୍ଥାରେ କେତେକ ବ୍ୟକ୍ତିଙ୍କୁ ଦୁର୍ବଳ ବୋଲି କୁହାଯାଇଛି ସେଥିମଧ୍ୟରେ ନାରୀ ଅନ୍ୟତମ ତେଣୁ ତାଙ୍କ ପ୍ରତି ଆମର ଯଥେଷ୍ଟ ସମ୍ମାନ ରହିବା ଆବଶ୍ୟକ। କାରଣ ସେ ଆମର ସୃଷ୍ଟି କର୍ତ୍ତା ଆମକୁ ଏ ସଂସାରକୁ ଆଣିବାରେ ପ୍ରମୁଖ ଭୂମିକା ତୁଲାଇଥାନ୍ତି। ଆଜି ନାରୀମାନଙ୍କ ଉପରେ ହେଉଥିବା ଏପରି ଅତ୍ୟାଚାର ଆଗାମି ଦିନରେ ଆମ ସମସ୍ତଙ୍କ ପାଇଁ ଏହା ଏକ ବଡ ବିପଦ ସୃଷ୍ଟି କରିପାରେ। ତାଙ୍କ ପରେ ଆଡଭକେଟ ଦୁଷ୍ମନ୍ତ ଜେନା ନିଜର ଅଭିଭାଷଣ ରଖିଥିଲେ, ସେ କହିଥିଲେ ଯେ, ଭରତୀୟ ସମ୍ବିଧାନ ଅନୁସାରେ ସମସ୍ତଙ୍କର ସମାନ ଅଧିକାର ରହିଛି। ଏବଂ ଯେଉଁ ଯେଉଁ ଆଇନ୍ ଜରିଆରେ ଜଣେ ମହିଳା ନିଜକୁ ସୁରକ୍ଷିତ କରିପାରିବ ତତ୍ ସଂପର୍କରେ ସମ୍ପୂର୍ଣ୍ଣ ଆଲୋଚନା ରଖିଥିଲେ । କୁଳସଚିବ ସୁଶ୍ରୀ ପ୍ରତିଭା ପୃଷ୍ଟି ତାଙ୍କ ଅଭିଭାଷଣରେ ଉପସ୍ଥାପନ କରିଥିଲେ ଯେ, ଝିଅଟିଏ ଜନ୍ମ ହେବା ପରେ ତା’ର ସୁରକ୍ଷାକୁ ନେଇ ପରିବାର ବର୍ଗ ବଡ ଚିନ୍ତା ପ୍ରକଟ କରୁଛନ୍ତି। ଏଣୁ ଆଜି ସେହି ସମୟ ଆସିଛି ଯେ ଆମ ସମସ୍ତଙ୍କୁ ଏଥିପ୍ରତି ସଚେତନ ହେବାକୁ ପଡ଼ିବ କାରଣ ଆମେ ପ୍ରଥମେ ନିଜର ମାନସିକତାକୁ ପରିବର୍ତ୍ତନ କରିବାକୁ ପଡ଼ିବ। ବାଲେଶ୍ଵର ଘଟଣାକୁ ଆଲୋଚନାରେ ରଖି ସେ କହିଥିଲେ ଯେ, ଗୁରୁ ଶିଷ୍ୟର ପରମ୍ପରା ଯଦି ସୁଦୃଢ଼ ହେଵ ତେବେ ଏପରି ଅନୈତିକ କିମ୍ବା ଅଭାବନୀୟ ଘଟଣା ଘଟିବ ନାହିଁ। ସେହିପରି ବିଶ୍ଵବିଦ୍ୟାଳୟ ସ୍ନତକୋତ୍ତର ପରିଷଦ ମୁଖ୍ୟ ନିଜ ଭାଷଣରେ ଯୌନ ଶୋଷଣକୁ ନେ଼ଇ ୨୦୧୩ ମସିହାରେ ଗଠନ ହେଇଥିବା ଏହି ଆଇନ୍ ସଂପର୍କରେ ଵିବରଣୀ ଉପସ୍ଥାପନ କରିଥିଲେ । ପରିଶେଷରେ ବିଶ୍ଵବିଦ୍ୟାଳୟର ଅନ୍ୟତମ ଅଧ୍ୟାପିକା ଡକ୍ଟର ସଂଗୀତା ସୁଶ୍ରୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ସଭାଟିର ଆୟୋଜକ କରିଥିଲେ ଡକ୍ଟର ସୁମନ୍ତ ନାଏକ ଏବଂ ଆକାଲୁ ପୃଷ୍ଟି l ଏଥି ସହିତ ସଭାରେ ଉଭୟ ଛାତ୍ରଛାତ୍ରୀ ଏବଂ ବିଶ୍ଵବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକା ମାନେ ଉପସ୍ଥିତ ରହି ଏହାକୁ ସାଫଲ୍ୟ ମଣ୍ଡିତ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA