ସମ୍ବଲପୁର, ୨୩ ଜୁଲାଇ (ହି.ସ.) ସମ୍ବଲପୁର ସ୍ୱତନ୍ତ୍ର ପୋକ୍ସ କୋର୍ଟ ବିଚାରପତି ଅଭିଳାଶ ସେନାପତି ଜନୈକା ନାବାଳିକା ଦୁଷ୍କର୍ମ ମାମଲାର ଶୁଣାଣି କରି ଦୋଷୀ ପ୍ରତି ରାୟ ପ୍ରଦାନ କରିଛନ୍ତି । ମହୁଲପାଲି ଥାନା ଅନ୍ତର୍ଗତ ବିଲେଇଗଡ ଗ୍ରାମର ୨୩ ବର୍ଷର ଅଭିଯୁକ୍ତ ଟେକଚାନ୍ଦ ରୋହିଦାସକୁ ୧୫ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥି ସହ ୫୦ ହଜାର ଟଙ୍କା ଜରିମାନା କରିଛନ୍ତି । ଏହି ଜରିମାନା ଅର୍ଥ ଅନାଦେୟ ଅଧିକ ୧ବର୍ଷ ଦଣ୍ଡାଦେଶ ଜାରି କରିଛନ୍ତି । ସେହିପରି କ୍ଷତିପୂରଣ ବାବଦରେ ପିଡୀତା ନାବାଳିକାକୁ ୭ଲକ୍ଷ ଟଙ୍କା ଦେବା ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାକୁ ସ୍ୱତନ୍ତ୍ର ପିପି ସନ୍ତୋଷ କୁମାର ପଣ୍ଡା ପରିଚାଳନା କରିଥିଲେ । ସୂଚନାଯୋଗ୍ୟ, ୨୦୧୮ ସେପ୍େଟମ୍ବର ୧୭ ତାରିଖ ସଂନ୍ଧ୍ୟାରେ ନାବାଳିକା ଜଣକ ନିଜ ଘର ପାଖରେ ଖେଳୁଥିଲା । ଏହି ସମୟରେ ଟେକଚାନ୍ଦ ଗାଁରେ ହେଉଥିବା ଗଣେଷ ପୂଜା ଦେଖାଇବାକୁ ନାବାଳିକାକୁ ସାଇକେଲରେ ବସାଇ ବୁଲାଇ ନେଇଥିଲା । ମାତ୍ର ପୂଜାମଣ୍ଡପ ବଦଳରେ ନାବାଳିକା ଜଣଙ୍କୁ ନିକଟସ୍ଥ ନଦୀପଠାକୁ ନେଇ ସେଠାରେ ଫୁସୁଲା ଫୁସୁଲି କରି ଦୁଷ୍କର୍ମ କରିଥିଲା । ଅଭିଯୋଗକାରୀଙ୍କ ଖୁଡି ଶୌଚ ପରେ ନଦୀରୁ ଫେରୁଥିବା ବେଳେ ଏହି ଘୃଣ୍ୟ ଦୃଶ୍ୟ ଦେଖି ତୁରନ୍ତ ପୀଡିତାକୁ ସେଠାରୁ ଉଦ୍ଧାର କରି ତାଙ୍କ ଘରକୁ ନେଇ ଯାଇଥିଲେ। ମାତ୍ର ଘରକୁ ଫେରିବା ପରେ ନିଜର ରକ୍ତାକ୍ତ ଅବସ୍ଥା ଦେଖାଇବା ସହ ନିଜପ୍ରତି ଘଟିଥିବା ଘଟଣା ନିଜ ମାଁ ଓ ବାପାଙ୍କୁ ଜଣାଇଥିଲା । ମାନସିକ ଦୁଶ୍ଚିନ୍ତାରେ ପରିବାର ଲୋକେ ସେଦିନ କାହାକୁ କିଛି ନକହି ପରଦିନ ପରିବାର ଲୋକେ ଘଟଣା ସମ୍ପର୍କରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ମହୁଲପାଲି ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଅଭିଯୁକ୍ତ ଟେକଚାନ୍ଦଙ୍କୁ ଗିରଫ କରିଥିଲା । ତତ୍କାଳୀନ ଥାନା ଅଧିକାରୀ ଏହି ଘଟଣାର ତଦନ୍ତ କରି ଅଭିଯୁକ୍ତ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲେ । ମୋଟ ୧୭ଜଣଙ୍କ ସାକ୍ଷ୍ୟ ବୟାନକୁ ଭିତି କରି ମାନ୍ୟବର କୋର୍ଟ ଏହି ରାୟ ପ୍ରଦାନ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଶୈଳେଶ