ସମ୍ବଲପୁର, ୨୩ ଜୁଲାଇ (ହି.ସ.)
କାର୍ଯ୍ୟସ୍ଥଳରେ ମହିଳା ମାନଙ୍କ ପ୍ରତି ଯୌନ ନିର୍ଯ୍ୟାତନାରୁ ସୁରକ୍ଷା, ନିଷେଧ ଓ ପୁନଃସଂଧାନ ପାଇଁ ଘୋଷିତ ପି ଓ ଏସ ଏଚ ଆଇନ ୨୦୧୩ ଅନୁଯାୟୀ ପୁଲିସ ଏବଂ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଏକ ସମନ୍ଵୟ ବୈଠକ ତପସ୍ଵିନୀ କକ୍ଷ ଠାରେ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମହାନଗର ନିଗମର ଆୟୁକ୍ତ ବେଦ ଭୂଷଣ, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଅଶୋକ କୁମାର ଭୋଇ, ସଦର ଉପଜିଲ୍ଲାପାଳ ଡା. ପୁଷ୍ପାଞ୍ଜଳି ପଣ୍ଡା, ଭିସୁଟ୍ ର କୁଳପତି ଦୀପକ କୁମାର ସାହୁ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ସୁଶାନ୍ତ କୁମାର ଦାସ, ସମ୍ୱଲପୁର ମହାବିଦ୍ୟାଳୟ କୁଳପତି ବିଧୁଭୂଷଣ ମିଶ୍ର ତଥା ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ବୈଠକ ମାଧ୍ୟମରେ ଜିଲ୍ଲା ପ୍ରଶାସନ ଓ ପୋଲିସ ବିଭାଗ ପକ୍ଷରୁ ମହିଳାଙ୍କ ସୁରକ୍ଷା ସମ୍ପର୍କରେ ଥିବା ଆଇନ ଅନୁଯାୟୀ ଦଶଜଣ କିମ୍ବା ତା'ଠାରୁ ଅଧିକ ସଦସ୍ୟଙ୍କୁ ନେଇ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ କରାଯିବା, ସଦସ୍ୟମାନଙ୍କ ପାଇଁ ସମ୍ବେଦନଶୀଳତା ଓ କ୍ଷମତା ବୃଦ୍ଧି ପାଇଁ ପ୍ରଶିକ୍ଷଣ ବ୍ୟବସ୍ଥା, ସୀମିତ ସମୟରେ ଅନୁସନ୍ଧାନ ଓ ପୁନଃସଂଧାନ ପ୍ରକ୍ରିୟା ନିମିତ୍ତ ନିୟମ, ବାର୍ଷିକ ରିପୋର୍ଟିଂ ଓ ପ୍ରତିପାଦନରେ ସ୍ପଷ୍ଟତା ରଖିବା କିପରି ରହିବ, ତାଲୁକ, ବ୍ଲକ୍, ତହସିଲ ଓ ସ୍ଥାନୀୟ ନଗର ନିଗମ ମଧ୍ୟରେ ଜିଲ୍ଲା ସ୍ତରୀୟ ପରାମର୍ଶଦାତା କମିଟି ଗଠନ କରାଯିବା ଆଦି ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏହି ସମ୍ବେଦନଶୀଳ ମାମଲାରେ ଅଧିକାରୀମାନେ ଦାୟିତ୍ୱବୋଧ ସହ ନିଷ୍ଠାର ସହିତ କାର୍ଯ୍ୟ କରିବା ଦରକାର ବୋଲି ଆହ୍ବାନ ଦେବା ସହ ଅନୁସନ୍ଧାନ ପ୍ରକ୍ରିୟାକୁ ନିରପେକ୍ଷ ଓ ପାରଦର୍ଶୀ ଭାବରେ କରିବା ଉପରେ ଗୁରୁତ୍ବ ଦେଇଥିଲେ। ଜିଲ୍ଲାପାଳ ଶ୍ରୀ ବୋନ୍ଦର ନିର୍ଦ୍ଧାରିତ ସମୟ ମଧ୍ୟରେ ଅନୁଧ୍ୟାନ କରିପାରିବା ପାଇଁ ସମସ୍ତ କାର୍ଯ୍ୟାଳୟ ଓ ସଂସ୍ଥାନର ସିସିଟିଭିକୁ ନିଶ୍ଚିତ ସଚଳ ଅବସ୍ଥାରେ ରଖିବା ଆବଶ୍ୟକ ବୋଲି ସେ କହିଥିଲେ। ଏଥିସହିତ ସମସ୍ତ ଗଭର୍ଣ୍ଣିଙ୍ଗ ବୈଠକ ନିୟମିତ ଭାବରେ କରାଯିବ ଓ ଏହି କମିଟିଗୁଡ଼କ ସୁଦୃଢ ଭାବରେ କାର୍ଯ୍ୟ କରିବା ପାଇଁ ଏସଡିପିଓ ମାନଙ୍କୁ ସଦସ୍ୟ ଭାବେ ଅନ୍ତର୍ଭୁକ୍ତ କରାଯିବାର ଆବଶ୍ୟକ ରହିଛି ବୋଲି ପ୍ରସ୍ତାବ ରଖିଥିଲେ। ଏହି ଅବସରରେ ସହାୟତା ଟୋଲ୍-ଫ୍ରୀ ନମ୍ବର ବିଷୟରେ ସଚେତନତା ବୃଦ୍ଧି କରିବା ପାଇଁ ମଧ୍ୟ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ, ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ