ଭୁବନେଶ୍ୱର, ୨୨ ଜୁଲାଇ (ହି.ସ)- ରାଜ୍ୟରେ ମାତ୍ରାଧିକ ନାରୀ ନିର୍ଯାତନା,ଅତ୍ୟାଚାର ଓ ଦୁଷ୍କର୍ମ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ। ମଙ୍ଗଳବାର ପିସିସି ପ୍ରଚାର ମିଡ଼ିଆ, ପ୍ରସାର ଏବଂ ସୂଚନା ଅଧ୍ୟକ୍ଷ ଅରବିନ୍ଦ ଦାସ , ମୁଖପାତ୍ର ଡକ୍ଟର ମନୀଷା ଦାସ ପଟ୍ଟନାୟକ ଓ ଜୟଶ୍ରୀ ପାତ୍ର ବାଲେଶ୍ୱର ଛାତ୍ରୀଙ୍କ ଆତ୍ମାହୁତି ଘଟଣାରେ ସରକାରଙ୍କ ଦ୍ୱାରା ନିଯୁକ୍ତ କରାଯାଇଥିବା କ୍ରାଇମବ୍ରାଞ୍ଚ ତଦନ୍ତ ଅଧିକାରୀଙ୍କ ପୂର୍ବର ଏକ ବର୍ବରତାପୂର୍ଣ୍ଣ କାରନାମାର ଭିଡିଓ ଗଣମାଧ୍ୟମକୁ ପ୍ରଦର୍ଶନ କରି ସରକାରଙ୍କ ଦୋମୁହାଁ ନୀତି ବିରୁଦ୍ଧରେ କଡା ସମାଲୋଚନା କରିଥିଲେ ।
ଅଧ୍ୟକ୍ଷ ଶ୍ରୀ ଦାସ କହିଛନ୍ତି ସୌମ୍ୟାଶ୍ରୀ ଆତ୍ମାହୁତି ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତଭାର ଏପରି ଜଣେ ଅଧିକାରୀଙ୍କୁ ନ୍ୟସ୍ତ କରାଯାଇଛି, ଯାହାଙ୍କ ନୈତିକତା ଉପରେ ଆଜି ପ୍ରଶ୍ନ ଉଠିଲାଣି । ଯେଉଁ ଦଳିତ ବ୍ୟକ୍ତି ଖୋଦ ମୁଖ୍ୟମନ୍ତ୍ରୀଙ୍କ ପାଖରେ ନ୍ୟାୟ ପାଇଁ ଗୁହାରୀ କରିଥିଲା, ତାଙ୍କୁ ଏହି କ୍ରାଇମବ୍ରାଞ୍ଚ ଅଧିକାରୀ ଅତି ଅମାନୁଷିକ ବ୍ୟବହାର କରୁଥିବାର ଭିଡିଓ ଆମ ହସ୍ତଗତ ହୋଇଛି। ନାରୀ ନ୍ୟାୟ କ୍ଷେତ୍ରରେ ଆମେ ସାଲିସ କଦାପି କରିବୁ ନାହିଁ । ନାରୀଙ୍କୁ ନ୍ୟାୟ ନ ମିଳିଲା ପର୍ଯ୍ୟନ୍ତ ଆମ ସଂଗ୍ରାମ ଜାରୀ ରହିବ। ବାଲେଶ୍ୱର ବିଧାୟକ ଏବଂ ସାଂସଦଙ୍କ ଅକ୍ଷମଣୀୟ ଅବହେଳା ସେମାନଙ୍କୁ ଦଳରୁ ପାଇଁ ନିଲମ୍ବନ କରିବା ସହ କର୍ତବ୍ୟରେ ଅବହେଳା ପାଇଁ ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରନ୍ତୁ ବୋଲି ଆମେ ଦୃଢ ଦାବୀ ଜଣାଉଛୁ।
ଗଣମାଧ୍ୟମର ପ୍ରଶ୍ନୋର କାର୍ଯ୍ୟକ୍ରମରେ ଉତର ରଖି ଅଧ୍ୟକ୍ଷ ଶ୍ରୀ ଦାସ କହିଲେ ଯେ ସୌମ୍ୟାଶ୍ରୀ ମାମଲାରେ ଯଦି ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିଥାନ୍ତେ ତେବେ ଆଜି ଏଭଳି ନାରୀ ନିର୍ଯାତନା ଘଟଣାବଳୀ ଦେଖିବାକୁ ମିଳୁନଥାନ୍ତା । କୌଣସି ସରକାରୀ ମହାବିଦ୍ୟାଳୟ ଏବଂ ଛାତ୍ରୀ ନିବାସରେ ଯଥାକ୍ରମେ ଅଧ୍ୟକ୍ଷ କିମ୍ବା ମେଟ୍ରନ ସ୍ଥାୟୀ ନୁହନ୍ତି । ସରକାରଙ୍କୁ କ୍ଷମତାରେ ରହିବା ଗୋଟିଏ ବର୍ଷ ବିତିଯାଇଥିଲେ ସୁଦ୍ଧା ଜଣେ ହେଲେ ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି ହୋଇ ପାରିଲା ନାହିଁ ।
କଂଗ୍ରେସ ଛାତ୍ର ସଭାପତି ଉଦିତ ପ୍ରଧାନଙ୍କୁ ଗିରଫ କରିବା ପରେ ତୁରନ୍ତ ଦଳରୁ ସସ୍ପେଣ୍ଡ କରିବା ସହ ତଦନ୍ତରେ ଦଳ ସହଯୋଗର ହାତ ବଢ଼ାଇଛି। ପୁଲିସ ଗିରଫଦାରୀର ବିରୋଧ କରିନୁ। କିନ୍ତୁ ଚାରି ମାସ ତଳେ ଘଟିଥିବା ତଥାକଥିତ ଘଟଣାକୁ ନେଇ ହଠାତ ଗିରଫ କରି କଂଗ୍ରେସ ନାରୀ ନ୍ୟାୟ ଆନ୍ଦୋଳନକୁ କଦାପି ଭଣ୍ଡୁର କରିଦେଇ ପାରିବେ ନାହିଁ । ବିଧିବଦ୍ଧ ତଦନ୍ତ ପରେ ଉଦିତ ପ୍ରଧାନ ନିର୍ଦୋଷ ସାବ୍ୟସ୍ତ ହେଲେ ତାଙ୍କୁ ନିଶ୍ଚୟ ପୁଣି ଦଳରେ ଗ୍ରହଣ କରାଯିବ ବୋଲି ଶ୍ରୀ ଦାସ ପ୍ରକାଶ କରିଛନ୍ତି ।
ପ୍ରେସ ବାର୍ତାରେ ମୁଖପାତ୍ର ଡକ୍ଟର ମନୀଷା କହିଲେ, ଉକ୍ତ ଘଟଣା ପାଇଁ କଂଗ୍ରେସ ଏକ ଗୃହ କମିଟି ଗଠନ ପ୍ରସ୍ତାବ ଦେଇଥିଲୁ ।ସେତେବେଳେ ଯଦି ସରକାର ଆମ ପ୍ରସ୍ତାବକୁ ଗୁରୁତ୍ୱର ସହ ନେଇଥାନ୍ତେ ତେବେ ଆଜି ନାରୀ ନିର୍ଯାତନାରେ ଓଡିଶା ରେକର୍ଡ ଭାଙ୍ଗୁ ନ ଥାନ୍ତା । ବଳଙ୍ଗା ନାବାଳିକା ପୋଡି ଘଟଣାକୁ ତିନିଦିନ ବିତି ଯାଇଥିଲେ ସୁଦ୍ଧା ପୋଲିସ ଜଣକୁ ମଧ୍ୟ ଗିରଫ ନ କରିପାରିବା ଆଶ୍ଚର୍ଯ୍ୟର ବିଷୟ । ଅପରାଧୀ କଣ ଆକାଶରେ ମିଳାଇ ଗଲେ ନା ପାତାଳରେ ହଜି ଗଲେ ବୋଲି ସରକାରଙ୍କୁ ପ୍ରଶ୍ନ ପଚାରିଛନ୍ତି ।
ଗଣମାଧ୍ୟମ ଆଗରେ ମୁଖପାତ୍ର ଜୟଶ୍ରୀ କହିଛନ୍ତି, ଆଜି ରାଜ୍ୟର ନାରୀ, ଭୟରେ ପଦାକୁ ବାହାରିବା ପାଇଁ କୁଣ୍ଠାବୋଧ କଲେଣି । କିନ୍ତୁ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁନି । ଏପର୍ଯ୍ୟନ୍ତ ମହିଳା କମିଶନ ନିଯୁକ୍ତ କରି ପାରିଲେନି, ଗୃହ କମିଟି ଗଠନ କଲେନି, ଆମ ବିଧାୟକଗଣଙ୍କୁ ନିଲମ୍ବନ କଲେ । ଆଗାମୀ ଦିନରେ ସରକାର ତାଙ୍କ ରିପୋର୍ଟ କାର୍ଡରେ ମହିଳା ନିର୍ଯାତନାରେ କିଭଳି ଓଡିଶା ରେକର୍ଡ ଭାଙ୍ଗିଛି ତାହା ମଧ୍ୟ ପ୍ରକାଶ କରିବାକୁ ଆହ୍ୱାନ ଜଣାଇଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା