ଧାନ କ୍ରୟକାରୀ ସଂସ୍ଥା ବିରୋଧରେ ଜିଲ୍ଲାପାଳଙ୍କୁ ଭେଟିଲେ ସରପଞ୍ଚ ଓ ଚାଷୀ।
ଜୟପୁର , 23 ଜୁଲାଇ (ହି.ସ.) - କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ୍ ଅନ୍ତର୍ଗତ ଭନସୁଲି ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କ ସହ ଶତାଧିକ ଚାଷୀ ଏବଂ ସ୍ଵୟଂ ସହାୟୀକା ଗୋଷ୍ଠୀର ମହିଳାମାନେ ଧାନ କ୍ରୟକାରୀ ସଂସ୍ଥା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ବିରୋଧରେ ଉପ ଜିଲ୍ଲାପାଳ ଏ ସସ୍ୟା ରେଡ୍ଡୀ ଙ୍କୁ ଭେଟି ସେମାନଙ୍କ ସମସ୍ୟା ବିଷୟରେ ଆଲୋଚନା କରିଛନ୍ତି। ଜୟପୂର ଉପଜିଲ୍ଲାପାଳ ସୁଶ୍ରୀ ଆକବରାମ ସସ୍ୟା ରେଡ୍ଡୀଙ୍କୁ ସାକ୍ଷାତକାର କରି ଦାବି ପତ୍ର ପ୍ରଦାନ କରିଥିଲେ। ଦାବିପତ୍ର ଉଲ୍ଲେଖ ରହିଅଛି ଯେ ସରକାରଙ୍କ ଧାନ କ୍ରୟ କରିବାରେ ଯାହା ସବୁ ନିୟମ ରହିଛି ତାହାକୁ ସଠିକ୍ ଭାବରେ କାର୍ଯୟନିର୍ବାହ କରୁନଥିବା ଅଭିଯୋଗ ହୋଇଛି। ଧାନ କ୍ରୟ ବେଳେ ଅନେକ ପ୍ରକାରର ଅନିୟମିତତା ହେଉଥିବାର ଅଭିଯୋଗ ଆଣିଛନ୍ତି ଚାଷୀ। ଟୋକେନ୍ ଅନୁଯାୟୀ ଯେତେ ପରିମାଣର ଧାନ କ୍ରୟ କରିବା କଥା ତାହା କରାଯାଉନାହିଁ। ଧାନ କ୍ରୟକାରୀ ଏସ୍ଏଚଜି କହୁଛି ଆପଣଙ୍କର ଟୋକେନ ଅନୁଯାୟୀ ଧାନ କିଣାଯାଇ ପାରୁନାହିଁ ଅନଲାଇନରେ ତୃଟି ରହୁଛି କହି କମ୍ ଧାନ କ୍ରୟ କରାଯାଉଥିବା ଚାଷୀମାନେ କହିଛନ୍ତି। ଧାନ କ୍ରୟ ବେଳେ କୁଁଇଟଲ୍ ପ୍ରତି ୫ କିଲୋଗ୍ରାମ ଅଧିକା ଦେବାକୁ କହି କଟନି ଛଟନି କରୁଛନ୍ତି। ଅନ୍ୟପଟେ ଧାନ ମିଲକୁ ପହଞ୍ଚିବା ପରେ ସେଠାରେ ମିଲର ପୁଣି କଟନି ଛଟନି କରି ଚାଷୀଙ୍କୁ ହରି ଲୁଟ୍ କରୁଛନ୍ତି। ମିଲର ୧୫ ରୁ ୨୦ କିଲୋଗ୍ରାମ ଧାନ କୁଁଇଟଲ୍ ପ୍ରତି ଅଧିକ ଶୋଷଣ କରୁଛନ୍ତି ବୋଲି ଚାଷୀ ଅଭିଯୋଗ କରିଛନ୍ତି। ଧାନ କ୍ରୟକାରୀ ଗୋଷ୍ଠୀ ମିଲରଙ୍କ ସହ ଯୋଗାଯୋଗ କରି ଏପରି ଚାପ ପକାଉଛନ୍ତି। ଶେଷରେ ଅଭାବି ଚାଷୀ ଧାନ ଅଧିକ ଦେବାକୁ ବାଧ୍ୟ ହେଉଛି, ଯାହା ଫଳରେ ଚାଷୀମାନେ ସେମାନଙ୍କ ପାରିଶ୍ରମିକର ଉଚ୍ଚିତ ଅର୍ଥ ପାଇପାରୁ ନାହାନ୍ତି। ଏପରି ଧାନ କ୍ରୟକାରୀ ସଂସ୍ଥା ଏସ୍ଏଚଜି ପ୍ରତି ଉଚ୍ଚସ୍ତରୀୟ ତଦନ୍ତ କରିବା ସହିତ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯାଇଛି। ଉକ୍ତ ବିଷୟକୁ ଉପଜିଲ୍ଲାପାଳ ଅତି ଗୁରୁତ୍ୱାରୋପ ଦେଇ ବିଭାଗୀୟ ଅଧିକାରୀ ମାନଙ୍କ ସହ ଯୋଗାଯୋଗ କରି ଭନସୁଲି ଯାଇ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ଏଥି ସହିତ ତଦନ୍ତରେ ସ୍ଵୟଂ ସହାୟୀକା ଗୋଷ୍ଠୀ ପକ୍ଷରୁ ଧାନ କ୍ରୟ କରିବାରେ କୋୖଣସି ପ୍ରକାରେ ତୃଟି ରହେ ତାହେଲେ ଉକ୍ତ ଗୋଷ୍ଠୀ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ସେ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି