ବାରିପଦା, ୨୩ ଜୁଲାଇ (ହି.ସ.) - ମୟୂରଭଞ୍ଜ ଆଡ଼ ହକ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ତଥା ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ ପୋକସୋ କୋର୍ଟରେ ଏକ ଦୁଷ୍କର୍ମ ମାମଲାର ରାୟ ପ୍ରକାଶ ପାଇଛି। ବିଚାରପତି ସନ୍ତୋଷ କୁମାର ନାୟକ ଏହାର ବିଚାର କରି ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୧୦ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ଅଧିକ ୬ମାସ ଜେଲ ଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ ରହିଛି। ଆସାମୀ ଜଣକ ହେଲେ ଚାନ୍ଦୁଆ ଥାନା ଅନ୍ତର୍ଗତ ଆମ୍ବପୁଞ୍ଜା ଗ୍ରାମର ଜଟିଆ ମହାନ୍ତ (୬୧)। ସୂଚନାଯୋଗ୍ୟ, ଗତ ୧୯/୦୯/୨୦୨୩ରେ ଜନୈକା ମହିଳା ଜଣକ ରାତିରେ ଘରେ ଶୋଇଥିବା ବେଳେ ଦୁଷ୍କର୍ମର ଶିକାର ହୋଇଥିଲେ। ଅଭିଯୁକ୍ତ ଜଣକ ତାଙ୍କ ଦୁଇ ଜଣ ସହଯୋଗୀଙ୍କ ସହ ଦୁଷ୍କର୍ମ କରିଥିଲେ। ଘଟଣା ବାବଦରେ ତହିଁ ପରଦିନ ପରିବାର ଲୋକ ଜାଣିଥିଲେ। ଯାହାକୁ ନେଇ ଚାନ୍ଦୁଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକ୍ରମେ ପୁଲିସ ଏକ ମାମଲା ରୁଜୁ କରି ପୀଡିତାର ବୟାନ ରେକର୍ଡ କରିଥିଲେ। ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ସାକ୍ଷୀଙ୍କ ବୟାନ, ଡାକ୍ତରୀ ରିପୋର୍ଟ ଓ ପୁଲିସର ତଦନ୍ତ ରିପୋର୍ଟକୁ ଭିତି କରି ଜଜ୍ ଉପରୋକ୍ତ ଶୁଣାଣୀ କରିଛନ୍ତି। ଏହା ସହିତ ପିଡିତା ନାବାଳିକାକୁ ୧ଲକ୍ଷ ୫୦ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିବାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ମାମଲାକୁ ସରକାରୀ ଆଇନଜୀବୀ ମନୋରଞ୍ଜନ ପଟ୍ଟନାୟକ ପରିଚାଳନା କରୁଥିଲେ।
ହିନ୍ଦୁସ୍ଥାନ ସମାଚାର/ଦିଲ୍ଲୀପ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ